ମାଛ ଚାଷ କରି ଉଦାହରଣ ସାଜିଲେ ୪୫ ଏସ୍‌ଏଚ୍‌ଜି, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ଭୁବନେଶ୍ୱର : କୋଭିଡ୍ ମହାମାରୀ ସମୟରେ ରାଜ୍ୟର ପ୍ରାୟ ଅଧିକାଂଶ ଘରେ ଆର୍ଥିକ ସ୍ଥିତି ଦୋହଲି ଯାଇଥିଲାବେଳେ କେନ୍ଦ୍ରାପଡ଼ାର ୪୫ ମହିଳା ସ୍ୱୟଂସହାୟକ ଗୋଷ୍ଠୀ(ଏସ୍‌ଏସ୍‌ଜି) ତାହାକୁ ଭୁଲ ପ୍ରମାଣିତ କରିଛନ୍ତି । ନୂତନ ଜ୍ଞାନକୌଶଳ ‘ବାୟୋଫ୍ଲକ୍‌’ ବା ‘ଜୈବପୁଞ୍ଜ’ ପଦ୍ଧତିକୁ ଅନୁସରଣ କରି ସେମାନେ ମାଛ ଚାଷ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ଜିଲ୍ଲାରୁ ବିଭିନ୍ନ ସ୍ତରରୁ ଏହି କାର୍ଯ୍ୟକୁ ପସନ୍ଦ କରିଥିଲାବେଳେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ପୃକ୍ତ ଏସ୍‌ଏଚ୍‌ଜି ଗୋଷ୍ଠୀଙ୍କୁ ପ୍ରଶଂସା କରିଛନ୍ତି।
ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟ୍ୱିଟ୍ କରି କହିଛନ୍ତି ଯେ, ‘କୋଭିଡ୍ ସ୍ଥିତିରେ କେନ୍ଦ୍ରାପଡ଼ାର ୪୫ ଏସ୍‌ଏଚ୍‌ଜି ମହିଳା ମାଛ ଚାଷ ଜରିଆରେ ସଫଳତା ହାସଲ କରି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି । ଏହାଦ୍ୱାରା ସମ୍ପୃକ୍ତ ଏସ୍‌ଏଚ୍‌ଜି ମହିଳାଙ୍କ ଅର୍ଥନୈତିକ ଉନ୍ନତି ସହ ଆତ୍ମନିର୍ଭରଶୀଳତା ବୃଦ୍ଧି କ୍ଷେତ୍ରରେ ସଫଳ ସାବ୍ୟସ୍ତ ହୋଇଛି । ଅନ୍ୟ ଜିଲ୍ଲାର ମହିଳାମାନେ ଏହାଦ୍ୱାରା ଅନୁପ୍ରାଣିତ ହେବେ । ‘ବାୟୋଫ୍ଲକ୍‌’ ପଦ୍ଧତି ଉପଯୋଗୀ ହୋଇ ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମିଳିଥିବା ସୂଚନାନୁସାରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ‘ମିଶନ ଶକ୍ତି’ ଜରିଆରେ ଅନେକ କାର୍ଯ୍ୟ ହାତକୁ ନେଇଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାରେ ୯ଟି ବ୍ଲକ ଓ ଦୁଇଟି ପୌରାଞ୍ଚଳରେ ୪୫ ମହିଳା ମାଛ ଚାଷ କରି ବେଶ୍ ରୋଜଗାର କରିପାରିଛନ୍ତି । ଘର ଅଗଣାରେ ଜୈବପୁଞ୍ଜ ପ୍ରଣାଳୀରେ କୁଣ୍ଡରେ ମାଛ ଚାଷ କରି ନିଜେ ମାଛ ଖାଇବା ସହିତ ବିକ୍ରିକରି ଭଲ ଲାଭବାନ ହୋଇଛନ୍ତି । ମହିଳାମାନେ ନିଜ ଘରକାମ ଓ ପିଲାଙ୍କ ପାଠପଢା ସାରିବା ପରେ ଅଳ୍ପ ସମୟ ଦେଇ ନିଜ ଘର ଅଗଣା କିମ୍ବା ବାଡ଼ିରେ ଜୈବପୁଞ୍ଜ ପ୍ରଣାଳୀରେ ମାଛଚାଷ କରିଛନ୍ତି ।

ଏହି ମାଛକୁଣ୍ଡରେ ରୋହି, ଭାକୁର, କଉ, ଜଳଙ୍ଗ ଓ ରୁପଚାନ୍ଦି ଭଳି ମାଛଚାଷ କରୁଛନ୍ତି । ଜୈବପୁଞ୍ଜ ପ୍ରଣାଳୀରେ ମାଛଚାଷ କରୁଥିବା ମାଛ ଚାଷୀଙ୍କୁ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ତାଲିମ ପ୍ରଦାନ କରାଯିବା ସହିତ ସବ୍‌ସିଡ଼ି ପ୍ରଦାନ କରାଯାଉଛି । କେବଳ ମହିଳା ନୁହଁନ୍ତି କେନ୍ଦ୍ରାପଡା ଜିଲ୍ଲାରେ ସାଧାରଣ ଲୋକେ ମଧ୍ୟ ଏଥିପ୍ରତି ଅଧିକ ଆଗ୍ରହ ହେଉଥିବା ଦେଖିବାକୁ ମିଳୁଛି । ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗ ପକ୍ଷରୁ ଅନୁସୂଚୀତ ଜାତି ଓ ଜନଜାତି ବର୍ଗ ଏବଂ ମହିଳାଙ୍କ ପାଇଁ ଶତକଡ଼ା ୬୦ ଭାଗ ସବ୍‌ସିଡ଼ି ଏବଂ ସାଧାରଣ ବର୍ଗଙ୍କ ପାଇଁ ଶତକଡ଼ା ୪୦ ଭାଗ ସବସିଡ଼ି ପ୍ରଦାନ କରୁଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *