ହରିପୁର ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ
ହରିପୁର ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ
ନିମାପଡା ୧୮-୦୪-୨୦୨୫( ବି.ଏନ .ଓ ) :-ବସନ୍ତ ଦାସ , ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ବଳଙ୍ଗା ଛକ ଠାରେ ପୂର୍ତ୍ତ ବିଭାଗ ଦ୍ଵାରା କାର୍ଯ୍ୟକାରୀ ହେବାକୁ ଥିବା “ପୁରୁଣା ପିପିଲି – କୋଣାର୍କ ରାସ୍ତା ଠାରୁ ହରିପୁର ଭାୟା- ବାମନାଳ” ରାସ୍ତାର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ ୨୦ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ବ୍ୟୟବରାଦ ହୋଇଥିବା ବେଳେ ଏହି ପ୍ରକଳ୍ପ ଦ୍ଵାରା ପାଖାପାଖି ୯ ଗୋଟି ପଞ୍ଚାୟତର ଜନ ସାଧାରଣମାନଙ୍କ ଗମନାଗମନ ସୁଗମ ହେବ। ଏହି ରାସ୍ତା ର ଉନ୍ନତିକରଣ ପାଇଁ ବହୁ ଦିନ ହେବ ସ୍ଥାନୀୟ ଜନ ସାଧାରଣଙ୍କ ର ଦାବି ରହି ଆସିଥିଲା। ଗ୍ରାମାଞ୍ଚଳରେ ଭିତ୍ତିଭୂମିର ବିକାଶ ସହ ଜନ ସାଧାରଣଙ୍କର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଏହା ବ୍ୟତୀତ ବଳଙ୍ଗା- ନିମାପଡା ରାସ୍ତା କାମ ପାଇଁ ଟେଣ୍ଡର ଆହ୍ଵାନ କରାଯାଇ ଅଛି ଯାହା ପାଇଁ ୪୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।ଜନସାଧାରଣ ମାନଙ୍କର ଛୋଟ ରୁ ବଡ ସମସ୍ତ ସମସ୍ୟାକୁ ତ୍ୱରିତ ଭାବେ ସମାଧାନ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ବୋଲି ଶ୍ରୀମତୀ ପରିଡ଼ା ତାଙ୍କ ଅଭିଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କ ସହ ସାଇଁସ ଶାସନ ସରପଞ୍ଚ ଦେବାଶିଷ ଆଚାର୍ଯ୍ୟ, କୋଠକୁସଂଗ ସରପଞ୍ଚ ଜୟନ୍ତୀ ବିଶ୍ଵାଳ, ବଳଙ୍ଗା ସରପଞ୍ଚ ଅଞ୍ଚଳି ପ୍ରଧାନ ସମେତ ବଳଙ୍ଗା ଏବଂ ପାଖ ପଞ୍ଚାୟତ ଗୁଡ଼ିକର ନେତୃବୃନ୍ଦ ଏବଂ ବହୁ ସଂଖ୍ୟାରେ ଜନ ସାଧାରଣ ଉପସ୍ଥିତ ଥିଲେ।ଏହି ଅବସରରେ ବଲଙ୍ଗାରୁ ନିମାପଡ଼ା ଫେରିବା ବାଟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଧନୁଆ ଛକ ନିକଟରେ ସ୍ଥାନୀୟ ଗୁରୁଜନ ଏବଂ ବୁଦ୍ଧିଜୀବୀମାନଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଥିଲେ।ଏହା ପରେ ମିଟେଇପୂର୍ ପଞ୍ଚାୟତ ର ବନ୍ତୁଗ୍ରାମ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ସାମିଲ ହୋଇଥିଲେ।