ହିନ୍ଦୁଙ୍କୁ କାନାଡା ଛାଡିବାକୁ ଖଲିସ୍ତାନୀଙ୍କ ଧମକ; ସତର୍କ ରହିବାକୁ ସାଂସଦଙ୍କ ପରାମର୍ଶ
ଓଟୱା:21.09.23 (B.N.O) ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜର ହତ୍ୟାକୁ ନେଇ ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ବିବାଦ ବଢିବାରେ ଲାଗିଛି । ଦୁଇ ଦେଶର ବିବାଦ ମଧ୍ୟରେ ଏବେ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଦେଶ ଛାଡିବାକୁ ଧମକ ମିଳିଛି । ଖଲିସ୍ତାନୀ ଉଗ୍ରବାଦୀମାନେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରୁଛନ୍ତି ଏବଂ ସେମାନଙ୍କୁ ତୁରନ୍ତ କାନାଡ଼ା ଛାଡ଼ି ଭାରତ ଫେରିଯିବାକୁ ଧମକ ଦେଉଛନ୍ତି । ଯାହାକି କାନାଡ଼ାର ଲିବେରାଲ ପାର୍ଟି ସାଂସଦ ଚନ୍ଦ୍ର ଆର୍ଯ୍ୟ ଅଭିଯୋଗ କରିଛନ୍ତି । ଚନ୍ଦ୍ର ଆର୍ଯ୍ୟ ଜଣେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦଳ ଲିବେରାଲ ପାର୍ଟିରୁ ସାଂସଦ ଅଛନ୍ତି । ସେ କାନାଡାରେ ରହୁଥିବା ହିନ୍ଦୁମାନଙ୍କୁ ଶାନ୍ତ ଓ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଏବଂ କୌଣସି ପ୍ରକାର ଅପ୍ରୀତିକର ଘଟଣା ଘଟିଲେ ସେ ସମ୍ପର୍କରେ ପୋଲିସକୁ ସୂଚୀତ କରିବାକୁ କହିଛନ୍ତି । ଏନେଇ ସାଂସଦ ଆର୍ଯ୍ୟ ଟ୍ୱିଟ୍ କରିଛନ୍ତି, “କିଛି ଦିନ ତଳେ ଖଲିସ୍ତାନୀ ନେତା ତଥା କାନାଡ଼ାରେ ଜନମତ ସଂଗ୍ରହର ଆୟୋଜନ କରିଥିବା ‘ଶିଖ୍ ଫର ଜଷ୍ଟିସ ସଂଗଠନର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ଏଠାରେ ରହୁଥିବା ହିନ୍ଦୁମାନଙ୍କ ଉପରେ ଆକ୍ରମଣ କରିଥିଲା । ସେମାନଙ୍କୁ କାନାଡ଼ା ଛାଡ଼ି ଭାରତ ଚାଲିଯିବାକୁ ଧମକ ଦେଇଥିଲେ ।