ଏ ନୁହେଁ ଏକ ଗପ। ତେଣୁ ନାହିଁ ତାର ନାଁ
ମୁଁ ତ ଲେଖକ ନୁହେଁ, ଗପ ପାଇଁ ତୁମ ପରି ପ୍ଲଟ ଖୋଜିବା ମୋର ଅଭ୍ୟାସ ନୁହେଁ। ତଥାପି ସବୁବେଳେ ମୁଁ କାହିଁକି ଅନ୍ୟମନସ୍କ ରୁହେ। ସିଲାର ପଚାରିଲା ଆଖି ନଚେଇ ନଚେଇ। ସେ ସବୁବେଳେ ଏମିତି। ଅଜବ ପ୍ରଶ୍ନ ସବୁ ପଚାରେ। ତାକୁ ଉତ୍ତର ବି ସଂଗେ ସଂଗେ ଦେବାକୁ ପଡିଥାଏ।ନହେଲେ ସେ ଅଭିମାନ କରେ।
ତୁମ ଭିତରେ ପ୍ରଚୁର କଳ୍ପନାଶୀଳତା ରହିଛି। ସର୍ଜନାତ୍ମକ ଭାବନା ଅଛି। ଇଂରାଜୀ ସାହିତ୍ୟରେ ପିଜି କରୁଥିବା ସିଲା ଏକଥା ଭୁଲି ଯାଇଛି ବୋଧେ। ମୁଁ ତାକୁ ଏତିକି କହିଲି।
ଇଂରାଜୀରେ ପିଜି କରିବା ସହିତ ସେ ଏକ ଘରୋଇ ଇଂଜିନିଅରିଂ ଜକେଜରେ ଅଧ୍ୟାପିକା ଭାବେ କାମ କରୁଥିଲା କିଛିଦିନ। ସ୍ୱଳ୍ପ ଦରମା ଓ ଘରଠୁ ବେଶୀ ଦୂର ବୋଲି ଚାକିରୀ ଛାଡିଦେଲା। ଆଗକୁ ତାକୁ ଓପିଏସସି ପରୀକ୍ଷା ଦେବାର ଅଛି। ସେଠି ପଢାପଢିରେ ଖୁବ ଅସୁବିଧା ହେଉଥିଲା। ଏଇନା ବ୍ଲକ କଲେଜରେ ଚୁକ୍ତିଭିତ୍ତିକ ଅଧ୍ୟାପିକା। ଘରଠୁ 5 କିମି ଦୂରରେ କଲେଜ। ସ୍କୁଟି ନେଇ ଯିବା ଆସିବା କରେ ସିଲା।
ମୋ ଉତ୍ତରରେ ସନ୍ତୁଷ୍ଟି ହେଲାନି ବୋଧେ ସେ। ପୁଣି ପଚାରିଲା। କେବେ କେବେ ମାଲୁମ ପଡୁନଥିବା ଚିଡିଚିଡ଼ାପଣ ଓ ଏକ ଉଦାସୀନତା ଘେରିଯାଏ ମୋତେ। କାହିଁକି??
କିଛି ସମୟ ପାଇଁ ଆସେ,ଯାହାର କୌଣସି ଚିହ୍ନ ବର୍ଣ୍ଣ ନଥାଏ,କୌଣସି କାରଣ ନଥାଏ,ମୋତେ ଠିକ ସେହି ସମୟରେ କଣ କରିବାକୁ ହେବ ମୋତେ ଜଣା ନଥାଏ। ଏମିତି କାହିଁକି ହୁଏ??
ତୁମେ ନିଜକୁ ଖୁବ ଜୋରରେ ବାନ୍ଧି ରଖିଛ।ତୁମକୁ ନିଜଠୁ ମୁକ୍ତ ହେବାକୁ ହେବ ସିଲା।ତୁମ ସମସ୍ୟା ସେଇଠି, ତୁମ ଭିତରେ। କହିଲି ମୁଁ।
ଏକ ସାଦା କାଗଜରେ ସେ ଏକ ଆଖିର ଆଉଟ ଲାଇନ ଅଂକୁଥାଏ। ସେଇ ଚିତ୍ରକୁ ମୋ ମତେ ଦେଖାଇ କହିଲା, ମୁଁ ମୋ ଅକ୍ତିଆରରେ ନାହିଁ।
କେହିବି ଆମେ ନିଜ ଅକ୍ତିଆରରେ ନଥାନ୍ତି। ଏଥିରେ ନୂଆ କିଛି ନାହିଁ। ଅନେକ ଜିନିଷ ଆମକୁ ପ୍ରଭାବିତ କରିଥାଏ ସବୁବେଳେ।
ସେ ପୁଣି ପଚାରିଲା, ଦୁନିଆରେ କେତେ ଲୋକ ନିଜ ଇଛା ଅନୁସାରେ ନିଷ୍ପତ୍ତି ନେଇଥାନ୍ତି??
ମୁଁ ସବୁଦିନି କାହିଁକି ସେଇକଥା କହି ପାରେନି ଯାହା ସଭିଙ୍କୁ ପସନ୍ଦ ଆସି ପାରନ୍ତା??
ହୁଏ ଏପରି କିଛି କଥା କହିବାକୁ ବର୍ଷ ବର୍ଷ ଲଭିଯାଇଥାଏ ସିଲା। ବେଳେବେଳେ ତ ଜୀବନ ବିତି ଯାଇଥାଏ କିଛି କହିବାକୁ। କହିଲି ମୁଁ।
ମୋତେ ଲାଗିଲା ତାକୁ ବିଶେଷ ପ୍ରଭାବିତ କଲାନି ମୋ କଥା। ସେମିତି ଉଦାସୀନତା ଭିତରେ ବୁଡି ରହିଥାଏ ସିଲା।
ଏକ ଉଦାସ କବିତା ପରି।
ତାର ସମସ୍ତ ନିଷ୍ପତ୍ତିରେ ବାଃ ବାଃ କହୁଥିବା ଲୋକମାନେହିଁ ତା ନିଷ୍ପତ୍ତି ନେଵାର ଅଧିକାରକୁ ଛଡେଇ ନେଇଥିଲେ।
ସକାଳ ଯେବେ ଆସେ ବିନା ଚଢ଼େଇ ମାନଙ୍କ କିଚିରି ମିଚିରି ଶବ୍ଦରେ, ଲାଗେ ନାହିଁ ସକାଳ ପରି। ତୁମେ ଉଦାସ ହୋଇଗଲେ ଦିଶ ଗୋଟେ କବିତା ପରି। ଗପ ହେଇ ଯ ନା। ଚଢେଇ ମାନଙ୍କ କଲରବ ପରି। କହିଲି ମୁଁ।
ବୁଦ୍ଧିମାନଙ୍କ ର ମଧ୍ୟ କିଛି କଷ୍ଟ ଥାଏ, ପୀଡା ଥାଏ।ଅଲଗା ହେବାର, ନିର୍ବାସନ ଭୋଗିବା ପରି। କିଛି ନିର୍ବାସନ ସେମାନେ ଇଛି ଥାଆନ୍ତି ମୋ ପରି। କହିଲା ସିଲା।
ତୁମ ପାଖରେ ହିଁ ଅଛି ସେଇ କ୍ଷମତା। ତୁମେ ପାରିବ ସିଲା। ସାମାନ୍ୟ ହେବାର କ୍ଷମତା।
ସାମାନ୍ୟ ତ ହେଉଛି। ମୋର କଉ ଦିନ ଅସମାନ୍ୟ କ୍ଷମତା ଥିଲା ଯେ ସାମାନ୍ୟ ହେବାକୁ ମୋତେ କଷ୍ଟ ହେବ??
ଆସ ଯିବା। ଡାକିଲି ତାକୁ। ଚାଲ ଟିକେ ଲସି ପିଇବା।ଖୁବ ଗରମ ହେଉଛି। ଫଗୁଣରେ ବି ହଜି ଯାଇଛି ଫଗୁଣ। ଟିକେ ମଜା କଲି।
ସିଲା ଏଥର ହସିଲା। ଜାଣେ ତୁମେ ଜଣେ ଅଭିନେତା, ଯେମିତି ହେଲେ ମୋତେ ହସେଇ ଦେବ। ସ୍ୱାଭାବିକ କରେଇ ଦେବ।ଅଛି ସେ କ୍ଷମତା ତୁମଠି।
ନାହିଁ, କିଛି କ୍ଷମତା ନାହିଁ। ଥିଲେ କଣ ମିଛରେ ହେଲେବି କୁହେଇ ପାରି ନଥାନ୍ତି କି ତୁମେ ମତେ ଭଲ ପାଅ ବୋଲି।…..
No photo description available.