ଚା ଦୋକାନୀ ଶିବଶଙ୍କରଙ୍କର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ

ଭୁବନେଶ୍ୱର, ୨୦/୪/୨୨, (BNEWS): ଭୁବନେଶ୍ୱର ଆର.ଟି.ଓ ଅଫିସ ନିକଟ ଏକ ଓମ୍‌ଫେଡ୍‌ ବୁଥ୍‌ରେ ଚା ବିକ୍ରୀ କରୁଥିବା ଦୋକାନୀ ଶ୍ରୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୮ ହଜାର ୩୫୦ ଟଙ୍କା ଦାନ କରିଛନ୍ତି । ରାଜ୍ୟ ଲୋକସେବା ଭବନlର ସେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଭେଟି ଏହି ରାଶିର ଚେକ୍ ପ୍ରଦାନ କରିଥିଲେ ।ଏହି ଅବସରରେ ଶ୍ରୀ ଜେନା ଜଣାଇଥିଲେ ଯେ ସେ ଜଣେ କୋଭିଡ୍‌ ଯୋଦ୍ଧାଭାବେ କାର୍ଯ୍ୟ କରିଥିଲେ । ପ୍ରଥମ ଅବସ୍ଥାରେ ଆବିଷ୍କୃତ ହେଉଥିବା ଟିକାର ପରୀକ୍ଷାତ୍ମକ ପ୍ରୟୋଗ ନିଜ ଉପରେ କରାଇବା ପାଇଁ ସେ ସ୍ୱେଚ୍ଛାକୃତଭାବେ ଆଗଭର ହୋଇଥିଲେ। ଟିକା ନେବା ପୂର୍ବ ଏବଂ ପରେ ବିଭିନ୍ନପ୍ରକାର ଡ଼ାକ୍ତରୀ ପରୀକ୍ଷା ପାଇଁ ମଧ୍ୟ ସେ ସମ୍‌ ହସ୍‌ପିଟାଲକୁ ଯିବା ଆସିବା କରୁଥିଲେ। ତାଙ୍କୁ ଯିବା ଆସିବା ଖର୍ଚ୍ଚ ବାବଦରେ ୬୭୫୦.୦୦ ମିଳିଥିଲା । ଟିକା ପରୀକ୍ଷଣ ସଫଳ ହେବାରୁ ସେ ବହୁତ ଆନନ୍ଦିତ ହୋଇଥିଲେ ଓ ଆତ୍ମସନ୍ତୋଷ ଲାଭ କରିଥିଲେ। ସେହି ରାଶି ସହ ଚା ବେପାରରୁ ମିଳିଥିବା ୧ ମାସର ଲାଭ ମିଶାଇ ଶ୍ରୀ ଜେନା ସମୁଦାୟ ୧୮,୩୫୦.୦୦ ର ଚେକ୍‌ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କଲେ। ପ୍ରତି ବର୍ଷ ଦୋକାନରୁ ୧ ମାସର ରୋଜଗାର ସେ କୌଣସି ନା କୌଣସି ଅଭାବଗ୍ରସ୍ତ, ଦିବ୍ୟାଙ୍ଗ ଓ ନିସହାୟଙ୍କ ସହାୟତା ବା ସମାଜ କଲ୍ୟାଣ କାମରେ ବିନିଯୋଗ କରିଥାଆନ୍ତି । ପ୍ରାୟ ବିଗତ ୧୦ ବର୍ଷରୁ ଉର୍ଦ୍ଧ୍ଵକାଳ ଧରି ସେ ଏ ପ୍ରକାର ମାନବିକ ସେବା କାର୍ଯ୍ୟରେ ବ୍ରତୀ ଅଛନ୍ତି ବୋଲି ତାଙ୍କ ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ସମ୍ୱାଦରୁ ଜଣାପଡିଛି । ଶ୍ରୀ ଜେନାଙ୍କର ଏତାଦୃଶ ମାନବିକ ଚେତନା ଓ ଅନ୍ୟକୁ ସାହାଯ୍ୟ କରିବାର ମନୋଭାବ ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଶିବଶଙ୍କରଙ୍କୁ ସାଧୁବାଦ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ବିକାଶ କାମନା କରିଥିଲେ । ଚେକ୍‌ ପ୍ରଦାନ ସମୟରେ ଭୁବନେଶ୍ୱର (ମଧ୍ୟ) ର ବିଧାୟକ ସଦସ୍ୟ ଶ୍ରୀ ଅନନ୍ତ ନାରାୟଣ ଜେନା ଓ ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଉପସ୍ଥିତ ଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *