କଟକ ନାଟ୍ୟୋତ୍ସବ-୨୦୨୫ ଚୟନ ପର୍ଯ୍ୟାୟର ଚତୁର୍ଥ ଦିବସରେ ମଞ୍ଚସ୍ଥ ହେଲା ପାଞ୍ଚଟି ଭିନ୍ନ ଭିନ୍ନ ପ୍ରସଙ୍ଗର ନାଟକ
ବୁଣାକାର ପରିବାରର କଥା କହିଲା ନାଟକ କଳାନନ୍ଦିନୀ
କଟକ ୨୬-୦୯-୨୦୨୫(ବି.ଏନ .ଓ ) : ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କଟକ ନାଟ୍ୟୋତ୍ସବ ୨୦୨୫ ଚୟନ ପର୍ଯ୍ୟାୟର ଆଜି ଚତୁର୍ଥ ଦିବସରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଅଭିନୟ ଦକ୍ଷତାର ପ୍ରଶଂସା କରିବା ସହ ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ। ପ୍ରଥମାର୍ଦ୍ଧରେ ରେଭେନସା ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଆତ୍ମହତ୍ୟାର କୁପରିଣାମକୁ ନେଇ ପରିବେଷଣ କରିଥିଲେ ନାଟକ ବିଶ୍ୱାସଘାତକ।

ଆତ୍ମହତ୍ୟା ସମସ୍ୟାର ସମାଧାନ ନୁହେଁ, ଏହା ଅନେକ ସମସ୍ୟାର ଆଗମନର ରାସ୍ତା ଉନ୍ମୁକ୍ତ କରଥାଏ ବୋଲି ବାର୍ତ୍ତା ଦେଇଥିଲା ଏହି ନାଟକ। ପରେ ପରେ ଏସସିବି କଲେଜ ଅଫ ନର୍ସିଙ୍ଗ ପକ୍ଷରୁ ପରିବେଷଣ ହୋଇଥିଲା ନାଟକ ମୃତ୍ୟୁଦଣ୍ଡ । ମୋହନ ସୁବୁଦ୍ଧି ମହାବିଦ୍ୟାଳୟ, ବଡମ୍ବା ଜଗନ୍ନାଙ୍କ ଖଣ୍ଡୁଆ ପାଟ ବୁଣୁଥିବା ବୁଣାକାର ପରିବାରର ଦୁଃଖ ଦୁର୍ଦ୍ଦଶା ଓ କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାର ପ୍ରଚେଷ୍ଟାକୁ ନେଇ ପ୍ରସ୍ତୁତ କରିଥିଲେ ନାଟକ କଳାନନ୍ଦିନୀ। ଦ୍ଵିତୀୟାର୍ଦ୍ଧରେ ରାଧାନାଥ ଇନଷ୍ଟିଚ୍ୟୁଟ ଅଫ ଆଡ଼ଭାନ୍ସଡ଼ ଷ୍ଟଡିଜର ଛାତ୍ରଛାତ୍ରୀ ଶକ୍ତି ସ୍ୱରୂପିଣୀ ନାରୀ ବର୍ତ୍ତମାନ ସମାଜରେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାକୁ ନାଟକ ମାଧ୍ୟମରେ ବେଶ ନିଖୁଣ ଭାବରେ ଫୁଟାଇଥିଲେ ନାଟକ ଶକ୍ତିଶ୍ରୀ ମାଧ୍ୟମରେ। ଶେଷରେ ଖ୍ରୀଷ୍ଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କନ୍ୟା ଭୃଣ ହତ୍ୟାର କୁପରିଣାମକୁ ନେଇ ପ୍ରସ୍ତୁତ କରିଥିଲେ ନାଟକ ଶେଷ ଇଛା। କଟକରେ ସର୍ବପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ନାଟ୍ୟୋତ୍ସବରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ଆଜିର ଚୟନ ପର୍ଯ୍ୟାୟରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁଙ୍କ ସମେତ ଶ୍ରୀକାନ୍ତ ଚୌଧୁରୀ, ଦେବୁ ପଟନାୟକ, ଉମେଶ ଦାସ, ଅକ୍ଷୟ ରଣା, ମହମ୍ମଦ ସଫିଉଲ ହକ୍, ବବି ଇସଲାମ ଓ ସନ୍ଦୀପ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ସିନେ ଅଭିନେତା ଶ୍ରୀତମ ଦାସ ଓ ପ୍ରଯୋଜିକା ବିନି ସାମଲ ପହଂଚି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି ନାଟକ ଗୁଡିକରେ ଛାତ୍ରଛାତ୍ରୀମାନେ ଅଭିନୟ କରିବା ସହ ନିଜେ କାହାଣୀ ଲେଖିବା, ନିର୍ଦ୍ଦେଶନା ଦେବା, ସଂଗୀତ ଦେବା ଆଦି କାର୍ଯ୍ୟ ତୁଲାଇଛନ୍ତି ।

