ଆଉ ଆକ୍ୱାଗାର୍ଡ ବେପାର କରି ପାରିବେନି ସାଇରସ ମିସ୍ତ୍ରି
ନୂଆଦିଲ୍ଲୀ : ସାଇରସ ମିସ୍ତ୍ରି ଆଉ ଆକ୍ୱାଗାର୍ଡ କାରବାର କରିପାରିବେନି। ସାପୁରଜୀ ପାଲୋନଜୀ ଗ୍ରୁପର ମାଲିକାନା ହକ ଥିବା ଭାରତରେ ୱାଟର ପ୍ୟୁରିଫାୟର ଓ ଭାକ୍ୟୁମ କ୍ଲିନର ନିର୍ମାଣକାରୀ କମ୍ପାନୀ ୟୁରେକା ଫୋର୍ବସ ଏବେ ବିକ୍ରି ହେବାକୁ ଯାଉଛି। ମିଡିଆରୁ ମିଳୁଥିବା ସୂଚନା ଅନୁସାରେ ସାଇରସ ମିସ୍ତ୍ରିଙ୍କ ଏହି କମ୍ପାନୀକୁ ଆମେରିକାର ଘରୋଇ ଇକ୍ୱିଟି ଫାର୍ମ ଏଡଭେଣ୍ଟ ଇଣ୍ଟରନ୍ୟାସନାଲ କ୍ରୟ କରିପାରନ୍ତି। ୟୁରେକା ଫୋର୍ବସ୍ ବିକ୍ରିର କାରବାର ପ୍ରାୟ ୫ ହଜାର କୋଟି ଟଙ୍କା ହୋଇପାରେ ବୋଲି ଅନୁମାନ କରାଯାଉଛି। ଏହି କାରବାର ଲାଗି ସାପୁରଜୀ ପାଲୋନଜୀ ଏବେ ରଣନୈତିକ ବିକଳ୍ପ ଖୋଜୁଛନ୍ତି। ଏହି କାରବାର କରିବା ପାଇଁ ଏବେ ୟୁରେକା ଫୋର୍ବସକୁ ସାର୍ବଜନିକ ଲିମିଟେଡ ଫୋର୍ବସ ଏଣ୍ଡ କମ୍ପାନୀରୁ ପୃଥକ କରୁଛନ୍ତି। ଏଥିଲାଗି ଜାତୀୟ କମ୍ପାନୀ ଆଇନି ନ୍ୟାୟାଧିକରଣ (ଏନସିଏଲଟି)ଙ୍କ ଅନୁମତିକୁ ସାପୁରଜୀ ପାଲୋନଜୀ ଅପେକ୍ଷା କରିଛନ୍ତି।
ଆମେରିକୀୟ କମ୍ପାନୀ ସହ ଏହି କାରବାର ଚୂଡାନ୍ତ ହେଲେ ୧୫୪ବର୍ଷର ସାପୁର ପାଲୋନଜୀ ଗ୍ରୁପ ତାଙ୍କର ଋଣ ହ୍ରାସ କରିବାକୁ ସକ୍ଷମ ହେବେ ଓ କମ୍ପାନୀ କନଷ୍ଟ୍ରକ୍ସନ କାରବାରରେ ନିଜର ଧ୍ୟାନ କେନ୍ଦ୍ରିତ କରିପାରିବେ। ୧୯୮୦ ମସିହାରେ ୟୁରେକା ଫୋର୍ବସକୁ ଭାରତରେ ଇଲେକ୍ଟ୍ରୋଲକ୍ସ ଓ ଟାଟା ଗ୍ରୁପ ପ୍ରମୋଟ କରିଥିଲେ। ସାରା ବିଶ୍ୱର ୩୫ଟି ଦେଶରେ ଏହି କମ୍ପାନୀର ଏବେ ୨ କୋଟିରୁ ଅଧିକ ଗ୍ରାହକ ଅଛନ୍ତି। ଶାପୁରଜୀ ପାଲୋନଜୀ ଗ୍ରୁପ ଇଞ୍ଜିନିୟରିଂ ଓ କନଷ୍ଟ୍ରକ୍ସନ ସମେତ ଇନଫ୍ରାଷ୍ଟ୍ରକଚର, ରିୟଲଇଷ୍ଟେଟ୍, ୱାଟରପ୍ୟୁରିଫାୟର, ଏନର୍ଜୀ ଓ ଫାଇନାନସିଆଲ ସର୍ଭିସେସ୍ ଆଦି ୬ଟି ସେକ୍ଟରରେ କାର୍ଯ୍ୟ କରୁଛନ୍ତି। ଏହି କମ୍ପାନୀ ଆରବିଆଇ ବିଲ୍ଡିଂ, ଟାଟା ଗ୍ରୁପର ବିଲ୍ଡିଂ ସମେତ ତାଜମହଲ ଟାୱାର୍ସ ଓ ବ୍ୟାଙ୍କ ଅଫ ଇଣ୍ଡିଆ ବିଲ୍ଡିଂ ଆଦି ନିର୍ମାଣ କରିଛନ୍ତି।