ପୁଣି ବଢ଼ିବ ବିଦ୍ୟୁତ୍‌ ଶୁଳ୍କ !

ପୁଣି ବଢ଼ିବ ବିଦ୍ୟୁତ୍‌ ଶୁଳ୍କ !

ଭୁବନେଶ୍ୱର ୨୧-୧୨-୨୦୨୫(ବି.ଏନ .ଓ ) :  ର୍ଥିକ ବର୍ଷ ୨୦୨୬-୨୭ ନିମନ୍ତେ ବିଦ୍ୟୁତ୍‌ ମୂଲ୍ୟ ନିର୍ଦ୍ଧାରଣ ପାଇଁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆରସି) ପ୍ରକ୍ରିୟା ଆରମ୍ଭ କରିଛି। ଓଡ଼ିଶା ଜଳ ବିଦ୍ୟୁତ୍‌ ନିଗମ (ଓଏଚପିସି), ଓଡ଼ିଶା ବିଦ୍ୟୁତ୍‌ ଉତ୍ପାଦନ ନିଗମ (ଓପିଜିସି), ଓଡ଼ିଶା ଶକ୍ତି ସଞ୍ଚାରଣ ନିଗମ ଲିଃ. (ଓପିଟିସିଏଲ), ଗ୍ରିଡ୍‌କୋ ଏବଂ ଟାଟା ପାୱାର ପରିଚାଳନାରେ ଥିବା ୪ଟି ବିତରଣ କମ୍ପାନୀ ଗତ ୧୮ ତାରିଖରେ ବିଜ୍ଞପ୍ତି ଜାରି କରିଛନ୍ତି। ଜନଶୁଣାଣି ତାରିଖ ଧାର୍ଯ୍ୟ କରି ଓଇଆରସି ସମସ୍ତ ପକ୍ଷଙ୍କୁ ଅବଗତ କରିବେ। ଚଳିତବର୍ଷ ବଳବତ୍ତର ଥିବା ଟାରିଫ ବୃଦ୍ଧି ନହେଲେ ଉକ୍ତ ୮ କମ୍ପାନୀ ଆବଶ୍ୟକ କରୁଥିବା ରାଜସ୍ବଠାରୁ ୩୨୭୬ କୋଟି ଟଙ୍କା କମ୍‌ ରାଜସ୍ବ ପାଇବେ। ଯଦି ଆୟୋଗ ସେମାନଙ୍କ ପ୍ରସ୍ତାବକୁ ମାନି ନିଅନ୍ତି ତେବେ ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ହାରାହାରି ୟୁନିଟ ପିଛା ୯୮ ପଇସା ବୃଦ୍ଧି ହେବ ବୋଲି ଶକ୍ତି ସମୀକ୍ଷକ ଆକଳନ କରିଛନ୍ତି।
ସୂଚନା ଅନୁଯାୟୀ, ୮ ବିଦ୍ୟୁତ୍‌ କମ୍ପାନୀ ୨୦୨୬-୨୭ ବର୍ଷ ପାଇଁ ବାର୍ଷିକ ରାଜସ୍ବ ଆବଶ୍ୟକତା ଦରଖାସ୍ତ ଓଇଆର୍‌ସିରେ ଦାଖଲ କରିଛନ୍ତି। ଓଏଚ୍‌ପିସି ଆସନ୍ତା ବର୍ଷରେ ୬୪୪ କୋଟି ଟଙ୍କା ରାଜସ୍ବ ଆବଶ୍ୟକତା ରହିଥିବା ଆକଳନ କରିଛି। ଏହାର ଭରଣା ପାଇଁ ୫୬୦୨ ନିୟୁତ ୟୁନିଟ ବିଦ୍ୟୁତ୍ ଗ୍ରିଡକୋକୁ ଚଳିତବର୍ଷ ମୂଲ୍ୟରେ ବିକ୍ରି କଲେ ୮୩ କୋଟି ଟଙ୍କା କମ୍‌ ମିଳିବ। ଏହି ୮୩ କୋଟି ଟଙ୍କା ଭରଣା ପାଇଁ ବିଦ୍ୟୁତ୍‌ ବିକ୍ରି ମୂଲ୍ୟକୁ ୟୁନିଟ ପିଛା ୧୫ ପଇସା ବୃଦ୍ଧି କରି ୧୧୫ ପଇସାରେ ଧାର୍ଯ୍ୟ କରିବା ପାଇଁ ନିବେଦନ କରାଯାଇଛି। ସେହିପରି ପ୍ରଥମ ପର୍ଯ୍ୟାୟ ୪୨୦ ମେଗାୱାଟ ଇବ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ଆସନ୍ତା ବର୍ଷରେ ୨୭୫୫ ନିୟୁତ ୟୁନିଟ୍‌ ବିଦ୍ୟୁତ୍ ଗ୍ରିଡକୋକୁ ବିକ୍ରୟ ପାଇଁ ଓପିଜିସି ଆକଳନ କରିଛି। ଓପିଜିସି ଆସନ୍ତା ବର୍ଷ ବିକ୍ରି ମୂଲ୍ୟକୁ ୨ ଟଙ୍କା ୫୭ ପଇସାକୁ ହ୍ରାସ କରି ଆବଶ୍ୟକ କରୁଥିବା ୭୦୭ କୋଟି ଟଙ୍କା ରାଜସ୍ବ ଅସୁଲ କରିବ ବୋଲି ଦର୍ଶାଇଛି। ଓପିଟିସିଏଲ ଦାଖଲ କରିଥିବା ଦରଖାସ୍ତ ଅନୁସାରେ, ଆସନ୍ତା ବର୍ଷ ୪୧୮୫୦ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ରାଜ୍ୟ ଗ୍ରିଡରେ ସଫଳ ଭାବେ ଟ୍ରାନ୍ସମିସନ କରିବା ପାଇଁ ୧୪୯୦ କୋଟି ଟଙ୍କା ଆବଶ୍ୟକ। ରାଜସ୍ବ ଆବଶ୍ୟକତାକୁ ଭରଣା ପାଇଁ ଟ୍ରାନ୍ସମିସନ ଟାରିଫ ବୃଦ୍ଧି କରି ୟୁନିଟ ପିଛା ୩୫.୬୧ ପଇସା ଧାର୍ଯ୍ୟ କରିବାକୁ ନିବେଦନ କରାଯାଇଛି। ସେହିପରି ରାଜ୍ୟ ବିଦ୍ୟୁତ୍‌ ଭାର ପ୍ରେରଣ କେନ୍ଦ୍ର (ଏସ୍‌ଏଲ୍‌ଡିସି) ଆସନ୍ତା ବର୍ଷ ପାଇଁ ୧୫ କୋଟି ଟଙ୍କା ଆବଶ୍ୟକ କରୁଥିବା ଦର୍ଶାଯାଇଛି। ଗ୍ରିଡ୍‌କୋ ଦାଖଲ କରିଥିବା ଦରଖାସ୍ତ ଅନୁସାରେ, ଆସନ୍ତା ବର୍ଷ ଓଡ଼ିଶାରେ ୪୬୩୩୪ ନିୟୁତ ୟୁନିଟ ବିଦ୍ୟୁତ୍‌ ଉପଲବ୍ଧ ହେବ। ସେଥିରୁ ୪ଟି ଟାଟା ପାୱାର ବିତରଣ କମ୍ପାନୀ ପାଇଁ ୪୦୪୧୬ ନିୟୁତ ୟୁନିଟ ସଂରକ୍ଷିତ ରଖାଯିବା ସହ ଅବଶିଷ୍ଟ ୫୯୧୮ ନିୟୁତ ୟୁନିଟ ବଳକା ବିଦ୍ୟୁତ୍‌ ଖୋଲା ବଜାରରେ ବିକ୍ରୟ କରାଯିବ। ଆସନ୍ତା ବର୍ଷ ପାଇଁ ୧୫୧୮୧ କୋଟି ଟଙ୍କା ରାଜସ୍ବ ଆବଶ୍ୟକତା ଥିବାବେଳେ ଚଳିତବର୍ଷ ବଳବତ୍ତର ଥିବା ପାଇକାରୀ ମୂଲ୍ୟ ହିସାବରେ ବିତରଣ କମ୍ପାନୀଙ୍କଠାରୁ ୧୨୯୨୧ କୋଟି ଟଙ୍କା ଅସୁଲ ହେବ। ଅବଶିଷ୍ଟ ୨୨୬୦ କୋଟି ଟଙ୍କା ରାଜସ୍ବ ପାଇବା ପାଇଁ ଗ୍ରିଡ୍‌କୋ ପାଇକାରୀ ମୂଲ୍ୟକୁ ୟୁନିଟ ପିଛା ୫୭.୮୭ ପଇସା ବୃଦ୍ଧି କରି ୩ ଟଙ୍କା ୮୮ ପଇସା ଧାର୍ଯ୍ୟ କରିବାକୁ ନିବେଦନ କରିଛି।
ଟାଟା ପାୱାର ଅଧୀନରେ ଥିବା ୪ଟି ବିତରଣ କମ୍ପାନୀ ଓଇଆରସିରେ ଦାଖଲ କରିଥିବା ଦରଖାସ୍ତ ଅନୁସାରେ, ଆସନ୍ତା ବର୍ଷ ୨୦୬୭୩ କୋଟି ଟଙ୍କା ରାଜସ୍ବ ଆବଶ୍ୟକ ରହିଛି। ଆସନ୍ତା ବର୍ଷ ଗ୍ରିଡ୍‌କୋ ଠାରୁ ସମୁଦାୟ ୩୯୧୦୪ ନିୟୁତ ୟୁନିଟ କ୍ରୟ କରିବା ପାଇଁ ଯୋଜନା ରହିଛି। ସେଥିରୁ ୧୫% ହିସାବରେ ୫୭୮୯ ନିୟୁତ ୟୁନିଟ ବିତରଣ କ୍ଷତି ପରେ ଚଳିତବର୍ଷର ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ଅନୁସାରେ ୧ କୋଟି ଉପଭୋକ୍ତାଙ୍କୁ ଅବଶିଷ୍ଟ ୩୩୩୧୫ ନିୟୁତ ୟୁନିଟ ବିଦ୍ୟୁତ୍ ବିକ୍ରିକରି ସମୁଦାୟ ୨୦୦୦୯ କୋଟି ଟଙ୍କା ରାଜସ୍ବ ଆଦାୟ କରିବେ। ଅବଶିଷ୍ଟ ୬୬୪ କୋଟି ଟଙ୍କା ରାଜସ୍ବ ଆବଶ୍ୟକତା ପୂରଣ ପାଇଁ ଟାଟା ପାୱାର ପାଇକାରୀ ମୂଲ୍ୟକୁ ହ୍ରାସ କିମ୍ବା ଖୁଚୁରା ବିଦ୍ୟୁତ୍‌ ମୂଲ୍ୟକୁ ବୃଦ୍ଧି କରିବା ପାଇଁ ନିବେଦନ କରିଛି। ଏନେଇ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଉକ୍ତ ୮ଟି କମ୍ପାନୀ ଦାଖଲ କରିଥିବା ଦରଖାସ୍ତଗୁଡ଼ିକରେ ସ୍ପଷ୍ଟତା ଅଭାବ ରହିଛି। ଟାଟା ବିତରଣ କମ୍ପାନୀଗୁଡ଼ିକ ଓଇଆରସି ଧାର୍ଯ୍ୟ କରିଥିବା ହାରାହାରି ଟାରିଫ ଠାରୁ ୨୦୨୪-୨୫ରେ ଅଧିକ ୧୦୬୫ କୋଟି ଟଙ୍କା ଆଦାୟ କରିଥିବାବେଳେ ଆସନ୍ତା ବର୍ଷ ପାଇଁ ୬୬୪ କୋଟି ଟଙ୍କା ରାଜସ୍ବ ଅଭାବ ଦର୍ଶାଇବା ହାସ୍ୟାସ୍ପଦ। ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ ଅଧ୍ୟକ୍ଷ ପଞ୍ଚାନନ କାନୁନଗୋ ଓ ସମ୍ପାଦକ ରବି ବେହେରା କହିଛନ୍ତି, ପ୍ରସ୍ତାବିତ ଶୁଳ୍କ ବୃଦ୍ଧି ଗ୍ରାହକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ଉପଭୋକ୍ତାଙ୍କ ସ୍ବାର୍ଥ ଦୃଷ୍ଟିରୁ ପ୍ରସ୍ତାବିତ ବିଜୁଳି ଶୁଳ୍କ ଗ୍ରହଣୀୟ ନୁହେଁ, ଏହାକୁ ପୁନର୍ବିଚାର କରାଯାଉ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *