ସ୍ୱାଧୀନତାସଂଗ୍ରାମୀ ଭାଗୀରଥି ମହାପାତ୍ରଙ୍କ ୧୩୦ତମ ଜୟନ୍ତୀ

‘ସଂଗ୍ରାମୀ ଭାଗୀରଥି ଥିଲେ ଉତ୍କଳର ଭଗୀରଥ’
କଟକ,ଭୁବନେଶ୍ୱର,୨୪ା୪, (KNews): ସରଳା ଦେବୀ-ଭାଗୀରଥି ମହାପାତ୍ର ଟ୍ରଷ୍ଟ ପକ୍ଷରୁ ବିଶିଷ୍ଟ ସ୍ୱାଧୀନତାସଂଗ୍ରାମୀ, ପ୍ରବୀଣ ଗାନ୍ଧୀଅନୁଗାମୀ, ପ୍ରଦେଶ କଂଗ୍ରେସ କମିଟିର ପ୍ରଥମ ସମ୍ପାଦକ, କଟକ ମ୍ୟୁନିସିପାଲିଟିର ପ୍ରଥମ ନିର୍ବାଚିତ ଅଧ୍ୟକ୍ଷ ଏବଂ ଓଡ଼ିଶାର ସାବରମତୀ ‘ଅଳକା ଆଶ୍ରମ’ର ପ୍ରତିଷ୍ଠାତା ଭାଗୀରଥି ମହାପାତ୍ରଙ୍କ ୧୩୦ତମ ଜୟନ୍ତୀ ଐତିହାସିକ ସ୍ୱରାଜ ଆଶ୍ରମ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି ।
ଇଂ. ପ୍ରଭାକର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବହୁବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଭାଗୀରଥିଙ୍କ ସଂଗ୍ରାମୀଜୀବନ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କେବଳ ସ୍ୱାଧୀନତା ସଂଗ୍ରାମ ନୁହେଁ, ଗାନ୍ଧୀବିଚାର ଓ ରାଜନୈତିକ କାର୍ଯ୍ୟକ୍ରମ ସହ ସଂଶ୍ଳିଷ୍ଟ ରହି ଭାଗୁବାବୁ ଉଦାହରଣ ସୃଷ୍ଟିକରିଛନ୍ତି । ଉତ୍କଳଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର ଓ ଉତ୍କକେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ସହ କାର୍ଯ୍ୟକରି ସେ ଯେଉଁ ଆଦର୍ଶ ସୃଷ୍ଟିକରିଛନ୍ତି, ତାହା ବିରଳ; ସେ ହେଉଛନ୍ତି ଉତ୍କଳର ଭଗୀରଥ । ତାଙ୍କର ତ୍ୟାଗ ଓ ଦେଶପ୍ରୀତିର ପଟ୍ଟାନ୍ତର ନାହିଁ ବୋଲି ବକ୍ତାମାନେ ମତବ୍ୟକ୍ତ କରିଛନ୍ତି ।
ଉତ୍ସବକୁ ଉଦ୍‌ଘାଟନ କରି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀ ଭାଗୀରଥିଙ୍କୁ ମହାନ୍ ସଂଗ୍ରାମୀ ଭାବରେ ବର୍ଣ୍ଣନାକରିବା ସହ ତାଙ୍କର ତ୍ୟାଗପୂତ ଜୀବନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି କହିଥିଲେ । ଉତ୍କଳମାତାର ଏହି ବରପୁତ୍ରଙ୍କ ଜୀବନାଦର୍ଶ ବହୁଳ ମାତ୍ରାରେ ପ୍ରଚାର ଓ ପ୍ରସାର ଉପରେ ସେ ଜୋର୍ ଦେଇଥିଲେ । ମୁଖ୍ୟଅତିଥି ରୂପେ ଯୋଗଦେଇ ମେୟର ସୁବାସ ସିଂ ଭାଗୀରଥିଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ପ୍ରତିମୂର୍ତ୍ତି ପ୍ରତିଷ୍ଠା ଓ ସ୍ମୃତିରକ୍ଷା ଦିଗରେ କାର୍ଯ୍ୟ ଆରମ୍ଭହେବ ବୋଲି କହିଥିଲେ । ଭାଗୀରଥିବାବୁ କେବଳ ଜଣେ ସ୍ୱାଧୀନତାସଂଗ୍ରାମୀ ବା ରାଜନୀତିଜ୍ଞ ନଥିଲେ, ସେ ଜଣେ ବାସ୍ତବବାଦୀ ବ୍ୟକ୍ତିତ୍ୱ ଥିଲେ ବୋଲି କହିଥିଲେ ଶ୍ରୀ ସିଂହ ।
ମୁଖ୍ୟବକ୍ତା ରୂପେ ଯୋଗଦେଇ ବିଶିଷ୍ଟ ଗାନ୍ଧିବାଦୀ ଓ ସ୍ତମ୍ଭକାର ପ୍ରହ୍ଲାଦ ସିଂହ ତାଙ୍କ ଅଭିଭାଷଣରେ ଭାଗୀରଥିଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ସମ୍ପର୍କରେ ଅବତାରଣା କରିବା ସହ ସେ ଜଣେ ସଚ୍ଚା ଗାନ୍ଧିଅନୁଗାମୀ ଥିଲେ ଓ କ୍ଷମତା ରାଜନୀତିଠାରୁ ଦୂରରେ ରହି ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମରେ ଜୀବନର ଶେଷପର୍ଯ୍ୟନ୍ତ ନିଜକୁ ନିୟୋଜିତ ରଖିଥିବା କହିଥିଲେ । ଶ୍ରୀ ସିଂହ ସାଂପ୍ରତିକ ରାଜନୀତିର ନୀତି ଓ ଗତି ସମ୍ପର୍କରେ ଆଲୋଚନା କରି ଭାଗୀରଥିଙ୍କୁ ଜଣେ ବିରଳ ଦେଶପ୍ରେମୀ ଭାବରେ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ତଥା କ୍ୟାଟ୍‌ର ପ୍ରାକ୍ତନ ଉପାଧ୍ୟକ୍ଷ ମନୋରଞ୍ଜନ ମହାନ୍ତି କହିଥିଲେ, ଭାଗୀରଥି ହେଉଛନ୍ତି ଉତ୍କଳର ଭଗୀରଥ । ସ୍ୱତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଓ ଉତ୍କଳ ପ୍ରଦେଶ କଂଗ୍ରେସ କମିଟି ଗଠନ ଦିଗରେ ଭାଗୀରଥିଙ୍କ ଅମୂଲ୍ୟ ଯୋଗଦାନକୁ କେହି ଅସ୍ୱୀକାର କରିପାରିବେନାହିଁ । ଭାଗୀରଥିଙ୍କ ସହ ତାଙ୍କର ପିଲାଦିନର ସ୍ମୃତିକୁ ମନେପକାଇଥିଲେ ଶ୍ରୀ ମହାନ୍ତି । ବିଳମ୍ବରେ ହେଲେ ମଧ୍ୟ ସେହି ମହାନ ଆତ୍ମାଙ୍କ ସମ୍ପର୍କରେ କାର୍ଯ୍ୟ ଆରମ୍ଭହୋଇଥିବାରୁ ସେ ଖୁସିବ୍ୟକ୍ତ କରିଥିଲେ । ଅନୁଷ୍ଠାନର ଟ୍ରଷ୍ଟି ତଥା ଆଇନଜୀବୀ ଶଶୀଭୂଷଣ ଦାସ ସ୍ୱରାଜ ଆଶ୍ରମ ଓ ଅଳକା ଆଶ୍ରମ ପ୍ରତିଷ୍ଠାରେ ଭାଗୀରଥିଙ୍କ ଅବଦାନ ସମ୍ପର୍କରେ ଐତିହାସିକ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଶତାୟୁ ସଂଗ୍ରାମୀ ନିଶାକର ଦାସଙ୍କୁ ‘ଭାଗୀରଥି ମହାପାତ୍ର ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିବା ବେଳେ ବିପ୍ଲବ ଚୌଧୁରୀ ଓ ବନଜ୍ୟୋତ୍ସ୍ନା ମହାପାତ୍ରଙ୍କୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ଭାଗୀରଥି ମହାପାତ୍ରଙ୍କ ନାତି ଲକ୍ଷ୍ମୀପ୍ରକାଶ ମହାପାତ୍ର ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଟ୍ରଷ୍ଟି ଜ୍ଞାନରଞ୍ଜନ ସାମନ୍ତରାୟ ସ୍ୱାଗତଭାଷଣ ଓ ଅତିଥି ପରିଚୟ ଏବଂ ଟ୍ରଷ୍ଟ୍‌ର ପ୍ରତିଷ୍ଠାତା ନିରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ବିଶ୍ୱଜିତ ସୂର୍ଯ୍ୟବଂଶୀ, ପ୍ରଶାନ୍ତ ଦାସ, କେଦାରନାଥ ବେହେରା, ମାନସ ପଟ୍ଟନାୟକ, ଅନିମା ରାୟ, ଆଇନଜୀବୀ ସୁସ୍ମିତା ପଟ୍ଟନାୟକ, ଅସିତ୍ ଜେନା, ଅକ୍ଷୟ କୁମାର ବେହେରା, ପ୍ରଦୀପ ସାହୁ, ଗୀତାଞ୍ଜଳି ପଣ୍ଡା, ପ୍ରସନ୍ନ ମହାପାତ୍ର, ଗୋପାଳ ଦାସ, ବନଶ୍ରୀ ମହାପାତ୍ର, ଦେବୀପ୍ରସନ୍ନ ମହାପାତ୍ର, ବିଜୟ ପଣ୍ଡା, ବନଜ୍ୟୋତ୍ସ୍ନା ମହାପାତ୍ର, କବିତା ମହାପାତ୍ର, ଗୀତାଞ୍ଜଳି ବେଉରା, ରାଜାରାମ ଦାସ ଏବଂ ଦେବାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *