ସିରିଜ ହତ୍ୟାକାଣ୍ଡ, ହାତବାନ୍ଧି ବସିଛି କମିଶନରେଟ୍ ପୁଲିସ

କଟକ : ୨୦୧୯ ଜୁଲାଇ ଶେଷ ସପ୍ତାହ । ୨୩ ଓ ୨୪ ତାରିଖରେ ମାତ୍ର ୨୪ ଘଣ୍ଟା ମଧ୍ୟରେ କଟକ ସହରରେ ଘଟିଥିଲା ତିନି ତିନିଟି ହତ୍ୟାକାଣ୍ଡ । ପୃଥକ୍ ପୃଥକ୍ ସ୍ଥାନରୁ ପୁଲିସ ୩ ଜଣଙ୍କ ତଣ୍ଟି କଟା ଶବ ଜବତ କରିଥିଲା । ସମସ୍ତଙ୍କୁ ଗୋଟିଏ ପ୍ରକାରରେ ଅତି ନୃଶଂସ ଭାବେ ତଣ୍ଟି କାଟି ହତ୍ୟା କରାଯାଇଥିଲା । ଏହି ଘଟଣା ପଛରେ ଜଣେ ମାନସିକ ବିକାରଗସ୍ତ ବା ସାଇକୋ କିଲରର ହାତ ଥିବା ସେ ସମୟରେ ପ୍ରଚାର ହୋଇଥିଲା । ସେତେବେଳେ ଏହି ଗୁଜବ ସହରରେ କୋକୁଆ ଭୟ ସୃଷ୍ଟି କରିଥିଲା । ଏହି ଲୋମ ହର୍ଷଣ ହତ୍ୟାକାଣ୍ଡ ଘଟଣାରେ ପୁଲିସ ଜଣେ ମାନସିକ ବିକାରଗସ୍ତକୁ ଗିରଫ କରି ଚୌଦ୍ୱାର ଜେଲ ପଠାଇଥିବା ବେଳେ ଗୋଟିଏ ଘଟଣାରେ କାହାରିକୁ ଗିରଫ କରିପାରି ନାହିଁ । ଯେଉଁ ଘଟଣାରେ ମୃତକର ପରିଚୟ ମିଳିଥିଲା ସେହି ହତ୍ୟାକାଣ୍ଡ ଘଟିବାର ପାଖାପାଖି ଦୁଇ ବର୍ଷ ହେବାକୁ ଯାଉଥିବା ବେଳେ ଏହି ଘଟଣାର ରହସ୍ୟ ଉନ୍ମୋଚନ କରିପାରି ନାହିଁ କମିଶନରେଟ୍ ପୁଲିସ । ଅନ୍ୟ ଦୁଇ ମୃତକଙ୍କ ପରିଚୟ ମିଳି ପାରି ନଥିବା ବେଳେ ସେହି ଦୁଇ ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବଉଳପୁରର କୋଦଣ୍ଡ ରାଉତ ଦିନ ମଜୁରିଆ ଭାବେ କଟକ ସହରରେ କାର୍ଯ୍ୟ କରୁଥିଲେ । କୋଦଣ୍ଡଙ୍କ ତଣ୍ଟିକୁ ଏକ ଧାରୁଆ ଅସ୍ତ୍ରରେ କଟାଯାଇ ହତ୍ୟା କରାଯାଇଥିଲା । ୨୦୧୯ ଜୁଲାଇ ୨୩ ତାରିଖ ସକାଳେ ରାଣିହାତ କେନାଲ ରାସ୍ତାକଡ ଗୁର୍ଗା ମଣ୍ଡପ ନିକଟରୁ ତାଙ୍କ ମୃତଦେହକୁ ମଙ୍ଗଳାବାଗ ପୁଲିସ ଉଦ୍ଧାର କରିଥିଲା । ଏହାର ପରଦିନ ଅର୍ଥାତ ୨୪ ତାରିଖ ଭୋରର ୫ଟା ବେଳେ ଏସସିବି ମେଡିକାଲ ହୃଦରୋଗ ବିଭାଗ ସମ୍ମୁଖରୁ ଜଣେ ଓ ସକାଳ ୭ଟା ବେଳେ ଓଏମପି ଛକ ଶିଶୁ ଉଦ୍ୟାନ ନିକଟରୁ ଆଉ ଜଣେ ବ୍ୟକ୍ତିଙ୍କ ତଣ୍ଟିକଟା ଶବ ମିଳିଥିଲା । ରାଣିହାଟ ଘଟଣା ଭଳି ଏହି ଦୁଇ ଜଣଙ୍କର ମଧ୍ୟ ସମାନ ଢଙ୍ଗରେ ତଣ୍ଟି କଟାଯାଇ ହତ୍ୟା କରାଯାଇଥିଲା । ପୁଲିସ ଏହି ୩ ଟି ଘଟଣାର ତଦନ୍ତ ସମୟରେ ୧୦୦ରୁ ଅଧିକ ବ୍ୟବସାୟିକ ସଂସ୍ଥାର ସିସିଟିଭି ଫୁଟେଜ ସଂଗ୍ରହ କରି ଯାଞ୍ଚ କରିଥିଲା । ଏହାପରେ ୨୦୧୯ ଅଗଷ୍ଟ ୨ ତାରିଖରେ ପୁଲିସ ଅଭିଯୁକ୍ତ ନୟାଗଡ ଜିଲ୍ଲା ଓଡଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ଗାଁର ତାରିଣୀ ମନ୍ଦିର ଛକରୁ ନାରାୟଣ ସାହୁକୁ ଗିରଫ କରିଥିଲା । ୨୪ ତାରିଖର ଦୁଇଟି ହତ୍ୟାକାଣ୍ଡ ପୂର୍ବ ଶତୃତାରୁ ହୋଇଥିଲା ଓ ଏହାର ଅଭିଯୁକ୍ତ ନାରାୟଣ ବୋଲି ପୁଲିସ ସୂଚନା ଦେଇଥିଲା । ଓଏମପି କଲେଜ ଛକ ଫ୍ଲାଇଓଭର କଡରେ ଝୁମ୍ପୁଡି କରି ରହୁଥିବା ନାରାୟଣ ରାସ୍ତା କଡରେ ପଡିଥିବା ଜରି, ପ୍ଲାଷ୍ଟିକ ବୋତଲ ଆଦି ଗୋଟାଇ ବିକ୍ରି କରୁଥିଲା ।

ହତ୍ୟାକାଣ୍ଡର କିଛିଦିନ ପୂର୍ବରୁ ନାରାୟଣର ମୃତକ ଦୁଇ ଜଣଙ୍କ ସହ ମନାନ୍ତର ହୋଇଥିଲା । ମୃତକଦ୍ୱୟ ତାଙ୍କ ଘର ପୋଡି ଦେବାକୁ ଧମକ ଦେଇଥିବାରୁ ପ୍ରତିଶୋଧ ପରାୟଣ ହୋଇ ନାରାୟଣ ଏହି ହତ୍ୟାକାଣ୍ଡ ଘଟାଇଛି ବୋଲି ସେ ସମୟରେ ପୁଲିସ ପକ୍ଷରୁ ସ୍ପଷ୍ଟିକରଣ ଦିଆଯାଇଥିଲା । ପୁଲିସ ଏହି ଦୁଇ ହତ୍ୟାକାଣ୍ଡରେ ନାରାୟଣକୁ ଅଭିଯୁକ୍ତ ଦର୍ଶାଇବା ସହ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆକୁ ମଧ୍ୟ ଜବତ କରିଥିଲା । ତେବେ ଏହି ୩ଟି ଯାକ ହତ୍ୟାକାଣ୍ଡରେ ଏକ ପ୍ରକାର ଧାରୁଆ ଅସ୍ତ୍ର ଛୁରୀ ବା କ୍ଷୁର ବ୍ୟବହାର ହୋଇଥିବା ଫରେନସିକ୍ ଓ ବ୍ୟବଚ୍ଛେଦ ରିପୋର୍ଟରେ ଦର୍ଶାଯାଇଥିବାରୁ ପୁଲିସ ପାଇଁ ବହୁତ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା, କାରଣ ପୁଲିସ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ର ଟାଙ୍ଗିଆ ବୋଲି ଦର୍ଶାଇଥିଲା । ସେହିପରି ପୁଲିସ ଏହି ଦୁଇ ହତ୍ୟାକାଣ୍ଡର ଯେଉଁ ସମୟ ଦର୍ଶାଉଛି ସେ ସମୟରେ ନାରାୟଣ କଟକ ନୁହେଁ ବରଂ ନୟାଗଡରେ ଥିଲା ବୋଲି ପରିବାର ପକ୍ଷରୁ ମଧ୍ୟ ଦାବି କରାଯାଇଥିଲା । ସେହିଦିନ ନାରାୟଣ ଗାଁରେ ଥିବା ପ୍ରମାଣ କରିବାକୁ ସେଠାକାର ବ୍ୟାଙ୍କ ଓ ମଦ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବାକୁ ମଧ୍ୟ ତାଙ୍କ ପତ୍ନୀ ଦାବି କରିଆସୁଛନ୍ତି । ମାତ୍ର ସେଥିପ୍ରତି କୌଣସି ଧ୍ୟାନ ଦିଆଯାଉ ନାହିଁ । ନାରାୟଣ ମାନସିକ ବିକାରଗସ୍ତ ବୋଲି ପ୍ରଥମରୁ ସନ୍ଦେହ କରାଯାଉଥିଲା । ମାତ୍ର ସେ ଗିରଫ ହେବା ପରଠାରୁ ଚୌଦ୍ୱାର ଜେଲରେ ରହିଥିଲେ ମଧ୍ୟ ସେଠାରେ ତାଙ୍କୁ ସେ ନେଇ କୌଣସି ଔଷଧ ଦିଆଯାଉ ନାହିଁ ଓ ତା’ର ବ୍ୟବହାର ମଧ୍ୟ ସ୍ୱାଭାବିକ ରହିଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *