ଯାତମୁଣ୍ଡିଆ-ସୂବର୍ଣ୍ଣପୁର ପୋଲ ଭାଙ୍ଗି ନଦୀକୁ ଝୁଲି ରହିଗଲା ବସ

ବାଙ୍କୀ:03.10.23(B.N.O.): ଅଳ୍ପକେ ବର୍ତ୍ତି ଯାଇଛି ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ । ଅନୁଗୋଳରୁ ଭୁବନେଶ୍ୱର ଆସୁଥିବା ବସଟି ପ୍ରାୟ ୧୦ଟା ବେଳେ ବାଙ୍କୀ ଯାତମୁଣ୍ଡିଆ- ସୂବର୍ଣ୍ଣପୁର ପୋଲ ଉପରେ ବାଡ଼ା ଭାଙ୍ଗୀ ପୂର୍ଣ୍ଣଗର୍ଭା ମହାନଦୀକୁ ଝୁଲି ରହିଛି । ତେବେ ଏହି ଦୁର୍ଘଟଣାକୁ ଯେ କେହି ଦେଖିବ ଲୋମ ଟାଙ୍କୁଡ଼ି ଉଠୁଛି । ବସଟି ଭାରସ୍ୟାମ ହରାଇ ଯେଉଁଭଳି ଭାବେ ବାଡ଼ା ଭାଙ୍ଗି ନଦୀ ଭିତରକୁ ମାଡ଼ିଯାଇଥିଲା କ’ଣ ହୋଇଥାନ୍ତା ତାହା କଳନା ବାହାରେ । କିନ୍ତୁ ଭଗବାନଙ୍କ କୃପାରୁ ବସଟିର ଆଗ ଦୁଇଚକ ନଦୀ ଭିତରକୁ ମାଡ଼ିଯାଇଥିବାବେଳେ ବସଟି ଅଧାଝୁଲା ଅବସ୍ଥାରେ ରହିଯାଇଥିଲା । ଫଳରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ସୂଚନା ଅନୁଯାୟୀ ବସଟି ଅନୁଗୋଳରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ୭ଟା ୪୫ରେ ଏହି ବସଟି ଅନୁଗୋଳରୁ ଯାତ୍ରା ଆରମ୍ଭ କରିଥିଲା । ୧୨ଟା ବେଳେ ଏହା ଭୁବନେଶ୍ୱରରେ ପହଞ୍ଚିଥା’ନ୍ତା । ତେବେ ତା’ପୂର୍ବରୁ ଏହା ଦୁର୍ଘଟଣାର ସମ୍ମୁଖୀନ ହେଲା । ବସ୍ ଡ୍ରାଇଭର ଶ୍ରୀକାନ୍ତ ବେହେରାଙ୍କ କହିବା ଅନୁଯାୟୀ, ହଠାତ୍ ଷ୍ଟିୟରିଂ ଫେଲ ହୋଇ ଯିବାରୁ ଏଭଳି ଦୁର୍ଘଟଣା ଘଟିଲା । ସେ କହିଛନ୍ତି ଯେ, ଯାତମୁଣ୍ଡିଆ ବ୍ରିଜ୍ ଉପରେ ବସ୍ ଥିବା ବେଳେ ଷ୍ଟିୟରିଂ ରଡ୍ ଛିଡ଼ି ଯାଇଥିଲା । ଫଳରେ ଷ୍ଟିୟରିଂ ଫେଲ୍ ହୋଇଗଲା ଓ ବସ୍ ଗୋଟିଏ ସାଇଡକୁ ଟାଣି ନେଲା । ବସକୁ ବ୍ରେକ୍ ଲଗାଇ ଅଟକାଇବାକୁ ବହୁ ଚେଷ୍ଟା କରିଥିଲି । ଫଳରେ ବସଟି ଅଟକି ଯାଇଥିଲେ ମଧ୍ୟ ସେତେବେଳକୁ ପୋଲର ବାଡ଼ା ଭାଙ୍ଗି ନଦୀକୁ ଝୁଲି ପଡ଼ିଥିଲା । ହେଲେ ଭଗବାନ ଆମକୁ ରକ୍ଷା କରି ଦେଇଛନ୍ତି ବୋଲି ସେ କହିଛନ୍ତି । ଏଥି ସହିତ ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ, ସେମାନେ ବସ ପଛପଟେ ୨ଜଣ ବାଇକରେ ଯାଉଥିଲେ । ବସର ଦ୍ୱାର ଓ ଆଗ ଚକ ବ୍ରିଜ୍ ତଳକୁ ଝୁଲି ରହିଥିବା ବେଳେ ବାକି ଅଂଶ ବ୍ରିଜ୍ ପରେ ରହିଥିଲା । ବସ୍‌ଯାତ୍ରୀ ପୂରା ଭୟଭୀତ ହୋଇ ଯାଇଥିଲେ । ଏହା ପରେ ବ୍ରିଜ୍ ଉପରେ ଯା’ଆସ କରୁଥିବା ସମସ୍ତ ଲୋକ ସେଠାରେ ସାହାଯ୍ୟ କରିବା ପାଇଁ ପହଞ୍ଚିଥିଲେ । ଆମେ ଫୋନ୍ ସ୍ଥାନୀୟ ଲୋକଙ୍କୁ ମଧ୍ୟ ଡାକିଥିଲୁ । କାଳେ ବସଟି ନଦୀରେ ପଡ଼ିଯିବ, ସେହି ଆଶଙ୍କାରେ ୨୦ରୁ ୩୦ ଜଣ ଲୋକ ବସକୁ ପଛପଟୁ ଟାଣି ଧରିଥିଲେ । ବସର ଦ୍ୱାର ନଦୀ ଭିତରକୁ ଥିବାରୁ ଝରକା ଦେଇ ସମସ୍ତ ଯାତ୍ରୀଙ୍କୁ ବାହାର କରାଯାଇଥିଲା । ପ୍ରାୟ ୩୦ରୁ ୩୫ ମିନିଟ୍ ମଧ୍ୟରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା । ବସଟିକୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକ, ଅଗ୍ନିଶମ ଓ ପୁଲିସ୍ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଏକ ହାଇୱା ଓ କ୍ରେନ୍ ସାହାଯ୍ୟରେ ବସଟିକୁ ଉଦ୍ଧାର କରାଯାଇଥିଲା । ତେବେ ପ୍ରକୃତରେ କେମିତି ଏହି ଦୁର୍ଘଟଣା ଘଟିଲା, ତାହା ତଦନ୍ତ ପରେ ଜଣାପଡ଼ିବ । ବସର ବେଗ କେତେ ଥିଲା, ଫିଟନେସ୍ ଥିଲା ନା ନାହିଁ, ବସର ସବୁ ଯନ୍ତ୍ରପାତି ଠିକ୍ ଭାବେ କାର୍ଯ୍ୟ କରୁଥିବା ନେଇ ଯାଞ୍ଚ କରାଯାଉଥିଲା ନା ନାହିଁ, ବସରେ କ୍ଷମତା ଠାରୁ ଅଧିକ ଯାତ୍ରୀ ଥିଲେ ନା ନାହିଁ ଏସବୁ ତଦନ୍ତ ପରେ ହିଁ ଜଣାପଡ଼ିବ ବୋଲି ସ୍ଥାନୀୟ ଥାନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *