କଟକ ରାଜନୀତିରେ ବିଚିତ୍ର ସ୍ଥିତି

କଟକ ରାଜନୀତିରେ ବିଚିତ୍ର ସ୍ଥିତି

  • ସବୁ ଦଳ ଭାଗ ଭାଗ
  • ଗୋ‌ଷ୍ଠୀ କନ୍ଦଳ ତୀବ୍ର

କଟକ ରାଜନୀତି‌ ଏବେ ବଡ଼ ବିଚିତ୍ର ସ୍ଥିତିରେ ଗତି କରୁଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ଭାଗ ଭାଗ ହେବାରେ ଲାଗିଛି। ଉଭୟ ଶାସକ ଓ ବିରୋଧୀ ଦଳରେ ତୀବ୍ର ଗୋଷ୍ଠୀ କନ୍ଦଳ କର୍ମୀମାନଙ୍କୁ ହତାଶ କରୁଥିବା ବେଳେ ନିକଟ ଭବିଷ୍ୟତ‌ରେ ଏଭଳି

କଟକ ୨୪-୦୩-୨୦୨୫(ବି.ଏନ .ଓ ) :ବିଜୟ କୁମାର ପଣ୍ଡା :- ଟକ ରାଜନୀତି‌ ଏବେ ବଡ଼ ବିଚିତ୍ର ସ୍ଥିତିରେ ଗତି କରୁଛି। ତିନି ପ୍ରମୁଖ ଦଳ ବିଜେଡି, ବିଜେପି, କଂଗ୍ରେସ ଭାଗ ଭାଗ ହେବାରେ ଲାଗିଛି। ଉଭୟ ଶାସକ ଓ ବିରୋଧୀ ଦଳରେ ତୀବ୍ର ଗୋଷ୍ଠୀ କନ୍ଦଳ କର୍ମୀମାନଙ୍କୁ ହତାଶ କରୁଥିବା ବେଳେ ନିକଟ ଭବିଷ୍ୟତ‌ରେ ଏଭଳି ସ୍ଥିତିରେ ବଡ଼ଧରଣର ପରିବର୍ତ୍ତନ ଘଟିବ ବୋଲି ଆଶା ମଧ୍ୟ କରି ହେଉନାହିଁ। ସାଧାରଣ ନିର୍ବାଚନ ଫଳାଫଳ କଟକ ସହରାଞ୍ଚଳରେ ତିନି ପ୍ରମୁଖ ଦଳଙ୍କୁ ଏକପ୍ରକାର ଗୋଟିଏ ଧାଡ଼ିରେ ଛିଡ଼ା କରିଥିଲା। ବାରବାଟୀ-କଟକ ବିଧାନସଭା ଆସନ କଂଗ୍ରେସ ହାତକୁ ଯାଇଥିବା ବେଳେ ଚୌଦ୍ବାର-କଟକ ବିଜେଡି ହାତକୁ ଏବଂ ସଦର-କଟକ ବିଜେପି ହାତକୁ ଯାଇଥିଲା। କିନ୍ତୁ ଏଭଳି ଫଳାଫଳ ତିନିଟିଯାକ ଦଳରେ ବରିଷ୍ଠ ନେତାଙ୍କୁ ଏକାଠି କରିବା ବଦଳରେ ତୀବ୍ର ଗୋଷ୍ଠୀ କନ୍ଦଳକୁ ହାୱା ଦେଇ ଚାଲିଛି। ବାରବାଟୀ-କଟକକୁ କଂଗ୍ରେସ ଗଲା ଦୁଇଟି ସାଧାରଣ ନିର୍ବାଚନରେ କବ୍‌ଜା କରି ରଖି ଆସିଥିଲେ ବି ଏଠି ପ୍ରମୁଖ ନେତାମାନେ ଏକାଠି ହୋଇପାରୁ ନାହାନ୍ତି। ବରିଷ୍ଠ ନେତା ଇଂଜିନିୟର ମହମ୍ମଦ ମୋକିମ, ସୁରେଶ ମହାପାତ୍ର, ରବି ମଲ୍ଲିକ, ମାନସ ଚୌଧୁରୀଙ୍କ ଶିବିର ପରସ୍ପର ସହ ହାତ ମିଳାଇ ଚାଲିପାରୁ ନାହାନ୍ତି। ଏହି ନେତାମାନେ ପରସ୍ପରର ନିକଟତର ହେବା ପରିବର୍ତ୍ତେ ପରସ୍ପରଠାରୁ ଦୂରେଇବାରେ ଲାଗିଛନ୍ତି। କଂଗ୍ରେସ ପକ୍ଷରୁ ଆୟୋଜନ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି।

ବିଜେଡିରେ ବି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଓ ମେୟର ସୁବାସ ସିଂହଙ୍କ ଭିତରେ ବ୍ୟବଧାନ ବଢ଼ି ଚାଲିଥିବା ବେଳେ ସେପଟେ ପୂର୍ବତନ ବିଧାୟକ ପ୍ରଭାତରଂଜନ ବିଶ୍ବାଳ ଯେଭଳି ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଛନ୍ତି; ସେଥିରେ ବିଜେଡି ଆଗକୁ କେଉଁ ଦିଗରେ ଗତି କରିବ, ତାହାକୁ ନେଇ ବି ନେତା ଓ କର୍ମୀଙ୍କ ଭିତରେ ଆଶଙ୍କା ବଢ଼ିବାରେ ଲାଗିଛି। ରାଜ୍ୟରେ କ୍ଷମତାକୁ ଆସିଥିଲେ ବି ବିଜେପି କଟକରେ ଏଯାଏଁ ନିଜର ପ୍ରଭାବ ଦେଖାଇବାରେ ବିଫଳ ହୋଇଛି। କଟକ ନଗର ଜିଲ୍ଲା ସଭାପତି ଭାବେ ସୁକାନ୍ତ ବିଶ୍ବାଳଙ୍କ ନିଯୁକ୍ତିକୁ ସହରର ଅନେକ ନେତା ଏଯାଏଁ ଗ୍ରହଣ କରି ପାରୁ ନାହାନ୍ତି।

NEWS VY BIJAY KUMAR PANDA

 ଫଳରେ ସହରରେ ବିଜେପି ନେତା ଓ କର୍ମୀମାନେ ଏକପ୍ରକାର ବିକ୍ଷିପ୍ତ ସ୍ଥିତିରେ ରହିଛନ୍ତି। ଦଳର ପୁରୁଣା କର୍ମୀମାନେ କାହା ନେତୃତ୍ବରେ ଆଗକୁ ବଢ଼ିବେ ତାହାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଭର୍ତ୍ତୃହରି ମହତାବ ଯଦିଓ ଏବେ ବିଜେପିର ସାଂସଦ ଅଛନ୍ତି, କିନ୍ତୁ ପାରମ୍ପରିକ ବିଜେପି ସଙ୍ଗଠନ ରାଜନୀତିରେ ସେ ନିଜକୁ ଏଯାଏଁ ଖାପଖୁଆଇ ପାରି ନାହାନ୍ତି। ସେପଟେ ମାହାଙ୍ଗା, ସାଲେପୁରରୁ ଆରମ୍ଭ କରି ବାଙ୍କୀ, ବଡ଼ମ୍ବା ଯାଏଁ ବିଜେପି ଏକପ୍ରକାର ଦୁଇ ଫାଳ ହୋଇ ରହିଛି। ସେସବୁ ଅଞ୍ଚଳରେ ବିଜେପି କାହା ନେତୃତ୍ବରେ ଆଗକୁ ବଢ଼ିବ, ତାହା ସ୍ପଷ୍ଟ ହେବା ବଦଳରେ ସ୍ଥିତି ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି।

ମାହାଙ୍ଗାର ସ୍ବାଧୀନ ବିଧାୟକ ସାରଦା ପ୍ରଧାନ ବିଜେପିର ସହଯୋଗୀ ସଦସ୍ୟ ଭାବେ ପରିଗଣିତ ହେଉଛନ୍ତି। ତାଙ୍କ ପଛରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କଠାରୁ ଆରମ୍ଭ କରି ବିଜେପିର ବହୁ ବରିଷ୍ଠ ନେତା, ମନ୍ତ୍ରୀ, ବିଧାୟକଙ୍କର ପ୍ରଚ୍ଛନ୍ନ ସମର୍ଥନ ରହିଛି। କିନ୍ତୁ ସେଠାରେ ବିଜେପିର ପ୍ରାର୍ଥୀ ହୋଇଥିବା ସୁମନ୍ତ ଘଡ଼େଇ ସାରଦାଙ୍କୁ ବାଟ ଛାଡ଼ିବାକୁ ଅଥବା ତାଙ୍କ ସହିତ ହାତ ମିଳାଇବାକୁ ପ୍ରସ୍ତୁତ ନାହାନ୍ତି। ସାଲେପୁରରେ ପୂର୍ବତନ ବିଧାୟକ ପ୍ରକାଶ ବେହେରାଙ୍କୁ ପୁଣି ଦଳକୁ ଆଣିବାକୁ ବିଜେପିର ଅନେକ ବରିଷ୍ଠ ନେତା ଓ କର୍ମକର୍ତ୍ତା ପ୍ରସ୍ତୁତ ହୋଇଥିବା ବେଳେ ସାଧାରଣ ନିର୍ବାଚନରେ ସେଠାରୁ ବିଜେପିରୁ ପ୍ରାର୍ଥୀ ହୋଇଥିବା ଅରିନ୍ଦମ ରଏଙ୍କ ସମର୍ଥକ ତାଙ୍କୁ ବିରୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ହିମାଂଶୁ ମହାନ୍ତି ବି ନିଜର ଗୋଷ୍ଠୀ କରି ଅଲଗା ଚାଲିବା ଜିଦରେ ଅଛନ୍ତି। ବାଙ୍କୀରେ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତ ଚକ୍ରବର୍ତ୍ତୀ ଓ ଅନ୍ୟତମ ବରିଷ୍ଠ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀଙ୍କ ସମର୍ଥକ ସମାନ୍ତରାଳ ଭାବେ ଚାଲୁଛନ୍ତି। ବଡ଼ମ୍ବାରେ ସ୍ବାଧୀନ ବିଧାୟକ ବିଜୟ ଦଳବେହେରା ବିଜେପିର ସହଯୋଗୀ ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ ବି ସାଧାରଣ ନିର୍ବାଚନରେ ସେଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ସମ୍ବିତ ତ୍ରିପାଠୀଙ୍କ ସମର୍ଥକ ତାଙ୍କୁ ଗ୍ରହଣ କରିପାରୁ ନାହାନ୍ତି। ପାଖାପାଖି ଦୁଇ ବର୍ଷ ପରେ ହେବାକୁ ଯାଉଥିବା ପଞ୍ଚାୟତ ଓ ପୌର ନିର୍ବାଚନ ଏହି ତିନି ପ୍ରମୁଖ ଦଳ ପାଇଁ ପୁଣି ଏକ ବଡ଼ ପରୀକ୍ଷା ହେବାକୁ ଯାଉଛି। ତେବେ କଟକରେ ତିନି ଦଳର ଏଭଳି ସ୍ଥିତି ଆଗକୁ କିଛି ନୂଆ ସମୀକରଣ ସୃଷ୍ଟି କରିବ ନା ଏଭଳି ଭାଗ ଭାଗ ହୋଇ ସବୁ ଦଳ ନିଜ ନିଜର ଭାଗ୍ୟ ପରୀକ୍ଷା କରି‌ବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *