ଆବୁ ଧାବିରେ ପ୍ରବାସୀ ଓଡ଼ିଆ ସମାଜର ରଜ ଉତ୍ସବ ୨୦୨୬

ଆବୁ ଧାବିରେ ପ୍ରବାସୀ ଓଡ଼ିଆ ସମାଜର “ରଜ ଉତ୍ସବ ୨୦୨୬”

ଆବୁଧାବି/ଭୁବନେଶ୍ୱର ୨୨-୦୬-୨୦୨୬(ବି .ଏନ .ଓ ) : (ରିପୋର୍ଟ: ବିଶ୍ୱ ରଞ୍ଜନ):- ପ୍ରବାସୀ ଓଡ଼ିଆ ସମାଜ ଆବୁ ଧାବି (POSA) ପକ୍ଷରୁ ରାଜଧାନୀ ଆବୁ ଧାବିରେ ରଜ ଉତ୍ସବ ୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ଓଡ଼ିଆ ପରିବାର ଏକତ୍ରିତ ହୋଇ ରଜ ପର୍ବର ଆନନ୍ଦ ଉପଭୋଗ କରିଥିଲେ। କାର୍ଯ୍ୟକ୍ରମର ଶୁଭାରମ୍ଭ ମଙ୍ଗଳାଚରଣ ଓ ପାରମ୍ପରିକ ରୀତିନୀତି ସହ ହୋଇଥିଲା। ଏହାପରେ ରଜ ପର୍ବର ଐତିହ୍ୟ, ନାରୀତ୍ୱର ସମ୍ମାନ, ପ୍ରକୃତି ପ୍ରତି କୃତଜ୍ଞତା ଏବଂ ଓଡ଼ିଆ ସଂସ୍କୃତିରେ ଏହାର ଅନନ୍ୟ ସ୍ଥାନ ସମ୍ପର୍କରେ ଆଲୋକପାତ କରାଯାଇଥିଲା। ଉତ୍ସବରେ ଶିଶୁ, ଯୁବକ ଓ ବୟସ୍କମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟ, ସଙ୍ଗୀତ ଓ ରଜଗୀତ ପରିବେଷଣ କରାଯାଇଥିଲା। ଓଡ଼ିଶାର ପ୍ରମୁଖ ପର୍ବପର୍ବାଣୀ ଯଥା ରଥଯାତ୍ରା, ନୂଆଖାଇ, ଦୁର୍ଗାପୂଜା, ମାଣବସା ଗୁରୁବାର, କୁମାର ପୂର୍ଣ୍ଣିମା, ପ୍ରଥମାଷ୍ଟମୀ ଓ ରଜ ପର୍ବ ଉପରେ ଆଧାରିତ ନୃତ୍ୟାନୁଷ୍ଠାନ ଦର୍ଶକମାନଙ୍କ ମନ ଜିଣିଥିଲା।

ରଜ ଉପଲକ୍ଷେ ପାରମ୍ପରିକ ପିଠା ପ୍ରତିଯୋଗିତା, ମହିଳାମାନଙ୍କ ପାଇଁ ସଜବାଜ ପ୍ରତିଯୋଗିତା ଏବଂ ଶିଶୁମାନଙ୍କ ପାଇଁ ବିଭିନ୍ନ ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ପାରମ୍ପରିକ ଓଡ଼ିଆ ପିଠା ଓ ଖାଦ୍ୟର ସ୍ୱାଦ ଉପସ୍ଥିତ ଅତିଥିମାନଙ୍କୁ ନିଜ ମାଟିର ସ୍ମୃତିକୁ ଫେରାଇ ନେଇଥିଲା।ଏହି ବୃହତ୍ ସାଂସ୍କୃତିକ ଆୟୋଜନର ସଫଳତା ପଛରେ POSA ର ସକ୍ରିୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସତ୍ୟଜିତ ସାହୁ, ଶ୍ରୀମତୀ ଶିବାନୀ କର, ଶ୍ରୀ ସୂରଜ କୁମାର ପରିଡ଼ା, ଶ୍ରୀ ପ୍ରଭାତ ଗିରି, ଶ୍ରୀ ରାକେଶ ସାହୁ ଓ ଶ୍ରୀ ପ୍ରକାଶ ମିଶ୍ରଙ୍କ ଉଲ୍ଲେଖନୀୟ ଭୂମିକା ରହିଥିଲା। ସଂଗଠନର ପରାମର୍ଶଦାତା ଶ୍ରୀ ଜ୍ଞାନ ମହାନ୍ତି, ଶ୍ରୀମତୀ ମୌସୁମୀ ମହାନ୍ତି ଏବଂ ଶ୍ରୀ ସୁଶିମ ଅମିତାଭ ସ୍ୱାଇଁ ଏହି ଆୟୋଜନକୁ ସଫଳ କରିବାରେ ମାର୍ଗଦର୍ଶନ ଓ ସହଯୋଗ ପ୍ରଦାନ କରିଥିଲେ।

ବିଶେଷ କରି ମଞ୍ଚ ପରିଚାଳନା ଓ ସମନ୍ୱୟ ଦାୟିତ୍ୱକୁ ଶ୍ରୀ ସୂରଜ କୁମାର ପରିଡ଼ା ଓ ଶ୍ରୀମତୀ ଶିବାନୀ କର ଦକ୍ଷତାର ସହ ପରିଚାଳନା କରି କାର୍ଯ୍ୟକ୍ରମକୁ ସୁଚାରୁ ଓ ଆକର୍ଷଣୀୟ କରିଥିଲେ। POSA ର କର୍ମକର୍ତ୍ତାମାନେ କହିଥିଲେ ଯେ, ପ୍ରବାସରେ ରହୁଥିବା ନୂତନ ପିଢ଼ିଙ୍କ ମଧ୍ୟରେ ଓଡ଼ିଆ ଭାଷା, ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ଏବଂ ସମାଜ ମଧ୍ୟରେ ଏକତା ଓ ଭାତୃତ୍ୱ ଭାବ ବୃଦ୍ଧି କରିବା ଏହିଭଳି ଆୟୋଜନର ମୂଳ ଉଦ୍ଦେଶ୍ୟ। ପରିଶେଷରେ ସମସ୍ତ ଅତିଥି, ଅଂଶଗ୍ରହଣକାରୀ, ଏବଂ POSA ପରିବାରର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *