ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

  • ‘‘ଷ୍ଟାର୍ଟଅପ୍ସ ଓ କ୍ରୀଡ଼ାର ସଙ୍ଗମ ଗୁରୁତ୍ବପୂର୍ଣ୍ଣ । ବେଙ୍ଗାଲୁରୁରେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ’’
  • ‘‘ମହାମାରୀ ସମସ୍ୟା ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ । ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି’’
  • ‘‘ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା’’
  • ‘‘ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ’’
  • ‘‘ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରୟାସ କ୍ରୀଡ଼ା କ୍ଷେତ୍ରକୁ ପୁରୁଣାକାଳିଆ ଚିନ୍ତାଧାରାର ବନ୍ଧନରୁ ମୁକ୍ତ କରୁଛି’’
  • ‘‘କ୍ରୀଡ଼ା କ୍ଷେତ୍ରରେ ପରିଚୟ ଦେଶର ପରିଚୟ ବଢ଼ାଇଥାଏ’’

Newdelhi,24/4(Bnews): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମ ଅବସରରେ ନିଜର ବାର୍ତ୍ତା ଦେଇଛନ୍ତି । ଉପରାଷ୍ଟ୍ରପତି ଏମ. ଭେଙ୍କିୟା ନାଇଡ଼ୁ ଆଜି ବେଙ୍ଗାଲୁରୁ ଠାରେ ଏହି କ୍ରୀଡ଼ା ମହାକୁମ୍ଭକୁ ଉଦଘାଟନ କରିଛନ୍ତି । କର୍ଣ୍ଣାଟକ ରାଜ୍ୟପାଳ ଥୱର ଚନ୍ଦ ଗେହଲଟ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ, କେନ୍ଦ୍ର ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ, କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର, ଯୁବ ବ୍ୟାପାର ଓ କ୍ରୀଡ଼ା ରାଷ୍ଟ୍ର ମନ୍ତ୍ରୀ ନୀଶିଥ ପ୍ରାମାଣିକ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଙ୍ଗାଲୁରୁ ସହର ଦେଶର ଯୁବସୁଲଭ ଉତ୍ସାହର ପ୍ରତୀକ । ଏହା ପେସାଦାରମାନଙ୍କ ପାଇଁ ଗର୍ବ । ସେ କହିଥିଲେ ଯେ, ଏଠାରେ କ୍ରୀଡ଼ା ଏବଂ ଷ୍ଟାର୍ଟଅପ୍ସର ସଙ୍ଗମ ଦେଖିବାକୁ ମିଳିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।  ସେ କହିଥିଲେ ଯେ, ବେଙ୍ଗାଲୁରୁରେ ଖୋଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ଫଳରେ ଏହି ସୁନ୍ଦର ସହରର ଊର୍ଜା ଆହୁରି ବୃଦ୍ଧି ପାଇବ । କୋଭିଡ ମହାମାରୀ ସମସ୍ୟା ମଧ୍ୟରେ ଏହି କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିଥିବାରୁ ପ୍ରଧାନମନ୍ତ୍ରୀ ଆୟୋଜକମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏପରି ଆହ୍ବାନପୂର୍ଣ୍ଣ ସମୟରେ କ୍ରୀଡ଼ା ପ୍ରତିଯୋଗିତାର ଆୟୋଜନ ନୂତନ ଭାରତର ନିଷ୍ଠା ଓ ଉତ୍ସାହର ପ୍ରତୀକ । ଏହି ଯୁବ ସୁଲଭ ଉତ୍ସାହ ଭାରତକୁ ପ୍ରତ୍ୟେକ କ୍ଷେତ୍ରରେ ଏକ ନୂତନ ଗତିରେ ଆଗେଇ ନେଉଛି ପ୍ରଧାନମନ୍ତ୍ରୀ କହିଥିଲେ ।

ସଫଳତାର ପ୍ରଥମ ମନ୍ତ୍ର ଭାବେ ଦଳଗତ ଭାବନାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେ କହିଥିଲେ ଯେ ଆମେ କ୍ରୀଡ଼ାରୁ ଏହି ଦଳଗତ ଭାବନା ଶିକ୍ଷା ଲାଭ କରିଥାଉ । ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାରେ ଆପଣ ଏହି ଭାବନାକୁ ପ୍ରତ୍ୟକ୍ଷ ଭାବେ ଅନୁଭବ କରିପାରିବେ । ଏହି ଦଳଗତ ଭାବନା ଜୀବନକୁ ଏକ ଭିନ୍ନ ଦୃଷ୍ଟିକୋଣ ନେଇ ଦେଖିବା ପାଇଁ ଆମକୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଅନୁରୂପ ଭାବେ ସାମଗ୍ରିକ ଆଭିମୁଖ୍ୟ ଏବଂ ଶତପ୍ରତିଶତ ସମର୍ପଣ କ୍ରୀଡ଼ା ଓ ଜୀବନରେ ସଫଳତା ପାଇଁ ପ୍ରମୁଖ ଆବଶ୍ୟକତା ବୋଲି ଶ୍ରୀ ମୋଦୀ କହିଥିଲେ । ବାସ୍ତବରେ ଦେଖିବାକୁ ଗଲେ, କ୍ରୀଡ଼ା ଜୀବନରେ ଏକ ମୌଳିକ ସହାୟକ ପ୍ରଣାଳୀ ଭାବେ କାର୍ଯ୍ୟ କରିଥାଏ ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ । ସେ କ୍ରୀଡ଼ା ଏବଂ ଜୀବନ ମଧ୍ୟରେ ରହିଥିବା ସମାନତା ଉପରେ ଆଲୋଚନା କରିଥିଲେ । ଉତ୍ସାହ, ଆହ୍ବାନ, ପରାଜୟରୁ ଶିକ୍ଷା, ସଚ୍ଚୋଟତା ଏବଂ ନିର୍ଦ୍ଦିଷ୍ଟ ମୁହୂର୍ତ୍ତକୁ ନେଇ ବଞ୍ଚିବା ଆଦି ଜୀବନର ଗୁରୁତ୍ବପୂର୍ଣ୍ଣ ଶିକ୍ଷା, କ୍ରୀଡ଼ାରୁ ହିଁ ପ୍ରାପ୍ତ ହୋଇଥାଏ ବୋଲି ସେ କହିଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ବିଜୟକୁ ଭଲ ଭାବେ ଗ୍ରହଣ କରିବା ଏବଂ ପରାଜୟରୁ ଶିକ୍ଷା ଲାଭ କରିବାର ଗୁରୁତ୍ବପୂର୍ଣ୍ଣ କଳା ଆମେ କ୍ରୀଡ଼ା କ୍ଷେତ୍ରରୁ ଶିକ୍ଷା ଲାଭ କରିଥାଉ ।

ଯୁବ କ୍ରୀଡ଼ାବିତ୍‌ମାନଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ନୂତନ ଭାରତର ଯୁବପିଢ଼ି ଏବଂ ସେମାନେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ର ଧ୍ବଜାବାହକ । ସେ କହିଥିଲେ ଯେ ଯୁବସୁଲଭ ଚିନ୍ତାଧାରା ଏବଂ ଦୃଷ୍ଟିକୋଣ ଆଜି ଦେଶର ନୀତି ନିର୍ଦ୍ଧାରଣ କରୁଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଯୁବପିଢ଼ି ଫିଟନେସକୁ ଦେଶ ପ୍ରଗତିର ମନ୍ତ୍ର ଭାବେ ଗ୍ରହଣ କରିଛନ୍ତି । ବିଭିନ୍ନ ପ୍ରୟାସ ମାଧ୍ୟମରେ କ୍ରୀଡ଼ା କ୍ଷେତ୍ରରେ ରହିଥିବା ପୁରୁଣାକାଳିଆ ଚିନ୍ତାଧାରା ଦୂର ହେଉଛି । ନୂତନ ଶିକ୍ଷା ନୀତିରେ କ୍ରୀଡ଼ା ଉପରେ ଗୁରୁତ୍ବାରୋପ କରାଯିବା, କ୍ରୀଡ଼ା ପାଇଁ ଆଧୁନିକ ଭିତ୍ତିଭୂମି ନିର୍ମାଣ, ପାରଦର୍ଶୀ ଚୟନ ପ୍ରକ୍ରିୟା, କ୍ରୀଡ଼ା କ୍ଷେତ୍ରରେ ଆଧୁନିକ ପ୍ରଯୁକ୍ତିର ଉପଯୋଗ ବୃଦ୍ଧି ଭଳି ପଦକ୍ଷେପ ନୂତନ ଭାରତର ପରିଚୟ ପାଲଟିଛି । ଏସବୁ ପ୍ରୟାସ ଯୁବପିଢ଼ିଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ଦିଗରେ ସହାୟକ ହେବା ସହିତ ନୂତନ ଭାରତରେ ନିଷ୍ପତ୍ତି ନେବାର ମୂଳଦୁଆ ପାଲଟିଛି । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ଦେଶରେ ଏବେ ନୂଆ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ମାନ ପ୍ରତିଷ୍ଠା କରାଯାଉଛି । ସ୍ବତନ୍ତ୍ର କ୍ରୀଡ଼ା ବିଶ୍ବ ବିଦ୍ୟାଳୟ ନିର୍ମାଣ ଜାରି ରହିଛି । ଯୁବ କ୍ରୀଡ଼ା ପ୍ରତିଭାଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କର ସୁବିଧା ଏବଂ ସ୍ବପ୍ନ ପୂରଣ କରିବା ଲାଗି ଏସବୁ ପଦକ୍ଷେପ ଗ୍ରହଣ କରାଯାଉଛି ।

ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ ଯେ, କ୍ରୀଡ଼ା କ୍ଷେତ୍ରରେ ସାମର୍ଥ୍ୟ ଦେଶର ଶକ୍ତି ବଢ଼ାଇଥାଏ । କ୍ରୀଡ଼ା କ୍ଷେତ୍ରରେ ପରିଚୟ ଦେଶର ପରିଚୟ ବଢ଼ାଇଥାଏ । ଟୋକିଓ ଅଲିମ୍ପିକ୍ସ ପ୍ରତିନିଧି ଦଳ ସହ ନିଜର ବୈଠକ ବିଷୟରେ ପ୍ରଧାନମନ୍ତ୍ରୀ ସ୍ମରଣ କରିଥିଲେ । ସେ କହିଥିଲେ ଯେ, ଦେଶ ପାଇଁ କିଛି କରିବାର ଉତ୍ସାହ ସେତେବେଳେ ସେ କ୍ରୀଡ଼ାବିତ୍‌ଙ୍କ ମୁଖମଣ୍ଡଳରେ ଦେଖିପାରିଥିଲେ । ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟରେ ଦେଶ ପାଇଁ ଖେଳିବା ଲାଗି ପ୍ରଧାନମନ୍ତ୍ରୀ କ୍ରୀଡ଼ାବିତ୍‌ମାନଙ୍କୁ ଆହ୍ବାନ କରିଥିଲେ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *