ରାମଶଙ୍କର ରାୟଙ୍କ କାଞ୍ଚିକାବେରୀ; କିମ୍ବଦନ୍ତୀ-ଆଶ୍ରିତ ଏକ ଐତିହାସିକ ନାଟକ
ରାମଶଙ୍କର ରାୟ (୨୫ ମଇ ୧୮୫୭ – ୧୩ ସେପ୍ଟେମ୍ବର ୧୯୩୧) ଆଧୁନିକ ଓଡ଼ିଆ ନାଟକର ଜନକ ଭାବେ ପରିଚିତ। ୧୮୫୭ ମସିହା ଜ୍ୟୈଷ୍ଠ ଶୁକ୍ଳ ଦ୍ୱିତୀୟା ତିଥିରେ ସେ ଅସୁରେଶ୍ୱର ଅନ୍ତର୍ଗତ ଦିକ୍ଷୀତପଡ଼ାରେ ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ନେଇଥିଲେ। ସେ ନଟବର ରାମଶଙ୍କର ରାୟ ଭାବେ ଜଣା ।ରାମଶଙ୍କରଙ୍କୁ ପ୍ରଥମ ଓଡ଼ିଆ ଔପନ୍ୟାସିକ କୁହାଯାଏ । ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ ସୌଦାମିନୀ, ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ପ୍ରଥମେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ଟି ଅଧ୍ୟାୟ ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକା ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା।ତାଙ୍କର ପ୍ରଥମ କାବ୍ୟ ପ୍ରେମତରୀ ୧୮୭୮ରେ ପ୍ରକାଶ ପାଇଥିଲା । ରାମଶଙ୍କରଙ୍କର ପ୍ରଥମ ସମ୍ପୂର୍ଣ୍ଣ ଉପନ୍ୟାସ ବିବାସିନୀ ୧୮୯୧ରେ ପ୍ରକାଶିତ ହୋଇଥିଲା ।ଉମେଶ ଚନ୍ଦ୍ର ସରକାରଙ୍କ ପଦ୍ମମାଳି (୧୮୮୮) ପରେ ଏହା ଦ୍ୱିତୀୟ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ । ସେ ବହୁ ନାଟକ, ସୁଆଙ୍ଗ, ଗୀତିନାଟ୍ୟ, ଯାତ୍ରା ଆଦି ରଚନା କରି ଓଡ଼ିଆ ନାଟ୍ୟ ସାହିତ୍ୟକୁ ଏକ ସୁସଙ୍ଗଠିତ ବିଭାଗରେ ପରିଣତ କରିଥିଲେ । ତାଙ୍କର ପ୍ରଥମ ନାଟକ ‘କାଞ୍ଚିକାବେରୀ’ । ଏହି ନାଟକକୁ ସେ ମଞ୍ଚସ୍ଥ ମଧ୍ୟ କରାଇଥିଲେ । ଏହାକୁ ନିର୍ଦ୍ଦେଶନା ଦେଇଥିଲେ ତାଙ୍କ ବଡ଼ ଭାଇ ଗୌରୀଶଙ୍କର ରାୟ। ରାମାଭିଷେକ ତାଙ୍କର ଶେଷ ନାଟକ ଥିଲା । ଦୁର୍ଭିକ୍ଷର କରାଳ ତାଣ୍ଡବ ପରେ ପରବର୍ତ୍ତୀ ଓଡ଼ିଆ ଜାତିର ନବଜନ୍ମ । ଭାଷାବିଲୋପ ଆନ୍ଦୋଳନ ପରିପ୍ରେକ୍ଷୀରେ ଓଡ଼ିଆ ଜାତିର ନୂତନ ଆତ୍ମପ୍ରତ୍ୟୟ, ବ୍ରାହ୍ମ-ଆର୍ଯ୍ୟସମାଜ-ଖ୍ରୀଷ୍ଟୀୟାନ ଧର୍ମଧାରାର ଅନୁବର୍ତ୍ତନରେ ନୂତନ ସାମାଜିକ ଚେତନା ଓ ସର୍ବୋପରି ପାଶ୍ଚାତ୍ୟ ଶିକ୍ଷାର ବକାଶ ଓ ପ୍ରସାର ଫଳରେ ନୂତନ ଶିକ୍ଷିତ ମାନସ ପ୍ରସ୍ତୁତି ହିଁ ଯଥାର୍ଥରେ ଏହି ସମୟରେ ଆଧୁନିକ ସାହିତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲା । ଆଦି ନାଟ୍ୟକାର ଜଗନ୍ନୋହନ ଲାଲ ୧୮୭୭ ମସିହାରେ ବାବାଜୀ ନାଟକ ରଚନା କରିଥିଲେ । ଏହି ନାଟକ ରଚନା କରି ସେ ଆଧୁନିକ ଓଡ଼ିଆ ନାଟକ ରଚନା କରିବାର ପଥକୁ ସୁଗମ କରିଦେଲେ । ବାବାଜୀ ନାଟକ ରଚନା ହେବା ପରେ ଓଡ଼ିଆ ନାଟ୍ୟରଚନା କ୍ଷେତ୍ରରେ ଯଥାର୍ଥରେ ଏକ ନୂତନ ଜାଗରଣ ଦେଖାଗଲା ଓ ମାତୃଭାଷାରେ ନାଟକ ରଚନା କରିବା ପାଇଁ ଆତ୍ମପ୍ରତ୍ୟୟ ସୃଷ୍ଟି ହେଲା । ବାବାଜୀ’ର ନାଟକୀୟତା ସମ୍ପର୍କରେ ବହୁ ମତଦ୍ୱିଧା ଥିଲେ ହେଁ ବାବାଜୀ ପ୍ରଥମ ଓଡ଼ିଆ ନାଟକ ଭାବେ ପ୍ରତିଷ୍ଠା ଲାଭ କରିଛି । ବାବାଜୀ ନାଟକ ହିଁ ଥିଲାଦର୍ଶକ ଓ ପାଠକମାନଙ୍କ ପକ୍ଷରେ ନୂଆ ଫଳ ସ୍ୱରୁପ । ଯାହାର ଆସ୍ୱାଦନ ପରେ ଓଡ଼ିଆ ନାଟ୍ୟସାହିତ୍ୟରେ ନାଟ୍ୟକାର ରାମଶଙ୍କର ରାୟଙ୍କର ଆବିର୍ଭାବ ଘଟିଲା ଏବଂ ଓଡ଼ିଆ ନାଟ୍ୟଜଗତକୁ ତାଙ୍କର ପ୍ରଥଢ଼ ଅର୍ଘ୍ୟ ହେଲା କାଞ୍ଚିକାବେରୀ ।
ରାମଶଙ୍କର ରାୟ ମୁଖ୍ୟତଃ ତିନୋଟି ପ୍ରଧାନ ଭାବଧାରାକୁ ନେଇ କାଞ୍ଚିକାବେରୀ ନାଟକ ରଚନା କରିଥିବା ଜଣାଯାଏ । ଜାତୀୟତା, ଭକ୍ତି ଓ ନୂତନ ରୁଚିବୋଧ ହିଁ ଏହି ସମୟର ପ୍ରାଣସ୍ପନ୍ଦନ । ପୂର୍ବରୁ ଓଡ଼ିଶାରେ ଇଂରାଜୀ ନାଟକ ଓ ବଙ୍ଗଳା ନାଟକ ଅଭିନୀତ ହେଉଥିଲା । ଜାତିପ୍ରାଣ ଯୁବ ନାଟ୍ୟକାର ରାମଶଙ୍କରଙ୍କ ମନରେ ଏହା ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହି ପ୍ରତିକ୍ରିୟା ଫଳସ୍ୱରୁପ ଦେ ଦୀର୍ଘ ୩୬ ବର୍ଷ ମଧ୍ୟରେ ଓଡ଼ିଆ ସାହିତ୍ୟକୁ ୧୪ ଖଣ୍ଡ ନାଟକ, ଯାତ୍ରା ଓ ପ୍ରହସନ ଇତ୍ୟାଦି ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରୁ ଐତିହାସିକ ନାଟକ ଭାବେ କାଞ୍ଚିକାବେରୀ (୧୮୮୦) ସାମାଜିକ ନାଟ ବିଷମୋଦକ, ଯୁଗଧର୍ମ, କାଞ୍ଚନମାଳୀ, ଲୀଳାବତୀ, କାଳ୍ପନିକ ନାଟକ ରୁପେ କଳିକାଳ, ବୁଢ଼ାବର, ବନବାଳା, ବଡ଼ଲୋକ, ବିଶ୍ୱଯଜ୍ଞ ଓ ଧର୍ମମୂଳକ ନାଟକ ଭାବେ ରାମବନବାସ, କଂସବଧ, ଚୈତନ୍ୟଲୀଳା ରାମାଭିଷେକ ଆଦି ନାଟକଗୁଡ଼ିକ ଓଡ଼ିଆ ନାଟ୍ୟ ସାହିତ୍ୟକୁ ରୁଦ୍ଧୀମନ୍ତ କରିଛି । କାଞ୍ଚିକାବେରୀ ନାଟକରେ ପୁରୁଷୋତ୍ତମଦେବଙ୍କ ମାନବିକ ରୁପ ଓ ହୃଦୟର ଅନ୍ତଦ୍ୱର୍ନ୍ଦ୍ୱ ପ୍ରସ୍ଫୁଟିତ ହୋଇଛି । ନାଟ୍ୟକାର ରାମଶଙ୍କର ଏହି ଦ୍ୱନ୍ଦ୍ୱକୁ ନାଟକର ମୁଖ୍ୟ ଉପାଦାନ ଭାବେ ଗ୍ରହଣ କରିନେଇ କାଞ୍ଚିକାବେରୀ ନାଟକର ପରିକଳ୍ପନା କରିଛନ୍ତି । ସେ ନିଶ୍ଚିତ ଭାବେ ପ୍ୟାରିମୋହନଙ୍କ ଓଡ଼ିଶା ଇତିହାସ ହୁଏତ ତାଙ୍କୁ ପ୍ରେରଣା ଦେଇଥିବ । କିମ୍ବଦନ୍ତୀ-ଇତିହାସ-କାବ୍ୟ ପ୍ରଭୁତିରୁ ପ୍ରେରଣା ଗ୍ରହଣ କରି ସେ କାଞ୍ଚିକାବେରୀ ପରି ଏକ ଐତିହାସିକ ନାଟକ ରଚନା କରିଛନ୍ତି । କାଞ୍ଚିକାବେରୀ ଘଟଣା କିମ୍ବଦନ୍ତୀମୂଳକ ନୁହେଁ ବରଂ ଐତିହାସିକ । ଏଥିେ ର କିମ୍ବଦନ୍ତୀର ଛାୟା ରହିଛି ଓ କଳ୍ପନାବିଳାସର ପ୍ରଲେପ ରହିଛି । ତଥାପି ଏହା ଇତିହାସର ବୃତ୍ତରୁ ସ୍ୱତନ୍ତ୍ର ନୁହେଁ । ଏଥିରେ ଐତିହାସିକ ସତ୍ୟତା ରହିଛି । କାଞ୍ଚିର ରାଜା ସାଲ୍ୱ ନରସିଂହଦେବଙ୍କ ସହିତ ଓଡ଼ିଶାର ଗଜପତି ପୁରୁଷୋତ୍ତମଦେବଙ୍କ ଯୁଦ୍ଧ ଓ ବିଜୟ ଇତିହାସ ସମର୍ଥିତ । ଏହି ଐତିହାସିକ କଥାବସ୍ତୁ ଭିତରେ ଗଜପତି ପୁୁରୁଷୋତ୍ତମଦେବ ଓ କାଞ୍ଚି ରାଜକନ୍ୟା ପଦ୍ମାବତୀଙ୍କ ପ୍ରେମକାହାଣୀ ବଣ୍ଣିତ ରହିଛି । ଅତଏବ କାଞ୍ଚିକାବେରୀ କିମ୍ବଦନ୍ତୀ-ଆଶ୍ରିତ ଏକ ଐତିହାସିକ ନାଟକ ଏବଂ ଏଥିରେ ଇତିହାସରରେ ଅନୁଦ୍ଘାଟିତ ଓ ଅନାବିଷ୍କୃତ ମାନବିକ ଭାବସତ୍ତାକୁ ନାଟ୍ୟକାର ଉଦ୍ଘାଟିତ କରିଛନ୍ତି । ଏଥିସହିତ ସେ ଇତିହାସର ଜୀର୍ଣ୍ଣ କଥାବସ୍ତୁରେ ନୂତନ ପ୍ରାଣବିନ୍ୟାସ କରି ନାଟ୍ୟରୂପ ଦେଇଛନ୍ତି ।