ଦେଶବ୍ୟାପୀ ଆୟୋଜିତ ହେଉଛି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ମେଳା

  • ଏପ୍ରିଲ ୧୮ ତାରିଖରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ସ୍ୱାସ୍ଥ୍ୟ ମେଳାରେ ହେଲେ ସାମିଲ; ପ୍ରଥମ ଦିନରେ ଦେଶର ୪୬୪ଟି ବ୍ଲକରେ ଅନୁଷ୍ଠିତ ହେଲା ସ୍ୱାସ୍ଥ୍ୟ ମେଳା
  • ୬୪ ହଜାରରୁ ଅଧିକ ଆଭା ସ୍ୱାସ୍ଥ୍ୟ ଆଇଡି ପ୍ରସ୍ତୁତ ହେଲା; ୧୭ ହଜାରରୁ ଅଧିକ ପିଏମଜେଏୱାଇ ଗୋଲ୍ଡେନ କାର୍ଡ ଜାରି
  • ଓଡ଼ିଶାର ୨୬ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ, ୨୦ ହଜାରରୁ ଅଧିକ ଲୋକ ସାମିଲ

 

NewDelhi,19th April: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ସହଭାଗିତାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ହେବାର ଚତୁର୍ଥ ବର୍ଷ ପୂର୍ତ୍ତି ପାଳନ କରାଯାଉଛି । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏପ୍ରିଲ୍‌ ୧୬ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଦେଶବ୍ୟାପୀ ଅତ୍ୟନ୍ତ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଏହି କାର୍ଯ୍ୟକ୍ରମକୁ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଅବସରରେ ଦେଶର ବିଭିନ୍ନ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ପ୍ରମୁଖ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ଜନପ୍ରତିନିଧି ଏବଂ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପରିଦର୍ଶନ କରୁଛନ୍ତି । ଏସବୁ କେନ୍ଦ୍ରରେ ଯୋଗାଇ ଦିଆଯାଉଥିବା ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସମ୍ପର୍କରେ ସେମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ।

ଏପ୍ରିଲ୍‌ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ଦେଶର ଏକ ଲକ୍ଷରୁ ଅଧିକ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ବ୍ଲକ୍‌ସ୍ତରରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଛି । ପ୍ରତି ଜିଲ୍ଲାରେ ଅତିକମରେ ଗୋଟିଏ ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହେଉଛି । ପ୍ରତି ବ୍ଲକ୍‌ରେ ଦିନିକିଆ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯିବ ଏବଂ ଦେଶର ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସାରା ଦେଶର ୪୬୪ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଉଥିବା ବେଳେ ପ୍ରଥମ ଦିନରେ ୩ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଏଥିରେ ଅଂଶଗ୍ରହଣ କରିଥିବା ସୂଚନା ମିଳିଛି । ହଜାର ହଜାର ଲୋକ ଉଚ୍ଚରକ୍ତଚାପ, ମଧୁମେହ ଆଦି ରୋଗର ଯାଞ୍ଚ କରାଇଛନ୍ତି । ଏଥିସହିତ ୬୪ ହଜାର ଆଭା ସ୍ୱାସ୍ଥ୍ୟ ପରିଚୟପତ୍ର ସୃଷ୍ଟି କରାଯାଇଛି ଏବଂ ୧୭ ହଜାରରୁ ଅଧିକ ପିଏମଜେଏୱାଇ ଗୋଲ୍ଡେନ୍‌ କାର୍ଡ ଜାରି କରାଯାଇଛି ।  

ଏପ୍ରିଲ ୧୮ ତାରିଖରେ ଓଡ଼ିଶାର ୨୬ଟି ବ୍ଲକ୍‌ରେ ସ୍ୱାସ୍ଥ୍ୟ ମେଳା ଆୟୋଜିତ ହୋଇଥିବା ବେଳେ ଏଥିରେ ୨୦ ହଜାରରୁ ଅଧିକ ଲୋକ ପଞ୍ଜୀକରଣ କରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି ।

ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରରେ ୧୬ ଏପ୍ରିଲ ୨୦୨୨ରେ ଗୋଟିଏ ଦିନରେ ଇ-ସଞ୍ଜିବନୀ ପ୍ଲାଟଫର୍ମ ମାଧ୍ୟମରେ ରେକର୍ଡ ୩ ଲକ୍ଷ ଟେଲି ପରାମର୍ଶ ଦିଆଯାଇଛି । ଆୟୁଷ୍ମାନ ଭାରତ – ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ଆରମ୍ଭ ହେବା ପରଠାରୁ ଏହା ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟକ ଟେଲି ପରାମର୍ଶ ସେବା । ପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୧.୮ ଲକ୍ଷ ଟେଲି ପରାମର୍ଶ ଦିଆଯିବାର ରେକର୍ଡ ରହିଥିଲା ।

ସୂଚନାଯୋଗ୍ୟ ଯେ, ଜାତୀୟ ସ୍ୱାସ୍ଥ୍ୟ ନୀତି ୨୦୧୭ର ଉଦ୍ଦେଶ୍ୟ ସାଧିତ କରିବା ସହିତ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ପାଇଁ ବଜେଟ୍‌ରେ ବ୍ୟବସ୍ଥା କରାଯାଇଥିଲା। ଏହି ଲକ୍ଷ୍ୟ ନେଇ ସାରା ଦେଶରେ ୧ ଲକ୍ଷ ୫୦ ହଜାର ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ୨୦୧୮ ମସିହା ଫେବୃଆରୀ ମାସରେ ଘୋଷଣା କରାଯାଇଥିଲା।

ପ୍ରାଥମିକ ଚିକିତ୍ସା କ୍ଷେତ୍ରରେ ଚୟନାତ୍ମକ ପରିବର୍ତ୍ତେ ବିସ୍ତୃତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଦିଗରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ କଲ୍ୟାଣ କେନ୍ଦ୍ରଗୁଡ଼ିକ ବ୍ୟାପକ ପରିବର୍ତ୍ତନ ଆଣିପାରିଛନ୍ତି । ଏସବୁ କେନ୍ଦ୍ରରେ ପ୍ରୋତ୍ସାହନମୂଳକ, ନିରାକରଣଯୋଗ୍ୟ, ଉପଚାର ଆଧାରିତ, ପୁନର୍ବାସ ଓ ଉପଶମ ଆଧାରିତ ସମାବେଶୀ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ଚିକିତ୍ସା କ୍ଷେତ୍ରରେ ରୋଗ-କୈନ୍ଦ୍ରିକ ପରିବର୍ତ୍ତେ କଲ୍ୟାଣ କୈନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଏଥିସହିତ ‘ସମସ୍ତଙ୍କ ପାଇଁ ସୁସ୍ଥତା’ ଆଭିମୁଖ୍ୟକୁ ସମର୍ଥନ କରୁଥିବା ‘ସମସ୍ତଙ୍କ ଠାରେ ସୁସ୍ଥତା’ର ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଅନୁରୂପ ଆନ୍ତଃକ୍ଷେତ୍ରୀୟ ସମନ୍ବୟ ଉପରେ ଗୁରୁତ୍ବାରୋପ କରାଯାଇଛି ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *