ଠକଙ୍କ କବ୍ଜାରେ ରାଜଧାନୀ !
ଭୁବନେଶ୍ବର: ପୂର୍ବତଟ ରେଳପଥରେ ଚାକିରି ନାଁରେ ବଡ଼ ଧରଣର ଠକେଇ ମାମଲାରେ ଧରାପଡ଼ିଥିବା ଠକ ଶଳା-ଭିଣୋଇଙ୍କ ରାକେଟ୍ରେ ରେଳ ବିଭାଗର ଏକାଧିକ ଅଧିକାରୀ ବା କର୍ମଚାରୀଙ୍କ ସଂପୃକ୍ତି ଥିବା ସନ୍ଦେହ ଘନୀଭୂତ ହେବାରେ ଲାଗିଛି। ପ୍ରଥମରୁ ବିନା ତଦନ୍ତରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ ରେଳ ବିଭାଗର କୌଣସି କର୍ମଚାରୀଙ୍କ ଏହି ଠକେଇରେ ସାମିଲ ନାହାନ୍ତି ବୋଲି ତରବରିଆ ଭାବେ ସଫେଇ ଦେଇଥିଲେ। ମାତ୍ର ଜଣେ ଚାକିରି ଆଶାୟୀ ଯୁବକଙ୍କୁ ନେଇ ଜଟଣୀସ୍ଥିତ ଖୋର୍ଦ୍ଧା ରୋଡ୍ ମେଡିକାଲରେ ସ୍ବାସ୍ଥ୍ୟ ଯାଞ୍ଚ କରାଇବା, ପଶ୍ଚିମବଙ୍ଗର କଲ୍ୟାଣୀ ଷ୍ଟେସନ ଓ ଝାଡ଼ଖଣ୍ଡର ଧାନବାଦ ଷ୍ଟେସନରେ ଡ୍ୟୁଟି ଦିଆଯିବା ଆଦି ସଂପର୍କରେ ଆଜି ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ରେଳ ବିଭାଗରେ ଏହାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ଖୋର୍ଦ୍ଧା ରୋଡ୍ ମେଡିକାଲରେ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବ୍ୟକ୍ତି ମେଡିକାଲର କେଉଁ କର୍ମଚାରୀ ଠକ ସହ ସଂପୃକ୍ତ? ମେଡିକାଲ ପରୀକ୍ଷା ପାଇଁ କାଗଜପତ୍ର କିଏ ତିଆରି କଲା? ଷ୍ଟେସନରେ ୟୁନିଫର୍ମ ପିନ୍ଧି ନିଯୁକ୍ତିପତ୍ର ଓ ଡ୍ୟୁଟି ଦେଇଥିବା ବ୍ୟକ୍ତି ରେଲଓ୍ଵେର ଅଧିକାରୀ କି? ଯଦି କେହି ଅଧିକାରୀ ସମ୍ପୃକ୍ତ ଅଛନ୍ତି ସେମାନେ କେଉଁଠି କାମ କରନ୍ତି? ଏଭଳି ଏକାଧିକ ପ୍ରଶ୍ନ ଏବେ ସାମ୍ନାକୁ ଆସିଥିବାରୁ ଏହାକୁ ନେଇ ଅଡ଼ୁଆରେ ପଡ଼ି ଯାଇଛନ୍ତି ରେଳବାଇ କର୍ତ୍ତୃପକ୍ଷ। ତଦନ୍ତକାରୀ ପୁଲିସ ମଧ୍ୟ ରେଳ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହରେ ତଦନ୍ତ ଚଳାଇଛି। ପୂରା ରାକେଟର ପର୍ଦ୍ଦାଫାସ୍ କରିବା ଲାଗି ଗିରଫ ହୋଇଥିବା ଠକ ସମରଜିତ୍ ଓ ତାର ଶଳା ସୌମ୍ୟରଞ୍ଜନକୁ ଖୁବଶୀଘ୍ର ରିମାଣ୍ଡରେ ଅଣାଯିବ ବୋଲି ଜଣାପଡ଼ିଛି। ଆସନ୍ତାକାଲି ଏ ନେଇ ଏସଡିଜେଏମ୍ କୋର୍ଟରେ ରିମାଣ୍ଡ ଆବେଦନ କରିବ ପୁଲିସ। ଉଭୟଙ୍କୁ ୫ ଦିନିଆ ରିମାଣ୍ଡରେ ଆଣି ଖୋଳତାଡ଼ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।