ୟୁଏନସିସିଡି ପକ୍ଷମାନଙ୍କ ସମ୍ମିଳନୀର ୧୫ତମ ଅଧିବେଶନରେ ରାଷ୍ଟ୍ରୀୟ ବକ୍ତବ୍ୟ ଦେଲେ କେନ୍ଦ୍ର ପରିବେଶ ମନ୍ତ୍ରୀ

 

 

  • ଭୂମି ଅବକ୍ଷୟ, ମରୁଭୂମିକରଣ ଏବଂ ମରୁଡ଼ି ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ଲାଗି ନିଜର ଅଧ୍ୟକ୍ଷତା ସମୟରେ ଭାରତ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପ ଉପରେ କଲେ ଆଲୋକପାତ
  • ପ୍ରାକୃତିକ ସମ୍ବଳ ପରିଚାଳନା, କାର୍ଯ୍ୟକ୍ରମରେ ସରକାରୀ ଅର୍ଥ ପ୍ରବାହ ସୁନିଶ୍ଚିତ କରିବା ଜରୁରି ଏବଂ ଆବଶ୍ୟକ ସହାୟତା ବ୍ୟବସ୍ଥା କାର୍ଯ୍ୟକାରୀ କରାନଗଲେ କାର୍ଯ୍ୟକ୍ରମଗୁଡ଼ିକ ସଫଳ ହୋଇପାରିବ ନାହିଁ : ଶ୍ରୀ ଭୂପେନ୍ଦ୍ର ଯାଦବ
  • ବିଭିନ୍ନ ରାଷ୍ଟ୍ରର ବିଶ୍ବ ସଂଖ୍ୟାଲଘୁ ଲୋକମାନଙ୍କ ଉଚ୍ଚ ଉପଭୋଗ ଆଧାରିତ ଜୀବନଶୈଳୀ ଦ୍ବାରା ସୃଷ୍ଟି ହେଉଥିବା ଅପବ୍ୟୟୀ ନିର୍ଗମନ ତୁରନ୍ତ ହ୍ରାସ କରିବା ଜରୁରି, ଫଳରେ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ମରୁଭୂମିକରଣ ଉପରେ ରିଓ ସମ୍ମିଳନୀର ପ୍ରସ୍ତାବ ସଫଳ ଭାବେ କାର୍ଯ୍ୟକାରୀ ହୋଇପାରିବ
  • ଆଇଭରି କୋଷ୍ଟକୁ ଅଧ୍ୟକ୍ଷତା ଦାୟିତ୍ବ ହସ୍ତାନ୍ତର କଲା ଭାରତ

 

NewDelhi,11th May,(Bnews): ଆଇଭରି କୋଷ୍ଟ ଠାରେ ମରୁଭୂମିକରଣ (ଡେଜର୍ଟିଫିକେସନ) ନିରାକରଣ ଲାଗି ମିଳିତ ଜାତିସଂଘ ଜାତୀୟ ସମ୍ମିଳନୀ (ୟୁଏନସିସିଡି)ର ପକ୍ଷମାନଙ୍କର ୧୫ତମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ଅଧିବେଶନରେ ଭାରତ ପକ୍ଷରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ରାଷ୍ଟ୍ରୀୟ ବିବୃତ୍ତି ପ୍ରଦାନ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ବିଶ୍ବସ୍ତରରେ କେତେକ ନବୀକୃତ ତଥା ଦୃଢ଼ ପ୍ରୟାସ କାରଣରୁ ୟୁଏନସିସିଡି ଲକ୍ଷ୍ୟ ହାସଲ ଦିଗରେ ପ୍ରତ୍ୟକ୍ଷ ଓ ପରୋକ୍ଷ ସହାୟତା ମିଳିପାରିଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ ପରିବେଶ ପରିତନ୍ତ୍ର (ଇକୋସିଷ୍ଟମ) ସଂରକ୍ଷଣ ଉପରେ ମିଳିତ ଜାତିସଂଘ ଦଶନ୍ଧି କାର୍ଯ୍ୟକ୍ରମ (୨୦୨୧-୨୦୩୦)ର ଉଦାହରଣ ଦେଇଥିଲେ । ସେ କହିଥିଲେ ଯେ ଏହାର ଲକ୍ଷ୍ୟ ହେଉଛି ପରିବେଶ ଅବକ୍ଷୟ ଓ ହାନିକୁ ବାଧିତ କରିବା ସହିତ ଏହାର ପୁନରୁଦ୍ଧାର କରିବା । ବର୍ତ୍ତମାନ ଓ ଭବିଷ୍ୟତ ପିଢ଼ିର ଲାଭ ପାଇଁ ଭୂମିର ଦୀର୍ଘସ୍ଥାୟୀ ପରିଚାଳନା ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ କହିଥିଲେ ଯେ, ଏଥିପାଇଁ ଚଳିତ ସିଓପିରେ ସମୟୋଚିତ ସଂକଳ୍ପ ନିଆଯାଇଛି ।

ବିଭିନ୍ନ ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ କ୍ଷେତ୍ରରେ ଭୂମି ଏକ ମୌଳିକ ଏବଂ ବ୍ୟାପକ ଭୂମିକା ନିର୍ବାହ କରିଥାଏ ବୋଲି ସେ ଜୋର ଦେଇ କହିଥିଲେ । ଦୀର୍ଘସ୍ଥାୟୀ ଲକ୍ଷ୍ୟ ହାସଲ ଜରିଆରେ ବନୀକରଣ, ମୃତ୍ତିକା ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ କୃଷି ଉତ୍ପାଦନକୁ ତ୍ବରାନ୍ବିତ କରାଯାଇପାରିବ । ଭୂମି ସଂରକ୍ଷଣ ଏକ ପ୍ରାମାଣିକ ରଣନୀତି ଏବଂ ଏହା ଦ୍ବାରା ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ, ଗ୍ରାମୀଣ ସମୁଦାୟଙ୍କ ଉନ୍ନତି ହୋଇପାରିବ ତଥା ଏଥିରୁ ମାନବ ସ୍ବାସ୍ଥ୍ୟ, ଜୈବ ବିବିଧତା ଏବଂ ଜଳବାୟୁ ପରିବର୍ତ୍ତନ ସହନଶୀଳତାରେ ଲାଭ ମିଳିପାରିବ ।

ଶ୍ରୀ ଯାଦବ କହିଥିଲେ ଯେ, ପ୍ରାକୃତିକ ସମ୍ବଳ ପରିଚାଳନା, କାର୍ଯ୍ୟକ୍ରମରେ ସରକାରୀ ଅର୍ଥ ପ୍ରବାହ ସୁନିଶ୍ଚିତ କରିବା ଜରୁରି ଏବଂ ଆବଶ୍ୟକ ସହାୟତା ବ୍ୟବସ୍ଥା କାର୍ଯ୍ୟକାରୀ କରାନଗଲେ କାର୍ଯ୍ୟକ୍ରମଗୁଡ଼ିକ ସଫଳ ହୋଇପାରିବ ନାହିଁ ।

ବିଭିନ୍ନ ରାଷ୍ଟ୍ରର ବିଶ୍ବ ସଂଖ୍ୟାଲଘୁ ଲୋକମାନଙ୍କ ଉଚ୍ଚ ଉପଭୋଗ ଆଧାରିତ ଜୀବନଶୈଳୀ ଦ୍ବାରା ସୃଷ୍ଟି ହେଉଥିବା ଅପବ୍ୟୟୀ ନିର୍ଗମନ ସହିତ ଜଳବାୟୁ ପରିବର୍ତ୍ତନ, ଜୈବ ବିବିଧତା ଏବଂ ମରୁଭୂମିକରଣ ଜଡ଼ିତ । ଏହାକୁ ତୁରନ୍ତ ହ୍ରାସ କରିବା ଉପରେ ଏହି ତିନୋଟି ସମ୍ମିଳନୀ ସଂକଳ୍ପର ସଫଳତା ନିର୍ଭରଶୀଳ ।

ଶ୍ରୀ ଯାଦବ କହିଥିଲେ ଯେ, ଭାରତର ଅଧ୍ୟକ୍ଷତା ସମୟରେ ୭ଟି ଉଚ୍ଚସ୍ତରୀୟ ବୈଠକ ଆୟୋଜିତ ହୋଇଥିଲା । ଏଥିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସକ୍ରିୟ ଆଲୋଚନା ହୋଇଛି । ସେ କହିଥିଲେ ଯେ, ୧୪  ଜୁନ ୨୦୨୧ରେ ଅନୁଷ୍ଠିତ ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ଏକ ଉଚ୍ଚସ୍ତରୀୟ ବିଚାର ବିମର୍ଶ ଅନୁଷ୍ଠିତ ହୋଇଥିଲା । ଏଥିରେ ମରୂଭୂମିକରଣ, ଭୂମି ଅବକ୍ଷୟ ଏବଂ ମରୁଡ଼ି ଉପରେ ଏକ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୈଠକକୁ ସମ୍ବୋଧିତ କରି ଭୂମି ଅବକ୍ଷୟର ନିରାକରଣ ଲାଗି ଭାରତ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ତାହାର ସଫଳତା ବିଷୟରେ କହିଥିଲେ ।

ଶ୍ରୀ ଯାଦବ କହିଥିଲେ ଯେ ସିଓପିର ୧୪ତମ ଅଧିବେଶନ ୨୦୧୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । ବିଶ୍ବ ସମୁଦାୟ ପ୍ରତି ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ଏବଂ ଏହି ସମ୍ମିଳନୀର ମୌଳିକ ଲକ୍ଷ୍ୟ ହାସଲ ଦିଗରେ ଭାରତ ନିଜର ଦାୟିତ୍ବ ନିର୍ବାହ କରିଥିଲା । କୋଭିଡ ୧୯ ଭଳି ସଙ୍କଟ ସମୟରେ ଭାରତ ଅଧ୍ୟକ୍ଷତା ଦାୟିତ୍ବ ସୁଚାରୂ ରୂପେ ନିର୍ବାହ କରିଥିବା ଶ୍ରୀ ଯାଦବ କହିଥିଲେ ।

ଶେଷରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଯାଦବ କହିଥିଲେ ଯେ ଭାରତ ଏବେ ଅଧ୍ୟକ୍ଷତା ଦାୟିତ୍ବ ଆଇଭରୀ କୋଷ୍ଟକୁ ପ୍ରଦାନ କରୁଛି । ସେ ଆଶାବ୍ୟକ୍ତ କରି କହିଥିଲେ ଯେ, ଏହି ଦାୟିତ୍ବ କୁଶଳତା ପୂର୍ବକ ନିର୍ବାହ କରିବା ସହିତ ପୃଥିବୀମାତାର ସୁରକ୍ଷା ପାଇଁ ଏକ ଦୀର୍ଘସ୍ଥାୟୀ ଜୀବନଶୈଳୀ ଆପଣାଇବାକୁ ବିଶ୍ବ ସମୁଦାୟକୁ ଅନୁପ୍ରାଣିତ କରିବା ଦିଗରେ ଆଇଭରୀ କୋଷ୍ଟ  କୁଶଳତାପୂର୍ବକ ତଥା ସକ୍ରିୟ ଭାବେ କାର୍ଯ୍ୟ କରିବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *