ବାତ୍ୟା ସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ, ‘ପ୍ରତିଟି ଜୀବନ ବଞ୍ଚାଇବା ପାଇଁ ଗୁରୁତ୍ୱ ଦିଅ’

ଭୁବନେଶ୍ୱର : “ଏକାଠି ଲଢିବା ଓ ନିଶ୍ଚୟ ଜିତିବା । ବଡ଼ ବିପଦର ସମ୍ମୁଖୀନ ହୋଇ ସଫଳ ହେବା । ପ୍ରତିଟି ଅମୁଲ୍ୟ ଜୀବନକୁ ବଞ୍ଚାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିବା । ବାତ୍ୟା ମୁକାବିଲା ସ୍ଥିତିର ସମୀକ୍ଷା କରି ମଙ୍ଗଳବାର ଭିଡ଼ିଓ କନଫରେନସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶାସନକୁ ଏହି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରତିଟି ଜୀବନ ଆମ ପାଇଁ ମୂଲ୍ୟବାନ ଓ ଏଭଳି ବିପଦ ସମୟରେ ଜନସାଧାରଣଙ୍କୁ ବଞ୍ଚାଇବା ଆମର ପ୍ରଧାନ ଦାୟିତ୍ୱ । ସେଥିପାଇଁ ବାତ୍ୟା ପ୍ରଭାବିତ ଉପକୂଳ ଜିଲ୍ଲାରୁ ଲୋକଙ୍କୁ ସ୍ଥାନାନ୍ତର କରିବା ଉପରେ ଅଧିକ ଗୁରୁତ୍ୱ ଦିଆ ଯାଇଛି । ତେଣୁ ପ୍ରତି ମୁହୂର୍ତ୍ତରେ ବାତ୍ୟାର ଅଗ୍ରଗତି ନିରୀକ୍ଷଣ କରି ଆବଶ୍ୟକ ପଦକ୍ଷେପ ନେବା ଦରକାର । ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡିଶା ସବୁବେଳେ ଭଲ କାମ କରିଆସିଛି । ଏହି ବିପଦ ସମୟରେ ସାଧାରଣଙ୍କ ଠାରୁ ଆରମ୍ଭ କରି ପଞ୍ଚାୟତ ପ୍ରତିନିଧି ବନ୍ଧୁମାନେ ଓ ନାଗରିକ ସମାଜର ବନ୍ଧୁମାନେ ସମସ୍ତେ ସରକାରଙ୍କୁ ପୁରା ସହଯୋଗ ଦେଇ ଆସିଛନ୍ତି । ତେଣୁ ଏଥର ମଧ୍ୟ ଆମେ ସମସ୍ତେ ମିଶି ଏ ଦୁଇ ବିପଦ ବିରୁଦ୍ଧରେ ଏକାଠି ଲଢିବା ଓ ନିଶ୍ଚୟ ଜିତିବା ବୋଲି ଶ୍ରୀ ପଟ୍ଟନାୟକ ଦୃଢ ବିଶ୍ୱାସ ପ୍ରକଟ  କରିଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ‘ସାଇକ୍ଲୋନ ମନିଟରିଙ୍ଗ ଡାଶ ବୋର୍ଡ’ ଠିକ ଭାବେ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ । ବର୍ତ୍ତମାନ ସୁଦ୍ଧା ୨.୫ ଲକ୍ଷ ଲୋକଙ୍କୁ ଉପକୂଳବର୍ତ୍ତୀ ତଳୁଆ ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି । ଆହୁରି ବି ହେବେ । ଏଥିସହ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ରିଲିଫ ବଣ୍ଟନ କାର୍ଯ୍ୟ ଚାଲିଥିବା ସ୍ପଷ୍ଟ କରିଥିଲେ ।   ଉନ୍ନୟନ କମିଶନର ତଥା ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପି. କେ ଜେନା କହିଥିଲେ, ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଆଧାରରେ ୨୬ ତାରିଖରେ ବାଲେଶ୍ୱର ଜିଲ୍ଲା ବାହାନଗା ଓ ବାସୁଦେବପୁର ମଧ୍ୟ ଭାଗରେ ବାତ୍ୟା ‘ଲ୍ୟାଣ୍ଡଫଲ’ କରିବ ବୋଲି ଆକଳନ କରାଯାଇଛି । ତେଣୁ ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର, ରିଲିଫ, ପାନୀୟ ଜଳ ଯୋଗାଣ, କୋଭିଡ ହସ୍ପିଟାଲରେ ଆବଶ୍ୟକ ଶଯ୍ୟା, ଅକ୍ସିଜେନ ଯୋଗାଣ ଓ ବିଦ୍ୟୁତ୍ ସେବା ଯୋଗାଇବା ଉପରେ କାର୍ଯ୍ୟ ଚାଲିଛି । ଆମେ ନିଜର ପ୍ରସ୍ତୁତିକୁ ଚୂଡାନ୍ତ କରୁଛୁ ଏବଂ ସେଥିରେ ସଫଳ ହେବୁ ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ ।

ଶେଷରେ ମୁଖ୍ୟମନ୍ତ୍ରୀ ସବୁ ଶୁଣିଲା ପରେ “ଜିରୋ କାଜୁଆଲଟି’ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ । ଉଲ୍ଲେଖନୀୟ ଯେ, ଗତକାଲି ଅର୍ଥାତ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ସମୟରେ ଦୁଇଟି ‘କୋଭିଡ ଓ ବାତ୍ୟା ୟଶ’ ଭଳି ବିପଦର ସମ୍ମୁଖୀନ କରୁଛୁ ବୋଲି ପ୍ରକାଶ କରିଥିଲେ । ସେ କହିଥିଲେ, ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ଦରକାର । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରରେ ପ୍ରଶାସନକୁ ପୁରା ସହଯୋଗ କରନ୍ତୁ । ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରିବା ସହ ଡବଲ ବିପଦ ପାଇଁ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *