ରାଜଧାନୀରେ ଆଲୋଡ଼ନ: ପର ପିଣ୍ଡାରେ ଶିଶୁକନ୍ୟାକୁ ଫୋପାଡ଼ିଦେଲା ନିର୍ଦୟା ମା’

ରାଜଧାନୀରେ ଆଲୋଡ଼ନ: ପର ପିଣ୍ଡାରେ ଶିଶୁକନ୍ୟାକୁ ଫୋପାଡ଼ିଦେଲା ନିର୍ଦୟା ମା’

ଭୁବନେଶ୍ୱର ୩୦-୧୧-୨୦୨୪ (ବି.ଏନ ଓ ) :  ପ୍ରାୟ ୨/୩ ସପ୍ତାହର ଶିଶୁକନ୍ୟା। ଉଠିଆରି, ବାରଯାତ୍ରା ପରେ ଲାଗୁଛି ଏକୋଇଶିଆ ବି ଯାଇଛି। ବଡ଼ ସୁନ୍ଦର ଗୁଲୁଗୁଲିଆ ଚେହେରା। ଶରୀରରେ କୌଣସି ରୋଗବୈରାଗର ଲକ୍ଷଣ ଆଦୌ ନାହିଁ। ପୋଷାକପତ୍ରରୁ ଲାଗୁଛି କୌଣସି ଥିଲାବାଲା ଘରେ ଜନ୍ମ ନେଇଥିଲା। ବୋଧହୁଏ ଶିଶୁକନ୍ୟା ବୋଲି ପରିବାର ଲୋକଙ୍କ ପାଇଁ ଅଲୋଡ଼ା ଥିଲା। ଅଯାଚିତ ଭାବେ ଜନ୍ମ ନେଇଥିଲା ବିଚାରୀ। ଯା’ହେଉ ହାତ ଗଲାନି ମାରିଦେବାକୁ। ତେଣୁ ବିଳମ୍ବିତ ରାତିରେ ପର ପିଣ୍ଡାରେ ଫୋପାଡ଼ି ଦେଇଗଲେ। ଆଜି ଭୋର୍‌ ସମୟରେ ଶିଶୁକନ୍ୟାଟି ଉଦ୍ଧାର ହୋଇଛି। ଆଚାର୍ଯ୍ୟବିହାର ମହାରାଜାବସ୍ତିର ଜଣକ ବାରଣ୍ଡାରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ରାଜଧାନୀର ସଭ୍ୟ ଶିକ୍ଷିତ ସମାଜରୁ ଆସିଥିବା ଏଭଳି ଦୃଶ୍ୟ ଆଜି ରାଜଧାନୀରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି। କାରଣ ରାଜଧାନୀର କେହି ଥିଲାବାଲା ହିଁ ଶିଶୁକନ୍ୟାକୁ ଫୋପାଡ଼ିଦେଇଛି ବୋଲି ଚର୍ଚ୍ଚା ହେଉଛି। ଦୁଇ ଦିନ ପୂର୍ବେ ରାଜଧାନୀରେ ଘଟିଥିବା ଶିଶୁକନ୍ୟା ବିକ୍ରି ଭଳି ଅଭାବନୀୟ ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ, ଆଜି ଶିଶୁକନ୍ୟାକୁ ରାଜରାସ୍ତାକୁ ଫୋପାଡ଼ି ଦେବା ଭଳି ଅଘଟଣ ସବୁ ମହଲକୁ ଆନ୍ଦୋଳିତ କରିଛି। 

ଆଜି ମହାରାଜା ବସ୍ତିର ଜନୈକ ମ

NEWS BY SASHIBHUSAN CHAINI

ହିଳା ସବୁଦିନ ଭଳି ଫୁଲ ତୋଳିବାକୁ ଭୋର୍‌ ପ୍ରାୟ ସାଢ଼େ ୩ଟା ବେଳେ ନିଦରୁ ଉଠିଥିଲେ। ବାହାରକୁ ବାହାରିବା ପୂର୍ବରୁ ସେ ଘର ଭିତରେ ପ୍ରସ୍ତୁତ ହେଉଥିବା ବେଳେ ବାରଣ୍ଡାରେ ଏକ ଶିଶୁର କ୍ଷୀଣ ସ୍ବରର କାନ୍ଦଣା ଶୁଣି ବିସ୍ମିତ ହୋଇଥିଲେ। କାନ୍ଦଣା ଶବ୍ଦଟି ତାଙ୍କ ବାରଣ୍ଡାରୁ ଆସୁଥିବା ନିଶ୍ଚିତ ହେବା ପରେ ସେ ଘଟଣା କ’ଣ ଜାଣିବାକୁ କବାଟ ଖୋଲିଥିଲେ। କପଡ଼ାରେ ଘୋଡ଼ାଇ ହୋଇ ବାରଣ୍ଡାରେ ପଡ଼ିଥିବା ଶିଶୁକନ୍ୟାକୁ ଦେଖି ପ୍ରଥମେ ସେ ନିଜ ଆଖିକୁ ବିଶ୍ବାସ କରିପାରି ନଥିଲେ। ପାଟି କରି ପରିବାର ଲୋକଙ୍କୁ ଡାକିଥି‌ଲେ। ଏହାପରେ ସେ ଶିଶୁଟିକୁ ଉଠାଇ ନେଇଥିଲେ କୋଳକୁ। ଶିଶୁଟିର ଦେହରେ ପୋଷାକ ଥିଲା। ହଗିସ୍ ପିନ୍ଧାଯାଇଥିଲା। ପାଦରେ ବି ମୋଜା ଥିଲା। ସେମାନଙ୍କ ପାଟି ଶୁଣି ପାଖ ପଡ଼ୋଶୀମାନେ ଉଠିପଡ଼ିଥିଲେ। ଖବର ପହଞ୍ଚିଥିଲା ୨୯ ନମ୍ବର କର୍ପୋରେଟର ଅପରୂପ ରାଉତଙ୍କ ନିକଟରେ। ଅପରୂପ ଘଟଣାସ୍ଥଳରେ ପହଞ୍ଚିବା ସହ ସହିଦନଗର ଥାନା ପୁଲିସକୁ ଜଣାଇଥିଲେ। ତୁରନ୍ତ ପୁଲିସ ଶିଶୁଟିକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇଥିଲା। ଖବର ପାଇ ଚାଇଲ୍‌ଡଲାଇନ୍‌ ବି ହସ୍ପିଟାଲ୍‌ରେ ପହଞ୍ଚିଥିଲା। ଡାକ୍ତର ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଏବଂ ସବୁ ଠିକ୍‌ ଥିବା ଜଣାପଡ଼ିବା ପରେ ଶିଶୁକୁ ଚାଇଲ୍‌ଡଲାଇନ୍‌ ଦାୟିତ୍ବରେ ଅର୍ପଣ କରାଯାଇଥିଲା। ସହିଦନଗର ଥାନା ପୁଲିସ ମହାରାଜାବସ୍ତି ଅଞ୍ଚଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି। ଶିଶୁକନ୍ୟାଟିକୁ କିଏ ସେ ନିର୍ଦ୍ଦୟ ଫୋପାଡ଼ି ଦେଇଛି, ତାକୁ ଠାବ କରିବାକୁ ପୁଲିସ ଚେଷ୍ଟା ଚଳାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *