ଆଜି ପହଞ୍ଚିବେ ରାଷ୍ଟ୍ରପତି
ଆଜି ପହଞ୍ଚିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅପରାହ୍ଣ ସାଢ଼େ ୧୨ଟା ସମୟରେ ଛତିଶଗଡ଼ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରୁ ସେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଆସି ଅପରାହ୍ଣ ସାଢ଼େ ୧ଟା ସମୟରେ ଭୁବନେଶ୍ୱରସ୍ଥିତ

ଭୁବନେଶ୍ୱର ୨୪-୦୩-୨୦୨୫(ବି.ଏନ .ଓ ) : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆସନ୍ତାକାଲି ଅପରାହ୍ଣ ସାଢ଼େ ୧୨ଟା ସମୟରେ ଛତିଶଗଡ଼ ରାୟପୁରର ସ୍ବାମୀ ବିବେକାନନ୍ଦ ବିମାନବନ୍ଦରରୁ ସେ ସ୍ବତନ୍ତ୍ର ବାୟୁସେନା ବିମାନ ଯୋଗେ ଆସି ଅପରାହ୍ଣ ସାଢ଼େ ୧ଟା ସମୟରେ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ନୟାଗଡ଼ ଜିଲ୍ଲା କଣ୍ଟିଲୋ ନୀଳମାଧବ ମନ୍ଦିର ନିକଟସ୍ଥ ହେଲିପ୍ୟାଡ୍ରେ ଅବତରଣ କରିବେ। କଣ୍ଟିଲୋସ୍ଥିତ ଅତିଥି ଭବନରେ ସାମୟିକ ବିଶ୍ରାମ ନେବା ପରେ ଅପରାହ୍ଣ ୩ଟା ୫ ମିନିଟ୍ରେ ନୀଳମାଧବ ମନ୍ଦିର ଦର୍ଶନ କରିବେ। ଅପରାହ୍ଣ ୩ଟା ୩୫ ମିନିଟ୍ରେ ନୟାଗଡ଼ର କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ବାବସୁ ସମାଜ ଫାଉଣ୍ଡେସନ୍ର ପ୍ରତିଷ୍ଠା ଦିବସ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ। ଏହାପରେ ଭୁବନେଶ୍ବର ଫେରି ରାଜଭବନରେ ରାତ୍ରିଯାପନ କରିବେ। ୨୫ତାରିଖ ସକାଳେ ବାୟୁସେନା ବିମାନ ଯୋଗେ ନୂଆଦିଲ୍ଲୀ ଫେରିଯିବେ।
ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସ୍ଥିତି ସମୀକ୍ଷା ସହ କାର୍କେଡ୍ ରିହର୍ସାଲ୍ ସରିଛି। ପୁଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ, ଅଗ୍ନିଶମ ସେବା ବିଭାଗ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ପୁଲିସ କମିସନର ଏସ୍. ଦେବଦତ୍ତ ସିଂହ, ଅତିରିକ୍ତ ପୁଲିସ କମିସନର ନରସିଂହ ଭୋଳ, ଡିସିପି ଜଗମୋହନ ମିନାଙ୍କ ସମେତ ପୁଲିସ ପ୍ରଶାସନର ବରିଷ୍ଠ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ରାଷ୍ଟ୍ରପତିଙ୍କ ଗସ୍ତ ସମୟର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସାରା ସହରରେ ୧୨ ପ୍ଲାଟୁନ୍ ଫୋର୍ସ ନିୟୋଜିତ ହୋଇଛନ୍ତି। ୩ ଜଣ ଡିସିପି, ୪ଜଣ ଆଡିସନାଲ୍ ଡିସିପି, ୨୪ଜଣ ଏସିପି, ୨୮ ଜଣ ଇନ୍ସପେକ୍ଟର, ୧୧୦ଜଣ ଏସ୍ଆଇ/ ଏଏସ୍ଆଇ , ୧୭୭ ଜଣ ଏପିଆର୍, ୯୬ ଜଣ ମହିଳା କର୍ମଚାରୀ, ୧୮୦ ଜଣ ଟ୍ରାଫିକ୍ କର୍ମଚାରୀଙ୍କ ସମେତ ପୁଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ୨୪ ତାରିଖ ଅପରାହ୍ଣ ୫ଟା ୨୫ମିନିଟ୍ରୁ ସନ୍ଧ୍ୟା ୬ଟା ୫ମିନିଟ୍ ମଧ୍ୟରେ ଏୟାରପୋର୍ଟ ଛକରୁ ଏଜିଛକ ଓ ଏଜିରୁ ରାଜଭବନ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ସେହିପରି ୨୫ ତାରିଖ ସକାଳ ୮ଟା ୫୦ମିନିଟ୍ରୁ ୯ଟା ୨୦ମିନିଟ୍ ମଧ୍ୟରେ ରାଜଭବନରୁ ଏଜିଛକ ଓ ଏଜି ଛକରୁ ଏୟାପୋର୍ଟ ରାସ୍ତାରେ ଟ୍ରାଫିକ୍ କଟକଣା ଜାରି କରାଯାଇଛି।