କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀରରେ ବର୍ଷା ବିତ୍ପାତ

କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀରରେ ବର୍ଷା ବିତ୍ପାତ…

ଗୁରୁବାରଠାରୁ ଲାଗିରହିଥିବା ବର୍ଷା ପ୍ରଭାବରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୂଷଳଧାରାରେ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ, ହାତୀ…

ସମ୍ବଲପୁର/ ଭୁବନେଶ୍ୱର ୦୪-୧୦-୨୦୨୫(ବି.ଏନ .ଓ .) : ଗୁରୁବାରଠାରୁ ଲାଗିରହିଥିବା ବର୍ଷା ପ୍ରଭାବରେ କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୂଷଳଧାରାରେ ବର୍ଷା ଯୋଗୁଁ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ, ହାତୀ ସମେତ ଅଞ୍ଚଳର ସମସ୍ତ ନଦୀ ଫୁଲିଛି। ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଓ ଗଛପଡ଼ି ରାସ୍ତା ଅବରୋଧ ହୋଇଛି। ଫୁର୍ଲିଝରଣ ଜଳପ୍ରପାତକୁ ଆସନ୍ତା ୨ ଦିନ ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ କରିଦିଆଯାଇଛି। ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି। ବହୁ ଲୋକଙ୍କ ଘରକୁ ପାଣି ପଶିଥିବାରୁ ଖାଦ୍ୟ ସାମଗ୍ରୀ ସହ ଅନ୍ୟ ଜିନିଷପତ୍ର ଭିଜି ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖାଯାଉଛି।

ହାତୀ ନଦୀ ଓ ସାନ୍ଦୁଲ ନଦୀରେ ବନ୍ୟା ଯୋଗୁଁ ବ୍ୟାପକ ଚାଷଜମି ବାଲିଚର ହୋଇଛି। ଏହାସହିତ ଜମିଗୁଡ଼ିକ ଜଳମଗ୍ନ ହୋଇ ରହିଛି। ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟରରେ ପହଞ୍ଚିଛି। ସାନ୍ଦୁଲ ନଦୀର ଖଜୁରିପଡ଼ା ପୋଲ ଭାଙ୍ଗିବା ଯୋଗୁଁ ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ପଞ୍ଚାୟତର ୮ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ଥୁଆମୂଳ ରାମପୁର ବ୍ଲକ୍‌ ବଣ୍ଡେଲ ବରଘାଟଯୋରରେ ବନ୍ୟା ଯୋଗୁଁ ଅନେକ ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଭୂସ୍ଖଳନ ଯୋଗୁଁ ପାହାଡ଼ରୁ ବଡ଼ ବଡ଼ ପଥର ଖସି ମୁଖୀଗୁଡ଼ା-ମହୁଲପାଟଣା ରାସ୍ତା ଅବରୋଧ ହୋଇଛି। ସିଙ୍ଗାରୀ ଘାଟିରେ ମାଟି ଓ ପଥର ଖସିବା ଯୋଗୁଁ ରାସ୍ତା ଅବରୋଧ ହୋଇଛି। ମଦନପୁର ରାମପୁର ବ୍ଲକ୍‌ ଦେଢ଼ଶୁଲି ଓ ଜାମୁଲି ମଧ୍ୟରେ ପାହାଡ଼ରୁ ପଥର ଖସିବା ଫଳରେ ଯାତାୟାତ ଠପ୍‌ ହୋଇଛି। କର୍ଲାପାଟ ଥାନା ଅନ୍ତର୍ଗତ ଶେମେଲପଦରଠାରେ ନଦୀରେ ଭାସିଯାଇ ଶିକ୍ଷକ ପ୍ରଦୀପ ଦାଶଙ୍କ ମୃତ୍ୟୁ ଘଟିଛି। ତାଙ୍କ ଭାଇ ଅବସରପ୍ରାପ୍ତ ଶିକ୍ଷକ ଦିଲୀପ ଦାଶ ଏବେ ମଧ୍ୟ ନିଖୋଜ ଅଛନ୍ତି। ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ଘର ଭାଙ୍ଗିଥିବା ଖବର ମିଳିଛି। କେସିଙ୍ଗା ବ୍ଲକ୍‌ର ଠେମରାଠାରେ ଗୋଟିଏ ପରିବାରର ସମସ୍ତ ସଦସ୍ୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ବିଭିନ୍ନ ସ୍ଥାନରେ ରାବଣପୋଡ଼ି କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ରାବଣପୋଡ଼ି ପୂର୍ବରୁ ବହୁ ସ୍ଥାନରେ ମୂର୍ତ୍ତିଗୁଡ଼ିକ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି। କେସିଙ୍ଗା ବ୍ଲକ୍‌ କାଣ୍ଡେଲ ଗ୍ରାମର ଦେହେରେନ (ବୋରଘାଟ) ନାଳ ନିକଟରେ ବାଇପାସ ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଜୋଲକୋ-କାଣ୍ଡେଲ ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି।

ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ୍‌ରେ ବେଶୀ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। କୋମନା ଜୁନାଗଡ଼ପଡ଼ାର ଅନେକ ଲୋକଙ୍କ ଘରେ ବର୍ଷାପାଣି ପଶି ଯାଇଛି। ଜିଲ୍ଲାର ଅନେକ ଗାଁରେ ଘର ଭାଙ୍ଗିଛି। ଅନେକ ରାସ୍ତା ଧୋଇଯାଇଛି। ନୂଆପଡ଼ା ବ୍ଲକ୍‌ ସରାବଙ୍ଗ-ଆମାନାରା ରାସ୍ତା ପାୱାରତୋଲା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଖଡ଼ିଆଳ ସୁନ୍ଦର ନଦୀରେ ୨୦୦୮ ମସିହା ପରେ ପ୍ରଥମଥର ବନ୍ୟା ଆସିଛି। ଫଳରେ ସୁନ୍ଦର ନଦୀର ପଲସଦା ପୋଲ ଉପରେ ଏକ ଫୁଟରୁ ଅଧିକ ପାଣି ପ୍ରବାହିତ ହେଉଛି। ଖଡ଼ିଆଳ ଅଞ୍ଚଳର ବହୁ ଚାଷଜମି ପାଣିରେ ବୁଡ଼ିରହିଛି। ବୁଢ଼ାପଡ଼ା ଓ ପଲସଦା ମଝିରେ ରାସ୍ତା ଉପରେ ୩ ଫୁଟ ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ୍‌ ଅଞ୍ଚଳର ଅନେକ ଗାଁରେ ବ୍ୟାପକ ଧାନଫସଲ ନଷ୍ଟ ହୋଇଥିବା ଖବର ମିଳିଛି। ପାହାଡ଼ ପଟୁ ଆସିଥିବା ଝରଣାମାନଙ୍କରେ ଅଧିକ ବର୍ଷାପାଣି ଆସିବାରୁ ଚାଷଜମି ଜଳମଗ୍ନ ହୋଇଯାଇଛି।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *