ରାହୁଲ ଗାନ୍ଧୀଙ୍କ ମଧ୍ୟ ହୋଇଛି ଫୋନ ଟ୍ୟାପିଂ, ଗୃହ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ଅମିତ୍ ଶାହା
ନୂଆଦିଲ୍ଲୀ : ଇସ୍ରାଏଲର ପେଗାସସ ସଫ୍ଟଓୟାର ଜରିଆରେ ଫୋନ୍ ଟ୍ୟାପିଂକୁ ନେଇ କଂଗ୍ରେସ ମୋଦୀ ସରକାରଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛି। ଫୋନ ଟ୍ୟାପିଂ ରିପୋର୍ଟ ସାମ୍ନାକୁ ଆସିବା ପରେ ଦେଶ ରାଜନୀତିରେ ଝଡ ସୃଷ୍ଟି ହୋଇଛି। ସରକାର ଗଣତନ୍ତ୍ର ସହିତ ଖେଳୁଥିବା କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ଵାଲା ଅଭିଯୋଗ କରିଛନ୍ତି। ସୁରଜେଓ୍ଵାଲା କହିଛନ୍ତି, ଏହି ଘଟଣା ପରେ ବିଜେପିକୁ ଏବେ ନିଜର ନାମ ବଦଳାଇ ଭାରତୀୟ ଜାସୁସି ପାର୍ଟି ରଖିବା ଉଚିତ୍। ଲୋକେ ଏବେ କହୁଛନ୍ତି ଯେ, ବିଜେପି ଏକ ଦେଶଦ୍ରୋହୀ ଜାସୁସ ସରକାର। ମୋଦୀ ସରକାରଙ୍କ ଏହା ଡିଜିଟାଲ୍ ଇଣ୍ଡିଆ ନୁହେଁ ବରଂ ସର୍ଭିଲାନ୍ସ ଇଣ୍ଡିଆ। ସୁରଜେଓ୍ଵାଲା କହିଛନ୍ତି, ରାହୁଲ ଗାନ୍ଧୀ, ତାଙ୍କ କର୍ମଚାରୀ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ସାମ୍ବାଦିକ ଓ କାର୍ଯ୍ୟକର୍ତ୍ତାଙ୍କ ଫୋନ ଟ୍ୟାପିଂ କରାଯାଇଛି। କେନ୍ଦ୍ର ସରକାର କେବଳ ରାହୁଲ ଗାନ୍ଧୀଙ୍କ ଗୁଇନ୍ଦାଗିରି କରି ନାହାନ୍ତି ବରଂ ବିରୋଧୀ ଦଳର ଅନେକ ନେତାଙ୍କ ଗୁଇନ୍ଦାଗିରି କରିଛନ୍ତି। ଏଥିରେ ରାଜ୍ୟସଭା ସାଂସଦ ମଲ୍ଲିକାର୍ଜୁନ ଖଡଗେ ଓ ଅଧୀର ରଞ୍ଜନ ଚୌଧୁରୀଙ୍କ ନାମ ସାମିଲ। ଗୁଇନ୍ଦାଗିରିରେ ଏସବୁ ନେତାଙ୍କ ନାମ ଆସିବା ପରେ କଂଗ୍ରେସ ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଇସ୍ତଫା ଦାବି କରିଛି। ସ୍ଵରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ କରି ଦେବା ଉଚିତ୍ ବୋଲି କଂଗ୍ରେସ କହିଛି।