ଆମେରିକା କାହିଁକି ଭାରତ ଆଡ଼କୁ ଢ଼ଳୁଛି ?
ଆମେରିକା କାହିଁକି ଭାରତ ଆଡ଼କୁ ଢ଼ଳୁଛି ?
ଡ ସନ୍ତୋଷ କୁମାର ମହାପାତ୍ର
skmohapatra67@gmail.com
ମୋ:୯୪୩୭୨୦୮୭୬୨
ନିକଟରେ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଯାଇଥିଲେ । ସେଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ଯାହା ଗର୍ବର ବିଷୟ। କିନ୍ତୁ ଆମେରିକା ଭାରତର କେବେ ବନ୍ଧୁ ନଥିଲାକି ବନ୍ଧୁ ହୋଇପାରିବ ନାହିଁ । ବିଭିନ୍ନ ଯୁଦ୍ଧବେଳେ ବା ସାହାଯ୍ୟ ଆବଶ୍ୟକ ଥିଲାବେଳେ ଏହା ଭାରତକୁ ସାହାଯ୍ୟ ନକରି ପାକିସ୍ଥାନକୁ ସାହାଯ୍ୟ କରିଥାଏ ।ଅତୀତରେ ଚାଇନାକୁ ମଧ୍ୟ ସାହାଯ୍ୟ କରିଛି । ଏଣୁ ଆମେରିକା ଏପରିକି କିଛି ସମସ୍ୟାର ସମ୍ମୁଖୀନ ହେଉଛିଯେ, ଯାହାଫଳରେ ଏହା ଭାରତ ଆଡ଼କୁ ଢ଼ଳିବାକୁ ବାଧ୍ୟ ହେଉଛି । ଉଲ୍ଲେଖଯୋଗ୍ୟଯେ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ଭାରତ ଖାଦ୍ୟ ଅଭାବର ସମ୍ମୁଖୀନ ହୋଇଥିଲା। ଭାରତ ଆମେରିକା ଠାରୁ ଖାଦ୍ୟ ସହାୟତା ଲୋଡିଥିଲା। ଭାରତ ଏବଂ ଏହାର ନେତାମାନଙ୍କୁ ଅପମାନିତ କରିବା ପାଇଁ ଆମେରିକା ଏହି ସଙ୍କଟରୁ ଉପଯୋଗ କରିବାକୁ ଯଥାସମ୍ଭବ ଉଦ୍ୟମ କରିଥିଲା। ଆମେରିକୀୟ ନେତାମାନେ ଭାରତୀୟ ପ୍ରତିନିଧି ବିଜୟଲକ୍ଷ୍ମୀ ପଣ୍ଡିତଙ୍କୁ “ମହୁ”, “ଶିଶୁ” ବୋଲି କହି ଅପମାନିତ କରିଥିଲା । ତତ୍କାଳୀନ ଆମେରିକା ରାଷ୍ଟ୍ରପତି ନିକ୍ସନ୍ ଘୋଷଣା କରିଥିଲେ ଯେ ଭାରତୀୟମାନେ ପୃଥିବୀର ସବୁଠାରୁ ଖରାପ ଲୋକ। ସେହି ଆମେରିକା ମଧ୍ୟ ନରେନ୍ଦ୍ର ମୋଦୀ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ଆମେରିକା ଯିବାପାଇଁ ତାଙ୍କୁ ଭିସା ଦେଇନଥିଲା ।ଇଲ୍ଲେଖଯୋଗ୍ୟଯେ ୧୯୪୧ ମସିହାରେ ନାଭାଲ ବେସ ପର୍ଲ ହାର୍ବର୍ (Pearl Harbor) ଉପରେ ଜାପାନର ଆଶ୍ଚର୍ଯ୍ୟଜନକ ଆକ୍ରମଣ ପରେ, ଆମେରିକା ସହଯୋଗୀ ଦଳ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରବେଶ କରିଥିଲା। ଯୁଦ୍ଧର ପରିଣାମ ଆମେରିକା ଏବଂ ସୋଭିଏତ ସଂଘକୁ ବିଶ୍ୱର ଦୁଇଟି ମହାଶକ୍ତି ଭାବରେ ପରିଣତ କରିଥିଲା । ଦ୍ୱିତୀୟ ବିଶ୍ଵ ଯୁଦ୍ଧ ପରେ କିଏ ସର୍ବାଧିକ କ୍ଷମତାଶାଳୀ ତାହା ନେଇ ଆମେରିକା ଓ ଋଷିଆ ମଧ୍ୟରେ ସର୍ବଦା ଶୀତଳ ଯୁଦ୍ଧ ଲାଗି ରହିଥିଲା। କିନ୍ତୁ ନବେଦଶକର ଆରମ୍ଭରେ ସୋଭିଏତ୍ ଋଷିଆର ବିଲୟ ପରେ ଆମେରିକା ପୁଣି ବିଶ୍ବରେ ସର୍ବାଧିକ କ୍ଷମତାଶାଳୀ ରାଷ୍ଟ୍ର ହୋଇ ତାର ସାମ୍ରାଜ୍ୟବାଦ , ପୁଞ୍ଜିବାଦ ଚିନ୍ତାଧାରାର ଦୃତ ପ୍ରସାର ଘଟାଇ ନିଜ ପତିଆରା ଜାହିରି କରିଥିଲା । କିନ୍ତୁ ସେହି ଆମେରିକା ଆଜି ଯଦିଓ ସାମରିକ ଶକ୍ତି, ବୈଜ୍ଞାନିକ ଜ୍ଞାନ କୌଶଳ, ଉଦ୍ଭାବନ , ଆବିଷ୍କାର, ଡାକ୍ତରୀ ବିଜ୍ଞାନ ମହାକାଶ ଗବେଷଣା, ଓ ଆର୍ଥିକ ବ୍ୟବସ୍ଥା ଦୃଷ୍ଟିରୁ ବିଶ୍ବରେ ସର୍ବଶକ୍ତିମାନ , ତଥାପି ଏହା ଅନେକ ଆର୍ଥିକ ସମସ୍ୟା ଯୋଗୁଁ ତାର ଆଗପରି ବିଶ୍ବରେ ଆଉ ପ୍ରଭୁତ୍ଵ ଜାହିରି କରିବାର କ୍ଷମତା ହରାଇଛି । ଅପର ପକ୍ଷରେ ଚାଇନା ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଉଭା ହୋଇ ଆମେରିକାର ପ୍ରାଧ୍ୟାନ କ୍ଷୁର୍ଣ୍ଣ କରିଛି । ଚାଇନାର ଗୁରୁତ୍ଵ ହ୍ରାସ ପାଇଁ ଏକଦା ଭାରତକୁ ଅଣଦେଖା କରୁଥିବା ଆମେରିକା ଭାରତକୁ ତାର ଜୁନିଅର ଷ୍ଟ୍ରାଟେଜିକ୍ ପାର୍ଟନର ହିସାବରେ ବ୍ୟବହାର କରିବାକୁ ଚାହୁଁଛି । ଯେହେତୁ ଭାରତର ଚାଇନା ସହିତ ସୀମାକୁ ନେଇ ବିବାଦ ରହିଛି , ଆମେରିକା ତାର ସ୍ଵାର୍ଥ ପାଇଁ ଓ ଚାଇନାର ଆଧିପତ୍ୟ ହ୍ରାସ ପାଇଁ ଭାରତ ଆଡକୁ ଢଳୁଛି ।ଉଲ୍ଲେଖଯୋଗ୍ୟଯେ ୧୯୦୦ ମସିହା ପରଠାରୁ ଆମେରିକା ବିଶ୍ୱର ବୃହତ୍ତମ ଅର୍ଥନୀତି ହୋଇଆସୁଛି। କିନ୍ତୁ ପ୍ରାୟ ୩ ଦଶନ୍ଧି ଧରି ଚାଇନା ୧୦% ହାରରେ ବୃଦ୍ଧି ପାଇ ଆମେରିକାକୁ କଡା ଟକ୍କର ଦେଉଛି । ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି ଅନୁଯାୟୀ, ୨୦୨୩ରେ ଆମେରିକାର ଜିଡିପି ୨୬.୯ ଟ୍ରିଲିୟନ ଡଲାର ହୋଇଥିଲା ବେଳେ ଚାଇନା ର ଜିଡିପି ୧୯.୪ ଟ୍ରିଲିଅନ ଡଲାର ଓ ଭାରତର ମାତ୍ର ୩. ୩୪ ଟ୍ରିଲିଅନ ଡଲାର । ଆଗାମୀ କିଛି ବର୍ଷରେ ଚାଇନା ଆମେରିକାକୁ ଅତିକ୍ରମ କରିବ। କ୍ରୟଶକ୍ତି ସମତା ( ପି ପି ପି) ଦୃଷ୍ଟିରୁ ବର୍ତ୍ତମାନ ଚାଇନା ସର୍ବବୃହତ୍ ଅର୍ଥନୀତି ହୋଇଥିଲା ବେଳେ ଆମେରିକା ଦ୍ୱିତୀୟ ଓ ଭାରତ ୨୦୧୧ ରୁ ତୃତୀୟ ବୃହତ୍ ଅର୍ଥନୀତି ଭାବେ ପରିଗଣିତ ହୋଇଛି। ଚାଇନାର ଭିତ୍ତିଭୂମୀ ଶକ୍ତିଶାଳୀ । ମିଳିତ ଜାତିସଂଘର ପରିସଂଖ୍ୟାନ ବିଭାଗ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ,୨୦୧୦ ରୁ ମାନ୍ୟୁଫାକ୍ତ୍ଚରିଙ୍ଗ (manufacturing) ଉତ୍ପାଦନ ଦୃଷ୍ଟିରୁ ଚାଇନା ଆମେରିକାକୁ ଅତିକ୍ରମ କରିଛି। ୨୦୧୯ ରେ ବିଶ୍ବରେ ଚାଇନାର ଅଂଶ ୨୮.୭% ବା ୪ ଟ୍ରିଲିୟନ ଡଲାର୍ ହୋଇଥିଲାବେଳେ ଆମେରିକାର ଅଂଶ ୧୬.୮% ଓ ଭାରତର ଅଂଶ ମାତ୍ର ୩.୧%। ଚାଇନା ଆତ୍ମନିର୍ଭରଶୀଳ ହେବା ସହିତ ଏହାର ଦ୍ରବ୍ୟ ବେଶୀ ରପ୍ତାନୀ କରୁଛି । ଆମେରିକା ଚାଇନାରୁ ବେଶୀ ଆମଦାନୀ କରୁଛି । ଯାହା ଫଳରେ ଚାଇନାର ବାଣିଜ୍ୟ ଉଦବୃତ୍ତ ବା ବଳକା ( ରପ୍ତାନୀ-ଆମଦାନୀ) ଆମେରିକା ସହିତ ୨୦୨୨ ରେ ୩୮୨.୯୨ ବିଲିୟନ ଡଲାରରେ ପହଞ୍ଚିଛି।ଏହା ଆମେରିକା ପାଇଁ ଚିନ୍ତାର ବିଷୟ ହୋଇଛି ।ସେହିପରି ଧନୀ ଓ କର୍ପୋରେଟ ମାନଙ୍କ ଟିକସ ହ୍ରାସ କରିବାରୁ ବିତ୍ତୀୟ ନିଅଣ୍ଟ ବୃଦ୍ଧି ପାଇବା ସହିତ ଆମେରିକା ଋଣଜାଲରେ ପଡିଯାଇଛି । ଅଳ୍ପକେ ଋଣ ପରିଶୋଧ କରିବାର ବିଫଳତାରୁ ଆମେରିକା ବର୍ତ୍ତିଯାଇଛି । ଜାତୀୟ ଋଣ ପରିମାଣ ଜାନୁୟାରୀ ୨୦୨୩ ସୁଦ୍ଧା ୩୧.୪ ଟ୍ରିଲିୟନ ଡଲାରରେ( ୧ ଟ୍ରିଲିୟନ=୧୦୦୦ ବିଲିୟନ , ୧ ବିଲିୟନ=୧୦୦ କୋଟି , ୧ ଡଲାର = ୮୦ ଟଙ୍କା ପାଖାପାଖି) ପହଞ୍ଚିଛି, ଯାହା ୨୦୦୮ ମସିହାରୁ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶ୍ବରେ ଆମେରିକାର ବାହ୍ୟ ଋଣ ସର୍ବାଧିକ । ସେପ୍ଟେମ୍ବର ୨୦୨୨ସୁଦ୍ଧା, ଏହା୨୪.୩୫ ଟ୍ରିଲିୟନ ଡଲାରରେ ପହଞ୍ଚିଛି , ଯାହାକି ସର୍ବକାଳୀନ ରେକର୍ଡ ଅଟେ । ଚାଇନାର ବୈଦେଶିକ ମୁଦ୍ରା ପରିମାଣ ବେସରକାରୀ ହିସାବରେ ୬ ଟ୍ରିଲିୟନ ଡଲାର ପାଖା ପାଖି ଏବଂ ସରକାରୀ ହିସାବରେ ୩.୧୮ ଟ୍ରିଲିୟନ ଡଲାର ପାଖା ପାଖି , ଯାହା ବିଶ୍ବରେ ସର୍ବାଧିକ । ଭାରତରେ ଏହା ୦.୬ ଟ୍ରିଲିୟନ ଡଲାର ପାଖା ପାଖି । ଚାଇନା ତାର ବୈଦେଶିକ ମୁଦ୍ରାର ପ୍ରାୟ ୧.୨ ଟ୍ରିଲିୟନ ଡଲାର ଡଲାର ଡିନୋମିଟେଡ ଆସେଟରେ ରଖିଛି । ଏହାର ୬୦% ଆମେରିକାର ଆମେରିକାର ଋଣ ଅଟେ । ନଭେମ୍ବର ୨୦୨୨ ସୁଦ୍ଧା ବିଦେଶୀ ଦେଶଗୁଡିକ ଆମେରିକାର ଟ୍ରେଜେରୀ ସିକ୍ୟୁରିଟିରେ ମୋଟ ୭.୨ ଟ୍ରିଲିୟନ ଡଲାର ରଖିଥିଲେ , ଯେଉଁଥିରେ ଏବଂ ଜାପାନ ଏବଂ ଚାଇନା ର ଅଂଶ ସର୍ବାଧିକ । ଏହାର ଅର୍ଥ ଆମେରିକା ଅର୍ଥନୀତି ଚାଇନା ନିୟନ୍ତ୍ରଣରେ । ପୁନଶ୍ଚ ଆମେରିକାର ଡଲାର ପ୍ରମୁଖ ରିଜର୍ଭ କରେନ୍ସି ଏବଂ ବିଶ୍ୱର ବାଣିଜ୍ୟ କାରବାରର ମୁଖ୍ୟ ଭାଗ ଏହି ମୁଦ୍ରାରେ ହୋଇଥାଏ । ଯାହାଫଳରେ ଆମେରିକା ମନଇଚ୍ଛା ଋଣ କରି ବା ନିଜ ମୁଦ୍ରା ଛାପି ବ୍ୟୟ କରିଥାଏ। କିନ୍ତୁ ବର୍ତ୍ତମାନ ବିଭିନ୍ନ ଦେଶ ବା ସଂସ୍ଥା ଡଲାର ବିନା ନିଜ ବା ଅନ୍ୟ ମୁଦ୍ରାରେ କାରବାର କରିବାପାଇଁ ଆଗଭର ହେବାରୁ ଆମେରିକା ମୁଦ୍ରା ‘ ଡଲାର’ ତାର ଗୁରୁତ୍ଵ ହରାଇବାର ଆଶଙ୍କା ଦେଖାଦେଇଛି । ଏଣୁ ଆମେରିକା ଭାରତକୁ ନିଜ ଆଡକୁ ଆଣିବାକୁ ଚାହୁଁଛି ।ଆମେରିକାରେ ବର୍ତ୍ତମାନ୍ ବଜାର ସାଚୁରେସନ୍ ପଏଣ୍ଟରେ ପହଞ୍ଚିଲାଣି । ମାନ୍ଦାଅବସ୍ଥା ଦେଖା ଦେଉଛି । ଆମେରିକା କମ୍ପାନୀ ତାଙ୍କ ଦ୍ରବ୍ୟ ବିକ୍ରୟ ପାଇଁ ଲୋକ ବା କ୍ରେତା ଓ ବଜାର ଖୋଜୁଛନ୍ତି। ଭାରତ ପରି ୧୪୦ କୋଟି ଦେଶରେ ବିଶାଳ ବଜାର ବିଶ୍ଵରେ କେଉଁଠି ମିଳିବ ନାହିଁ ? ପୁନଶ୍ଚ ଏଠାରେ ପ୍ରଚୁର ଖଣିଜ ସମ୍ପଦ , ପ୍ରାକୃତିକ ସଂପଦ ଅଛି ଏବଂ ଏସବୁ ଶସ୍ତାରେ ଉପଲବ୍ଧ ହେଇଥାଏ। ବହୁତ୍ କମ୍ ମଜୁରୀରେ ଶ୍ରମିକ ମାନଙ୍କୁ ନିୟୋଜିତ କରାଯାଇ ପାରିବ ଏବଂ ସହଜରେ ଛଟେଇ କରାଯାଇପାରିବ। ଏଣୁ କିପରି ଆମେରିକା କମ୍ପାନୀ ଭାରତରେ ସହଜରେ ବ୍ୟବସାୟ କରି ଲାଭ ଅର୍ଜନ କରିବେ ସେଥିପାଇଁ ଆମେରିକା ଭାରତ ଆଡକୁ ଢଳୁଛି । ୨୦୧୮ରେ, ଜାତୀୟ ନିରାପତ୍ତା ନାମରେ ଭାରତରୁ ଆମେରିକାକୁ ରପ୍ତାନୀ ହୋଇ ଆସୁଥିବା ଇସ୍ପାତ ଉତ୍ପାଦ ଉପରେ ୨୫% ଏବଂ କେତେକ ଆଲୁମିନିୟମ ଉପରେ ୧୦% ଆମଦାନୀ ଶୁଳ୍କ ଆମେରିକା ଲାଗୁ କରିଥିଲା। ଏହାର ପ୍ରତିବାଦ ସ୍ୱରୂପ, ଜୁନ୍ ୨୦୧୯ ରେ ଭାରତ ୨୮ଟି ଆମେରିକୀୟ ଉତ୍ପାଦ ଉପରେ ସୀମା ଶୁଳ୍କ ଲାଗୁ କରିଥିଲା। କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ , ଯେଉଁ ଚୁକ୍ତିନାମା ହୋଇଛି ତାହା ଅନୁସାରେ ଅତିରିକ୍ତ ଶୁଳ୍କ ଯଥା ଛେନା (୧୦%), ମସୁର ଡାଲି (୨୦% ), ସତେଜ କିମ୍ବା ଶୁଖିଲା ଆଲମଣ୍ଡ (କିଲୋଗ୍ରାମ ପିଛା ୭ ଟଙ୍କା), ଖୋଳଯୁକ୍ତ ଆଲମଣ୍ଡ (ପ୍ରତି କିଲୋଗ୍ରାମ ପିଛା ୨୦ ଟଙ୍କା ), ବାଦାମ (୨୦% ), ସେଉ ( ୨୦%), ବୋରିକ୍ ଏସିଡ୍( ୨୦%), ) ଏବଂ ଡାଇଗ୍ନୋଷ୍ଟିକ୍ ରେଜିଣ୍ଟସ୍ ( ୨୦%) ଉଚ୍ଛେଦ କରାଯାଇଛି । ଏହାଦ୍ବାରା ଏସବୁ ଦ୍ରବ୍ୟ ଆମଦେଶରେ ଶସ୍ତାରେ ବିକ୍ରିହେବ ଏବଂ ଆମର ନିଜର କୃଷି ଉତ୍ପାଦନ ପ୍ରଭାବିତ ହେବ ଏବଂ ଆତ୍ମନିଭରଶୀଳତା ହ୍ରାସ ପାଇବ ।ସେହିପରି ଶୀତଳ ଯୁଦ୍ଧ ସମୟରେ ସୋଭିଏତ୍ ୟୁନିଅନ୍ ସହିତ ଭାରତ ଏକ ସମ୍ପର୍କ ସ୍ଥାପନ । ଆଜି ପର୍ଯ୍ୟନ୍ତ ଭାରତକୁ ଅଧିକାଂଶ ଅସ୍ତ୍ର ଶସ୍ତ୍ର ଋଷିଆରୁ ଆସିଛି। ୨୦୦୦ ଦଶକ ମଧ୍ୟଭାଗ ପର୍ଯ୍ୟନ୍ତ ଭାରତ ଆମେରିକା ଠାରୁ ଅସ୍ତ୍ର କିଣିବା ଆରମ୍ଭ କରି ନଥିଲା ଏବଂ ୨୦୦୮ ମସିହା ପରେ ଆରମ୍ଭ ହେଲା । ୨୦୧୩ରେ ଆମେରିକାରୁ ଭାରତ ପ୍ରାୟ ୮ ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର, ପ୍ରତିରକ୍ଷା ଉପକରଣ କିଣିଥିଲା ବେଳେ ୨୦୨୦ ରେ ଏହା ୨୦ ବିଲିୟନ ଡ଼ଲାରରେ ପହଞ୍ଚିଥିଲା। ଏବେବି ଭାରତ ଯେତିକି ଅସ୍ତ୍ରଶସ୍ତ୍ର, ପ୍ରତିରକ୍ଷା ଉପକରଣ ଆମଦାନୀ କରୁଛି ତାହାର ମୁଖ୍ୟଭାଗ ଋଷିଆରୁ ଆସୁଛି । କିନ୍ତୁ ଋଷିଆ ଠାରୁ ଭାରତ କମ୍, ଅସ୍ତ୍ର ଶସ୍ତ୍ର କିଣୁ ଏଵଂ ଆମେରିକାରୁ ଅଧିକ କିଣୁ ବୋଲି ଆମେରିକା ଚାହେଁ । ଯେତେଥର ପ୍ରଧାନ ମନ୍ତ୍ରୀ ଯିବେ ଆମେରିକା ଭାରତକୁ କିଛି ଅସ୍ତ୍ର ଶସ୍ତ୍ର ବିକିଥାଏ। ଏଥର ମଧ୍ୟ ବିଭିନ୍ନ ଅସ୍ତ୍ର ଶସ୍ତ୍ର କିଣିବା ସହିତ ୩ ବିଲିୟନ ଡଲାର ଦେଇ ଭାରତ ୩୧ ଟି ଉନ୍ନତ ଡ୍ରୋନ୍ କ୍ରୟ କରିବ । ଅସଲ କଥା ହେଉଛି ଆମେରିକା ଏକ ପୁଞ୍ଜିବାଦୀ ଓ ସାମ୍ରାଜ୍ୟବାଦୀ ରାଷ୍ଟ୍ର । ଯେଉଁ ରାଷ୍ଟ୍ର ଆମେରିକା ନିକଟରେ ନତମସ୍ତକ ନହୁଏ ତା ଉପରେ ବିଭିନ୍ନ ପ୍ରକାର ବାଣିଜ୍ୟକ ପ୍ରତିବନ୍ଧକ ଲଗାଇଥାଏ ବା ତଳିତଳାନ୍ତ କରିଥାଏ । ଏହା ଅନ୍ୟଦେଶକୁ କରାୟତ୍ତ କରିବା ପାଇଁ ବିଭିନ୍ନ ଦେଶରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଇଥାଏ । ଏକଥା କେହି ଭୁଲିବା ଅନୁଚିତ ।