ସରକାର ନେଲେ ବଡ଼ ନିଷ୍ପତ୍ତି : ସୁବିଧା ପାଇବେ କିନ୍ନର
ଭୁବନେଶ୍ୱର: କାର୍ଯ୍ୟକ୍ଷେତ୍ରରେ ତୃତୀୟ ଲିଙ୍ଗିଙ୍କୁ ବାଛବିଚାର ମନା, ମିଳିବ ସମାନ ସୁବିଧା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ନିର୍ଦ୍ଦେଶନାମା ଜାରି ହୋଇଛି । କାର୍ଯ୍ୟକ୍ଷେତ୍ରରେ ଅନ୍ୟମାନଙ୍କ ଭଳି ତୃତୀୟ ଲିଙ୍ଗିଙ୍କୁ ସମାନ ମିଳିବ ସୁବିଧା ଓ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ହୋଇଛି । ଦକ୍ଷତା ପ୍ରତିପାଦିତ ପାଇଁ କାର୍ଯ୍ୟକ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି କରାଯିବା ସହ କୌଣସି ପଦବୀ, ତାଲିମ, ପଦୋନ୍ନତି, ବଦଳି କ୍ଷେତ୍ରରେ ବାଛବିଚାର ମଧ୍ୟ ରହିବନି । ତୃତୀୟ ଲିଙ୍ଗିଙ୍କ ଅଭିଯୋଗ ସମାଧାନ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତ ହେବେ ଯାହାର ଲାଭ ତୃତୀୟ ଲିଙ୍ଗିମାନେ ପାଇବେ । ଅଭିଯୋଗ ପାଇବାର ୧୫ ଦିନ ମଧ୍ୟରେ ସମାଧାନ କରିବେ ଅଧିକାରୀ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ଏହାପୂର୍ବରୁ ବଲାଙ୍ଗୀର ପ୍ରଶାସନ ତୃତୀୟ ଲିଙ୍ଗିଙ୍କୁ ନେଇ ବଡ଼ ନିଷ୍ପତ୍ତି ନେଇଥିଲା । ସ୍ୱଚ୍ଛତାର ସାରଥୀ ସାଜିବେ କିନ୍ନର । ତୃତୀୟଲିଙ୍ଗୀଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀ ବଦଳିବା ପାଇଁ ଏମିତି କରାଯାଇଥିବା ନେଇ କୁହାଯାଇଥିଲା । କିନ୍ନର ମାନେ ଆଉ ଲୋକଙ୍କ ସାମ୍ନାରେ ହାତ ପତେଇ ଭିକ ମାଗିବେନି କି ତାଙ୍କୁ ଦୀନହୀନ ହୋଇ ଜୀବନ ବିତାଇବାକୁ ପଡ଼ିବ ନାହିଁ । ସମାଜରେ ସାଧାରଣ ମଣିଷ ପରି ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ । ଏଥିପାଇଁ ସୁଯୋଗ ସୃଷ୍ଟି କରିସାରିଛି ବଲାଙ୍ଗିର ପୌରସଂସ୍ଥା । ବ୍ୟାଟେରି ଚାଳିତ ଗାଡ଼ିରେ ସହରର ଗଳିକନ୍ଦିରୁ ଅଳିଆ ଆବର୍ଜନା ସଂଗ୍ରହ କରି ଡମ୍ପିଂୟାର୍ଡରେ ପହଞ୍ଚାଇବାର କାମ କରିବାର ସୁଯୋଗ ମିଳିଛି କିନ୍ନରଙ୍କୁ । ତେବେ ଆଜି ସରକାରଙ୍କ ଏପରି ନିଷ୍ପତ୍ତିକୁ ପ୍ରଶଂସା କରାଯାଉଛି ।