sambadika swasstthyabima abadhi shesa!

ସାମ୍ବାଦିକଙ୍କ ସ୍ୱାସ୍ଥ୍ୟ ବୀମା ଅବଧି ଅଗଷ୍ଟ ୩୧ରେ ସରିବ !

ଭୁବନେଶ୍ୱର/କଟକ: ୧୧-୦୮-୨୪(ବିଏନ୍ଓ)  ଚଳିତ ମାସ ୩୧ ତାରିଖରେ ଶେଷ ହେଉଛି ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମାର ଅବଧି। ୨୦୧୮ରୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଓ ସେମାନଙ୍କ ପରିବାର ପାଇଁ ସରକାର ୫ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେଉଛନ୍ତି। ପ୍ରତି ବର୍ଷ ଅଗଷ୍ଟ ମାସରେ ଏହି ବୀମାର ଅବଧି ପୂର୍ଣ୍ଣ ହେବା ପୂର୍ବରୁ ସାମ୍ବାଦିକମାନଙ୍କୁ ପରବର୍ତ୍ତୀ ବର୍ଷ ପାଇଁ ନୂଆ କାର୍ଡ ମିଳିଯାଇଥାଏ। ମାତ୍ର ଚଳିତ ବର୍ଷ ସରକାର ପରିବର୍ତ୍ତନ ପରେ ଏଥିରେ ବ୍ୟତିକ୍ରମ ଘଟିଛି ଓ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଡ ନବୀକରଣ ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଯାହାକୁ ନେଇ କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଚଳିତ ବର୍ଷ ବଜେଟରେ ‘ଗୋପବନ୍ଧୁ ସାମ୍ୱାଦିକ ସ୍ୱାସ୍ଥ୍ୟ ବୀମା ଯୋଜନା’ ପାଇଁ ବ୍ୟୟବରାଦ ହୋଇ ନ ଥିବାରୁ ବୀମାକୁ ନେଇ କାର୍ଯ୍ୟରତ ସାମ୍ବାଦିକମାନେ ଆଶଙ୍କା ମଧ୍ୟରେ ଗତି କରୁଛନ୍ତି।

 

ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ୱାସ୍ଥ୍ୟ ବୀମା ପାଇଁ ରାଜ୍ୟ ସରକାର ହେରିଟେଜ୍‌‌ ହେଲ୍‌‌ଥ ଇନସ୍ୟୁରାନ୍ସ ଓ ଅନ୍ୟାନ୍ୟ ସଂସ୍ଥା ସହ ଚୁକ୍ତି କରିଛନ୍ତି ଏବଂ ଏହି ବୀମା କମ୍ପାନୀ ଦ୍ୱାରା ସାମ୍ବାଦିକମାନଙ୍କୁ ସ୍ୱାସ୍ଥ୍ୟ ବୀମା ଯୋଗାଇ ଦିଆଯାଉଛି। ପ୍ରତି ବର୍ଷକୁ ବର୍ଷ ଏହି କାର୍ଡ ନବୀକରଣ କରାଯାଉ ଥିବା ବେଳେ ନୂଆ ସାମ୍ବାଦିକମାନେ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହୋଇଥାନ୍ତି। ପୂର୍ବରୁ ଅଫଲାଇନ୍‌‌ ମାଧ୍ୟମରେ ଏଥିପାଇଁ ଆବେଦନ ହେଉଥିବା ବେଳେ ଗତବର୍ଷଠାରୁ ଆବେଦନ ଅନଲାଇନ୍‌‌ ମାଧ୍ୟମରେ କରାଯାଉଛି। ସମ୍ପ୍ରତି ଅଗଷ୍ଟ ମାସର ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ‘ଓଡ଼ିଶା କର୍ମଜୀବୀ ସାମ୍ୱାଦିକ କଲ୍ୟାଣ’ ଆବେଦନ ପୋର୍ଟାଲ ଖୋଲିନାହିଁ। ଅନ୍ୟପଟେ ଅଗଷ୍ଟଶେଷ ସୁଦ୍ଧା ବର୍ତ୍ତମାନ ବୀମା ଅବଧି ଶେଷ ହେଉଥିବାରୁ ଏହାପରେ ସାମ୍ବାଦିକମାନଙ୍କର ସ୍ୱାସ୍ଥ୍ୟସେବା ପାଇଁ ବୀମା ମିଳି ପାରିବ ନାହିଁ। ତେଣୁ କାର୍ଯ୍ୟରତ ସାମ୍ବାଦିକମାନେ ଗୁରୁତର ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏ ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। 

ସାମ୍ୱାଦିକମାନଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ପ୍ରଥମେ କାର୍ଯ୍ୟରତ ସାମ୍ୱାଦିକ ଓ ସେମାନଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା। ଏହି ରାଶିକୁ ବୃଦ୍ଧି ପାଇଁ ସାମ୍ୱାଦିକମାନେ ଦାବି କରିବା ପରେ ତତ୍‌‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୀମା ରାଶିର ପରିମାଣ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯରତ ସାମ୍ୱାଦିକ ଓ ତାଙ୍କ ପରିବାର ଉପକୃତ ହେଉଛନ୍ତି।

 

 

 

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *