ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା
ବିଜେଡିର ପ୍ରତିଷ୍ଠା ଦିବସ: ଯୁବନେତ୍ରୀଙ୍କୁ ଚାପୁଡ଼ା, ଭଂଜନଗରରେ ଦଳ ଛାଡ଼ିଲେ ନେତା
ଭଂଜନଗର/ଭୁବନେଶ୍ୱର ୨୬-୧୨-୨୦୨୪(ପିପିଏସ) : ଭାରତୀୟ ରାଜନୀତିରେ ଅନ୍ୟତମ ବଳିଷ୍ଠ ଆଞ୍ଚଳିକ ଦଳ ‘ବିଜୁ ଜନତା ଦଳ’ ଆଉ ଆଗ ଭଳି ସ୍ଥିତିରେ ନାହିଁ ବୋଲି ଚର୍ଚ୍ଚା ହେଉଛି। ବିଗତ ୨୮ ବର୍ଷ ମଧ୍ୟରେ ଯାହା ଦେଖାଯାଇ ନଥିଲା, ତାହା ଆଜି ଦୃଶ୍ୟମାନ ହୋଇଛି। ରାଜଧାନୀ ଭୁବନେଶ୍ବରସ୍ଥିତ ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ‘ଶଙ୍ଖଭବନ’ ଦଳୀୟ କର୍ମୀମାନେ ହାତାହାତି ହୋଇଛନ୍ତି। ବିଜେଡିର ବରିଷ୍ଠ ନେତାଙ୍କ ସାମ୍ନାରେ ଏହି ଘଟଣା ଘଟିଥିବା ବେଳେ ଏହା ନିୟନ୍ତ୍ରଣକୁ ଆସିବା ପୂର୍ବରୁ ଗଣମାଧ୍ୟମକୁ ଭିଡିଓ ଆସିଛି। କଥା ଏତିକିରେ ଅଟକି ନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଂଜାମର ଭଂଜନଗର ବ୍ଲକ ଅଧ୍ୟକ୍ଷ ଦଳ ଛାଡ଼ିଛନ୍ତି। ଭଂଜନଗନର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକ ଶଙ୍ଖ ଛାଡ଼ି ପଦ୍ମ ଧରିଛନ୍ତି। ଶଙ୍ଖଭବନରେ ପ୍ରତିଷ୍ଠା ଦିବସ ଚାଲିଥିବା ବେଳେ ଆଜି ଅପରାହ୍ଣରେ ବିଜେଡି ଯୁବନେତ୍ରୀ ଇପସିତା ସାହୁଙ୍କୁ ଆକ୍ରମଣ ହୋଇଛି। ତାଙ୍କୁ ଜଣେ ମହିଳା କର୍ମୀ ସର୍ବସମ୍ମୁଖରେ ଚାପୁଡ଼ା ମାରିଛନ୍ତି। ଏହି ସମୟରେ ଶହଶହ କର୍ମୀ ଉପସ୍ଥିତ ଥିଲେ। କୌଣସି କଥାକୁ ନେଇ ଜଣେ କର୍ମୀ ଇପ୍ସିତା ସାହୁଙ୍କୁ ଚାପୁଡ଼ା ମାରିଥିଲେ। ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । ହେଲେ ବିଜେଡିର ମହିଳା ଗୋଷ୍ଠୀ କାହିଁକି ଇପ୍ସିତା ସାହୁଙ୍କୁ ଆକ୍ରମଣ କଲେ ତାହା ଜଣାପଡିନାହିଁ। ଏହି ଅପ୍ରୀତିକର ଘଟଣା ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଘଟଣା ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ’ଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।
ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡିର ବିପର୍ଯ୍ୟୟ ପରେ ଦଳରେ ବିଶୃଙ୍ଖଳା ଦେଖାଯାଉଛି। ନିର୍ବାଚନ ପରେ ବିଜେଡିର ୨ ଜଣ ରାଜ୍ୟସଭା ସାଂସଦ ବିଜେପିରେ ଯୋଗ ଦେଇଛନ୍ତି। ଏକାଧିକ ପୂର୍ବତନ ବିଧାୟକ ବିଜେଡି ଛାଡ଼ି ପଦ୍ମ ଧରିଛନ୍ତି। ସେହିପରି ଗ୍ରାମ୍ୟସ୍ତରରେ ମଧ୍ୟ ବିଜେଡିର ନେତୃତ୍ବ ଆଉ ପୂର୍ବାବସ୍ଥାରେ ନାହିଁ।
ବିଜୁ ଜନତା ଦଳ ଆଜି ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି। ଶାସକ ଦଳ ଭାବେ ରହିଆସିଥିବା ବିଜେଡି, ଏଥର ପ୍ରଥମ ଥର ପାଇଁ ବିରୋଧୀ ଆସନରେ ରହିଥିବାବେଳେ ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି। ଆଉ ଏହି କାର୍ଯ୍ୟକ୍ରମରେ ବିଜେଡି ସୁପ୍ରିମୋ ଅଭିଭାଷଣ ଦେଇ, କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ନବୀନ ପଟ୍ଟନାୟକ ନିଜ ଉତ୍ତରାଧିକାରୀ ପ୍ରସଙ୍ଗରେ ଆଜି ଗଣମାଧ୍ୟମକୁ ଉତ୍ତର ଦେଇଥିଲେ। ସେ କହିଥିଲେ ଯେ, ମୁଁ ବହୁତ ଲମ୍ବା ସମୟ ଧରି ଅଛି। ଆଉ ଉତ୍ତରାଧିକାରୀ ନେଇ ମୁଁ ଚିନ୍ତା କରି ନାହିଁ।
ବିଜୁ ଜନତା ଦଳ ଓ ଶଙ୍ଖ ଚିହ୍ନ ଲୋକଙ୍କ ହୃଦୟରେ ଅଛି ଏବଂ ରହିଥିବ। ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଓଡ଼ିଶାବାସୀଙ୍କ ସେବା କରି ଚାଲିବ ଓ ଦେଶର ଶ୍ରେଷ୍ଠ ଆଞ୍ଚଳିକ ଦଳ ଭାବରେ ତା’ର ଗୌରବ ବଜାୟ ରଖିବ।
-ବିଜୁ ଜନତା ଦଳ
ପ୍ରତିଷ୍ଠା ଦିବସରେ ନବୀନଙ୍କ ଏହି ବୟାନକୁ ନେଇ ଏବେ ଚର୍ଚ୍ଚା ବଢିଛି। କାହିଁକି କିଛି ଦିନ ତଳେ ହିଁ ନବୀନ ଏକ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ପାଣ୍ଡିଆନ୍ ତାଙ୍କର ଉତ୍ତରାଧିକାରୀ ନୁହଁନ୍ତି। ଓଡ଼ିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ଚୟନ କରିବେ। ତେବେ କିଛି ଦିନର ଅନ୍ତରାୟ ପରେ ନବୀନ ତାଙ୍କ ମତ କାହିଁକି ବଦଳାଇଲେ, ଏବେ ତାକୁ ନେଇ ରାଜନୈତିକ କରିଡରରେ ଆଲୋଚନା ଆରମ୍ଭ ହେଇଛି।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନମଣ୍ଡଳୀ ବିଜେଡ଼ିକୁ ଶକ୍ତ ଧକ୍କା ଲାଗିଛି। ଗୁରୁବାର ଭଞ୍ଜନଗର ବ୍ଲକ ଅଧ୍ୟକଙ୍କ ସମେତ ତିନି ପଞ୍ଚାୟତର ସମିତିସଭ୍ୟ ବିଜେଡିରେ ଯୋଗ ଦେଇଛନ୍ତି। ସ୍ଥାନୀୟ ବନ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେପିରେ ଯୋଗ ଦେଇଛନ୍ତି ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରିସଭା ନାୟକଙ୍କ ସମେତ ବଡକୋଦଣ୍ଡା ସମିତିସଭ୍ୟ ଜେ.ମନୋଜ କୁମାର ପୃଷ୍ଟି, ବାରୁଡା ସମିତିସଭ୍ୟା ବନିତା ସେଠି, କୁଲାଡ ସମିତିସଭ୍ୟା ପି.ରେଣୁକା ପାତ୍ର, ନେତା ରାମହରି ପାତ୍ରଙ୍କ ସମେତ ଅନେକ କର୍ମୀ।
/sambad/media/media_files/2024/12/26/f2f80706-1afe-4acc-910a-78ea615889ae.jpg?resize=800%2C450&ssl=1)