ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗକରି ରାସ୍ତା ଅବରୋଧ କଲେ ଶତାଧିକ ଲୋକେ
ମୋହନା : ଗଜପତି ଜ଼ିଲ୍ଲା ଆର.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଏକ ରୋଗୀଙ୍କ ମୃତ୍ୟୁ ହେବାପରେ ସେଠାରେ ତୁମୁଳ କାଣ୍ଡ ଘଟିଥିବା ଦେଖିବାକୁ ମିଳିଛି l ଚିକିତ୍ସା ଅଭାବ ତଥା ଡାକ୍ତରଙ୍କ ଅନୁପସ୍ଥିତି ଅଭିଯୋଗରେ ଶତାଧିକ ଲୋକ ମୋହନା-ପାରଳାଖେମୁଣ୍ଡି ଜାତୀୟ ରାଜପଥକୁ ଆର. ଉଦୟଗିରି ଠାରେ ଅବରୋଧ କରିଛନ୍ତି l ଫଳରେ ଉକ୍ତ ରାସ୍ତାରେ ଯାନବାହନ ଚଳାଚଳ ସମ୍ପୂର୍ଣ ବନ୍ଦ ରହିଛି l ସୂଚନା ମିଳିଥିବା ଅନୁସାରେ ଆର. ଉଦୟଗିରି ଖ୍ରୀଷ୍ଟିଆନ ସାହିର ରାଜେନ୍ଦ୍ର ଜେନାଙ୍କ ଦେହଖରାପ ହେବାପରେ ତାଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା l କିନ୍ତୁ ସେ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ବି ଡାକ୍ତର ଉପସ୍ଥିତ ନଥିଲେ l ଚିକିତ୍ସାରେ ଅବହେଳା କାରଣରୁ ରୋଗୀ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି l ଅଭିଯୋଗ କରି ରାସ୍ତା ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରିଛନ୍ତି ଲୋକେ l ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାଁନ୍ତି l