@@@ନିଶବ୍ଦ@@@
ମୋ କାନ୍ଥଘଣ୍ଟାରେ ସମୟ ଏବେ ଠିକ୍
ରାତି ୩ ଟା ବାଜି ୨୫ ମିନିଟ୍
ଟିକ୍ ଟିକ୍ ଶବ୍ଦକରି ଅବିରାମ ଗତିରେ ଧାଉଁଥିବା
ସେକେଣ୍ଡ କଣ୍ଟାକୁ ଦେଖି ମୁଁ ଗଣୁଛି
ମୋ ଗଡ଼ିଯାଉଥିବା ବୟସ
ଆଉ ମତେ ଶୁଆଇ ଦଉ ନଥିବା
କିଛି ହାତ ଗଣତି ସ୍ୱପ୍ନମାନଙ୍କୁ।
ଝିଙ୍କାରିର ଝିଁ ଝିଁ ଶବ୍ଦରେ ଶୁଣୁଛି
ମୋ ଅତୀତର ଆର୍ତନାଦ
ଆଉ ବସା ବାନ୍ଧି ରହିଥିବା
ମୋ ଆଶାମାନଙ୍କର ମୁଣ୍ଡପିଟା ବିଳାପ।
କବାଟ ସେପଟୁ ଧଡ୍ ଧଡ଼ କରି
ବାଡେଇ ହଉଛନ୍ତି ମୋ ଡାଇରିରେ
କବର ଦିଆ ହେଇ ରହିଥିବା ଅତୃପ୍ତ ଇଚ୍ଛାମାନେ।
କାନ୍ଥଘଣ୍ଟା ଉପରେ ୱାଲ୍ ଷ୍ଟିକର୍ ପରି
ଲାଗି ରହିଥିବା ଜୀବନ୍ତ ଝିଟିପିଟିଟି
ଏବେ ତା ଯାଗାରେ ସ୍ଥିର ନ ରହି ବୁଲୁଛି
ଘରଟା ଯାକ,
ଏମୁଣ୍ଡ ରୁ ସେମୁଣ୍ଡ
ବେଡ଼ରୁମ ଠୁ ବାଥରୁମ୍
ଏ କାନ୍ଥ ରୁ ସେ କାନ୍ଥ
ପୁରା ନିଶବ୍ଦ ହେଲେ ରାତି
ସେ ବି ଭୋଗୁଛି ତା ଜୀବନକୁ
ତା ମୁତାବକ।
ଠିକ୍ ମୋ ପରି
ମୋ ଅର୍ଦ୍ଧଭଗ୍ନ ସ୍ଵପ୍ନମାନଙ୍କ ପରି।
ପଙ୍ଖାର ବେଗ ବି କାହିଁ କେଜାଣି
ଆଜି ବଢ଼ି ଚାଲିଛି ଢେର୍ ଅଧିକ
ଠିକ୍ ସେମିତି ୭୨*୪ ବେଗରେ
ମୋ ନିଶ୍ବାସ ପ୍ରଶ୍ୱାସ।
ଜିରୋ ପାୱାର ବଲବ୍
ଆଗ ଅପେକ୍ଷା ବେଶି ତୋଫା ଲାଗୁଛି
ସ୍କାଇ ଲାଇଟର ଫାଙ୍କରେ ଏବେ ଆକାଶ ଦିଶୁଛି
ଆଉ ଦିଶୁଛି ଆକାଶ ଭର୍ତି ଅସୁମାରୀ ଆଶା ଓ ଅବଶୋଷ
ନିରବତା ଗୁଣୁଗୁଣୁ ହେଇ ଗାଉଛି ମୋ ଆତ୍ମାର ଗାଥା
ମୁଁ ବାଧ୍ୟ ଶିଶୁ ପରି କିଛି ନ କହି
ଆଖି ମେଲା କରି ବହଳ ଅନ୍ଧାରରେ ଦେଖୁଛି
ମୋ ସୁଦୂର ଅନିଶ୍ଚିତ ଭବିଷ୍ୟତ।
ସୁଶ୍ରୀ ସଙ୍ଗୀତା ଦାସ୍
ଇଂରାଜୀ ଗବେଷିକା
କଟକ