ଥାନାଠୁ ୫୦୦ ମିଟର ଦୂରରେ ହାଣିଲେ: ୧୦ ଲକ୍ଷର ସୁନା ଅଳଙ୍କାର ଲୁଟିନେଲେ, ଡାକ୍ତରଖାନାରେ ଗୁରୁତର ମହିଳା କର୍ମଚାରୀ
ଥାନାଠୁ ୫୦୦ ମିଟର ଦୂରରେ ହାଣିଲେ: ୧୦ ଲକ୍ଷର ସୁନା ଅଳଙ୍କାର ଲୁଟିନେଲେ, ଡାକ୍ତରଖାନାରେ ଗୁରୁତର ମହିଳା କର୍ମଚାରୀ
କନ୍ଦରପୁର-ଆୟତ୍ତପୁର ରାସ୍ତାରେ ଏକ ସୁନାଦୋକାନର ମହିଳା କର୍ମଚାରୀଙ୍କ ମୁଣ୍ଡକୁ ଭୁଜାଲିରେ ହାଣିବା ସହ ଦୋକାନ ମାଲିକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ରାତିରେ କନ୍ଦରପୁର ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଛନ୍ତି।
କନ୍ଦରପୁର ୨୬-୧୦-୨୦୨୫(ବି.ଏନ .ଓ ) : କନ୍ଦରପୁର-ଆୟତ୍ତପୁର ରାସ୍ତାରେ ଏକ ସୁନାଦୋକାନର ମହିଳା କର୍ମଚାରୀଙ୍କ ମୁଣ୍ଡକୁ ଭୁଜାଲିରେ ହାଣିବା ସହ ଦୋକାନ ମାଲିକଙ୍କଠାରୁ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନାଗହଣା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଶୁକ୍ରବାର ରାତିରେ କନ୍ଦରପୁର ଥାନାଠାରୁ ମାତ୍ର ୫ଶହ ମିଟର ଦୂରରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ କରିଛନ୍ତି। ଅଭିଯୋଗ ମୁତାବକ, କନ୍ଦରପୁର ବଜାରରେ ଷ୍ଟେଟ୍ବ୍ୟାଙ୍କ ପାଖ ମାର୍କେଟ୍ କମ୍ପ୍ଲେକ୍ସରେ କଟକ ବିଦ୍ୟାଧରପୁର ଅଞ୍ଚଳର ଜଣେ ବ୍ୟକ୍ତିଙ୍କର ସଂଯୁକ୍ତା ଜୁଏଲାରି ନାମକ ଏକ ସୁନା ଅଳଙ୍କାର ଦୋକାନ ରହିଛି। ଆଜି ରାତି ୯ଟା ପରେ ମାଲିକ ଦୋକାନ ବନ୍ଦ କରି ସାଙ୍ଗରେ ଦୋକାନର ସୁନା ଅଳଙ୍କାର ଓ ନଗଦ ଟଙ୍କା ଧରି ଘରକୁ ବାହାରିଥିଲେ।
ସବୁଦିନ ପରି ଦୋକାନର ମହିଳା କର୍ମଚାରୀ ଆୟତ୍ତପୁର ବଢ଼େଇସାହିର ମାମିନା ମହାରଣାଙ୍କୁ ବାଇକ୍ରେ ବସାଇ ତାଙ୍କୁ ଘରେ ଛାଡ଼ିବାକୁ ସେ ବାହାରିଥିଲେ। କନ୍ଦରପୁର-ଆୟତ୍ତପୁର ରାସ୍ତାରେ ଦୁହେଁ ଯାଉଥିବା ବେଳେ ବୁଣାସାହି ଓ ମଲ୍ଲିକସାହି ମଝି ନିଛାଟିଆ ରାସ୍ତାରେ ପୂର୍ବରୁ ଛକି ରହିଥିବା ୪ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ତେବେ ସେ ନ ଅଟକିବାରୁ ଦୁର୍ବୃତ୍ତମାନେ ପଛରୁ ଗୋଡ଼ାଇ ଗାଡ଼ି ପଛରେ ବସିଥିବା ମାମିନାଙ୍କ ମୁଣ୍ଡକୁ ଭୁଜାଲିରେ ଚୋଟ ପକାଇଥିଲେ। ମାମିନା ପଡ଼ିଯିବାରୁ ଦୁର୍ବୃତ୍ତମାନେ ସେମାନଙ୍କଠାରୁ ସୁନା ଅଳଙ୍କାର ଓ ଟଙ୍କା ଥିବା ବ୍ୟାଗ୍ ଛଡ଼ାଇନେଇ ପଳାଇଥିଲେ। ଖବର ପାଇ କନ୍ଦରପୁର ପୁଲିସ ଘଟଣାସ୍ଥଳରୁ ଗୁରୁତର ମାମିନାଙ୍କୁ ଉଦ୍ଧାର କରି କଟକ ବଡ଼ଡାକ୍ତରଖାନା ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି

