ସାମ୍ବାଦିକମାନଙ୍କର ସମାଜପ୍ରତି ଗୁରୁଦାୟିତ୍ୱ ରହିଛି-ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର

 

ଭୁବନେଶ୍ୱର, 4th May,(Bnews): ସାମ୍ବାଦିକତାର ସମାଜ ପ୍ରତି ଗୁରୁଦାୟିତ୍ୱ ରହିଛି । ଗଣମାଧ୍ୟମ ଗଣସଚେତନତାର ବାହକ । ସାମ୍ବାଦିକମାନେ ସାମାଜିକ ପ୍ରତିବନ୍ଧିତା ସହ ନିରପେକ୍ଷ ସମ୍ବାଦ ପରିବେଷଣ କଲେ ସମାଜର ମଙ୍ଗଳ ସାଧନ ହେବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉତ୍କଳ ସାମ୍ବାଦିକ ସଂଘ ଓ ଭୁବନେଶ୍ୱର ସାମ୍ବାଦିକ ସଂଘଙ୍କ ଦ୍ୱାରା ମିଳିତ ଭାବେ ଆୟୋଜିତ ରାଜ୍ୟସ୍ତରୀୟ ସାମ୍ବାଦିକ ସମ୍ମେଳନକୁ ଉଦ୍‌ଘାଟନ କରି ଶ୍ରୀ ମହାପାତ୍ର ଏହା କହିଥିଲେ । ମୁଖ୍ୟ ଶାସନ ସଚିବ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ନିମନ୍ତେ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା କାର୍ଯ୍ୟକାରୀ କରାଯାଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ୮୯୩୨ ଜଣ ସାମ୍ବାଦିକଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । କାର୍ଯ୍ୟରତ ସାମ୍ବାଦିକ କୋଭିଡ୍‌ରେ ମୃତ୍ୟୁବରଣ କଲେ ତାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକଂପା ରାଶି ସରକାର ଘୋଷଣା କରିଛନ୍ତି । ବର୍ତ୍ତମାନ ସୁଦ୍ଧା ପ୍ରାୟ ୪୨ ଜଣ ସମ୍ବାଦିକଙ୍କ ନିକଟତମ ସଂପର୍କୀୟଙ୍କୁ ଏହି ଅନୁକଂପା ରାଶି ପ୍ରଦାନ କରାଯାଇଛି । ଏହାଛଡ଼ା ସାମ୍ବାଦିକଙ୍କ ପାଇଁ ୪ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା ଯୋଗାଇ ଦିଆଯାଉଛି । ଅଧିସ୍ୱୀକୃତି ପ୍ରାପ୍ତ ସାମ୍ୱାଦିକମାନଙ୍କ ରେଳଯାତ୍ରା ନିମନ୍ତେ ରିହାତି ଦରରେ ଟିକେଟ ପାଇଁ
ରାଜ୍ୟ ସରକାର ସୁପାରିଶ କରୁଛନ୍ତି ।  ଦିଲ୍ଲୀ, କଲିକତା ଓ ମୁମ୍ୱାଇସ୍ଥିତ ଓଡ଼ିଶା  ନିବାସ ଓ ଉତ୍କଳଭବନ ଏବଂ ସରକାରୀ ଡ଼ାକ ବଙ୍ଗଳାମାନଙ୍କରେ ସାମ୍ବାଦିକମାନଙ୍କ ରହଣି ନିମନ୍ତେ ରିହାତି ଦରରେ ଆରକ୍ଷଣ ପାଇଁ ମଧ୍ୟ ସଂପୃକ୍ତ କର୍ତ୍ତୁପକ୍ଷଙ୍କୁ ରାଜ୍ୟ ସରକାର ସୁପାରିଶ କରୁଛନ୍ତି । ଶ୍ରୀ ମହାପାତ୍ର ଆହୁରି ମଧ୍ୟ କହିଥିଲେ ଯେ କ୍ଷେତ୍ରସ୍ତରରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସୁରକ୍ଷା ଓ ଅଧିକ ଟଙ୍କାର ସ୍ୱାସ୍ଥ୍ୟବୀମା ଆଦି ସାମ୍ବାଦିକମାନଙ୍କ ଆବଶ୍ୟକତା ବିଷୟରେ ସରକାର ସଚେତନ ଅଛନ୍ତି । କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲାପାଳ ଓ ଏସ୍‌.ପି.ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ବାଦିକମାନଙ୍କର ଅନ୍ୟାନ୍ୟ ଆବଶ୍ୟକତା ଓ ଦାବି ବିଷୟରେ ସରକାର ସହୃଦୟତାର ବିଚାର କରୁଛନ୍ତି ବୋଲି ମଧ୍ୟ
ମୁଖ୍ୟ ଶାସନ ସଚିବ କହିଥିଲେ । ଏହି ଅବସରରେ ବିଶ୍ୱ ପ୍ରେସ୍‌ ସ୍ୱାଧିନତା ଦିବସ ଉପଲକ୍ଷେ ଜୟଦେବ ଭବନ ପରିସରରେ
ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀକୁ ଶ୍ରୀ ମହାପାତ୍ର ବୁଲି ଦେଖିଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ବାଦିକତା କ୍ଷେତ୍ରରେ ଉତ୍ତମ କାର୍ଯ୍ୟ କରିଥିବା ୭ ଜଣ ଯୁବ ସାମ୍ବାଦିକଙ୍କୁ ମଧ୍ୟ ମୁଖ୍ୟ ଶାସନ ସଚିବ ମାନପତ୍ର ଓ ଉପଢ଼ୌକନ ଦେଇ ଉତ୍ସାହିତ କରିବା ସହ ଉତ୍କଳ ସାମ୍ବାଦିକ ସଂଘର ମୁଖପତ୍ର ‘ଓଡ଼ିଶା ବାର୍ତ୍ତାଜୀବୀ’ ଉନ୍ମୋଚନ କରିଥିଲେ । ସମ୍ବର୍ନ୍ଧିତ ହୋଇଥିବା ସାମ୍ବାଦିକମାନେ ହେଲେ ସର୍ବ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ରାଜେନ୍‌ ଚୌଧୂରୀ, ଜିତେନ୍ଦ୍ର ସାହୁ, ଭରତ ବେହେରା, ମନୋଜ ପ୍ରଧାନ, ରାମଚନ୍ଦ୍ର ପାଲ୍‌ ଓ ପ୍ରତାପ ପ୍ରଧାନ । ଉତ୍କଳ ସାମ୍ବାଦିକ ସଂଘର ସଭାପତି ଶ୍ରୀ ବିଭୁତି ଭୂଷଣ କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମେଳନର ଉଦ୍‌ଘାଟନୀ ପର୍ଯ୍ୟାୟରେ ସମାଜର ପୂର୍ବତନ ବାର୍ତ୍ତା- ସଂପାଦକ ତଥା ଉତ୍କଳ ସାମ୍ବାଦିକ ସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଦୋଷ ପଟ୍ଟନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତାର ଗୁରୁତ୍ୱ ଉପରେ ଉଦ୍‌ବୋଧନ ଦେଇଥିଲେ । ସାମ୍ବାଦିକ
କଲ୍ୟାଣ ବୋର୍ଡର ସାଧାରଣ ସଂପାଦକ ଶ୍ରୀ ସନତ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ସମ୍ମେଳନର ସଂଯୋଜନା କରିଥିଲେ । ସଭାପତି ଶ୍ରୀ କର କାର୍ଯ୍ୟରତ ସାମ୍ବାଦିକମାନଙ୍କ କ୍ଷେତ୍ରସ୍ତରୀୟ ବାସ୍ତବ ସମସ୍ୟାଗୁଡିକ ପ୍ରତି ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଶଣ କରିଥିଲେ । ଭୁବନେଶ୍ୱର ସାମ୍ବାଦିକ ସଂଘର ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି, ଶ୍ରୀ ରାଜେନ ଚୌଧୂରୀ ଓ ଶ୍ରୀ ଭାଗବତ ତ୍ରିପାଠୀ ପ୍ରମୁଖ ସମ୍ମାନିତ ଅତିଥିଭାବେ ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *