ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଲଢ଼ିବୁ: ମାସୁଦ

କାବୁଲ: ଅଭେଦ୍ୟ ପଞ୍ଜଶିର ପ୍ରଦେଶକୁ ଅକ୍ତିଆର କରାଯାଇଛି ବୋଲି ତାଲିବାନ ଗୋଟିଏପଟେ ଦାବି କରୁଥିବାବେଳେ ଅନ୍ୟପଟରେ ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ (ଏନ୍‌ଆରଏଫ୍‌) ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏନ୍‌ଆରଏଫ୍ ନେତା ଅହମ୍ମଦ ମାସୁଦ ତାଲିବାନର ବିବୃତିକୁ ଅସ୍ୱୀକାର କରିବା ସହ କହିଛନ୍ତି ଯେ ଏବେମଧ୍ୟ ପଞ୍ଜ୍‌ଶିର ତାଲିବାନ ନିୟନ୍ତ୍ରଣକୁ ଯାଇନାହିଁ । ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ତାଲିବାନ ସହ ଲଢେଇ କରିବୁ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ପଞ୍ଜ୍‌ଶିରରେ ଲଢେଇ ଜାରି ରହିଛି ବୋଲି ମାସୁଦ ତାଙ୍କର ଫେସବୁକ୍ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ଏଥିସହିତ ତାଲିବାନ ବିରୋଧୀ ସଂଗ୍ରାମରେ ସାମିଲ ହେବାକୁ ମାସୁଦ ଆଫ୍‌ଗାନବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।
ପଞ୍ଜ୍‌ଶିରରେ ତାଲିବାନ ବିରୋଧୀ ଲଢେଇର ନେତୃତ୍ୱ ନେଉଥିବା ଅମରୁଲ୍ଲା ସାଲେହ୍ ଓ ଏନ୍‌ଆରଏଫ୍ ମୁଖ୍ୟ ଅହମ୍ମଦ ମାସୁଦ ବର୍ତ୍ତମାନ ପଡୋଶୀ ତାଜିକିସ୍ତାନକୁ ପଳାୟନ କରିଥିବା କୁହାଯାଇଛି । ତାଲିବାନକୁ ବିରୋଧ କରୁଥିବା ଏନ୍‌ଆରଏଫ୍ (ନ୍ୟାସନାଲ ରେଜିଷ୍ଟାନ୍ସ ଫ୍ରଣ୍ଟ୍‌)ର ମୁଖପାତ୍ର ଫହିମ ଦସ୍ତି ଓ କମାଣ୍ଡର ଅବଦୁଲ ଉଦୁଦ୍ ଜାରା ଏହି ଲଢେଇରେ ନିହତ ହୋଇଛନ୍ତି ବୋଲି ତାଲିବାନ ଦାବି କରିଛି । ତାଲିବାନଙ୍କ ବିଜୟ ପରେ ପଞ୍ଜ୍‌ଶିରରେ ବିଦ୍ୟୁତ ସରବରାହ ଓ ଇଣ୍ଟରନେଟ୍ ବ୍ୟବସ୍ଥାର ପୁନରୁଦ୍ଧାର କରାଯାଇଥିବା କୁହାଯାଇଛି । ରବିବାର ପଞ୍ଜ୍‌ଶିରକୁ ସେମାନେ ନିୟନ୍ତ୍ରଣକୁ ଆଣିଛନ୍ତି ବୋଲି ତାଲିବାନ ଦାବି କରିଥିବାବେଳେ ଏନ୍‌ଆରଏଫ୍ କିନ୍ତୁ ଏହାକୁ ଅସ୍ୱୀକାର କରିଥିଲା । ତେବେ ସୋମବାର ସମଗ୍ର ପଞ୍ଜ୍‌ଶିର ତାଲିବାନ ଅଧୀନକୁ ଆସିଯାଇଛି ବୋଲି ସେଠାରେ ତାଲିବାନ ଅଭିଯାନର ନେତୃତ୍ୱ ନେଉଥିବା ଡେପୁଟୀ କମାଣ୍ଡର ଅହମ୍ମଦୁଲ୍ଲା ୱାସିକ୍ ବୟାନ ଦେଇଛନ୍ତି । ରବିବାର ଲଢେଇରେ ପ୍ରାୟ ୬୦୦ ତାଲିବାନୀ ଯୋଦ୍ଧାଙ୍କୁ ନିପାତ କରାଯାଇଛି ବୋଲି ଏନ୍‌ଆରଏଫ୍ ପକ୍ଷରୁ କୁହାଯାଇଥିଲା । ଏହାବ୍ୟତୀତ ଆଉ ଏକ ହଜାର ତାଲିବାନୀ ସେମାନଙ୍କ ହାତରେ ବନ୍ଦୀ ରହିଥିବା ମଧ୍ୟ ଏନ୍‌ଆରଏଫ୍ ଦାବି କରିଥିଲା । ଏନ୍‌ଆରଏଫ୍ ସୈନ୍ୟଙ୍କ ପ୍ରକୋପରୁ ବର୍ତ୍ତିବାକୁ ତାଲିବାନ ଯୋଦ୍ଧାମାନେ ଇଲାକା ଛାଡି ପଳାୟନ କରିଥିବା ମଧ୍ୟ କୁହାଯାଇଥିଲା । ରବିବାର ଉଭୟପକ୍ଷ ନିଜ ନିଜର ସ୍ଥିତିକୁ ନେଇ ଦ୍ୱନ୍ଦ୍ୱାତ୍ମକ ବିବୃତି ଜାରି କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *