ସାଂସଦ ଖେଳ ମହୋତ୍ସବର ଉଦଯାପନୀ ପର୍ଯ୍ୟାୟ ଆରମ୍ଭ

ସାଂସଦ ଖେଳ ମହୋତ୍ସବର ଉଦଯାପନୀ ପର୍ଯ୍ୟାୟ ଆରମ୍ଭ…

News By Bijay Kumar Panda

କଟକ ୨୧-୧୨-୨୦୨୫(ବି.ଏନ .ଓ ) : (ବିଜୟ କୁମାର ପଣ୍ଡା ) ନାଗରିକମାନଙ୍କ ମଧ୍ୟରେ ଖେଳ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ଯୁବ ସମାଜରେ ନେତୃତ୍ୱକୁ ଉତ୍ସାହିତ କରିବା ଏବଂ ଫିଟ୍ ଇଣ୍ଡିଆର ସନ୍ଦେଶକୁ ପ୍ରତ୍ୟେକ ଘରେ ପହଂଚାଇବା ଲକ୍ଷ୍ୟ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଲିଥିବା ସାଂସଦ ଖେଳ ମହୋତ୍ସବର ଉଦଯାପନୀ ପର୍ଯ୍ୟାୟ  ଆରମ୍ଭ ହୋଇଛି । ଏହି ଅବସରରେ ସତ୍ୟବ୍ରତ ଷ୍ଟାଡିୟମ, ବାରବାଟୀ ଷ୍ଟାଡିୟମ ଓ ନିମପୁର ସ୍ପୋର୍ଟସ ଗ୍ରାଉଣ୍ଡଠାରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ସତ୍ୟବ୍ରତ ଷ୍ଟାଡିୟମଠାରେ ଖଣ୍ଡପଡା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଉପସ୍ଥିତ ରହି ଫୁଟବଲ ମ୍ୟାଚ୍‌ର ଶୁଭାରମ୍ଭ କରିବା ସହ ଛାତ୍ରଛାତ୍ରୀ ତଥା ସାଧାରଣ ଲୋକେ କ୍ରୀଡାକୁ ନିଜ ଜୀବନର ଅଂଶବିଶେଷ କରିବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଜିଲ୍ଲାପାଳ  ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲ୍ଲାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର, ଜିଲ୍ଳା ଶିକ୍ଷା ଅଧିକାରୀ  ନିତ୍ୟାନନ୍ଦ ବାରିକ ଏବଂ ଜିଲ୍ଳା କ୍ରୀଡା ଅଧିକାରୀ  ଅଜୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହି କ୍ରୀଡାବିତମାନଙ୍କୁ ଉତ୍ସାହିତ କରିଥିଲେ । ସତ୍ୟବ୍ରତ ଷ୍ଟାଡିୟମଠାରେ ଫୁଟବଲ ଲିଗ ସମେତ ଖୋ ଖୋ ଓ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ୧୭ ବର୍ଷରୁ କମ୍ ବାଳକ ଫୁଟବଲ ମ୍ୟାଚ୍‌ରେ ବାରବାଟୀ କଟକ ଓ ଖଣ୍ଡପଡା ଫାଇନାଲ୍ ଖେଳିବାକୁ ଯୋଗ୍ୟ ବିବେଚିତ ହୋଇଥିବାବେଳେ ୧୭ ବର୍ଷରୁ କମ୍ ବାଳିକା ବର୍ଗର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାରବାଟୀ କଟକ ବାଙ୍କୀକୁ ୩-୦ ଗୋଲରେ ହରାଇ ଚାମ୍ପିୟନ ହୋଇଛି । ସେହିପରି ୧୭ ବର୍ଷରୁ କମ୍ ଭଲିବଲରେ ବାଙ୍କୀ ଚାମ୍ପିୟନ ହୋଇଥିବାବେଳେ ଚୌଦ୍ୱାର-କଟକ ରନର୍ସ ଅପ୍ ହୋଇଛି ଏବଂ ୨୫ବର୍ଷରୁ କମ୍ ଭଲିବଲରେ ଖଣ୍ଡପଡା ଚାମ୍ପିୟନ୍ ହୋଇଥିବାବେଳେ କଟକ ସଦର ରନର୍ସ ଅପ ହୋଇଛି । ଅନ୍ୟପକ୍ଷରେ ୧୭ ବର୍ଷରୁ କମ୍ ବାଳକ ଖୋ-ଖୋ ବର୍ଗରେ ଆଠଗଡ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଥିବାବେଳେ ବଡମ୍ବା ଓ କଟକ ସଦର ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ୧୭ ବର୍ଷରୁ କମ୍ ବାଳିକା ବର୍ଗରେ ଆଠଗଡ ଓ ବାଙ୍କୀ ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି । ଅନ୍ୟପକ୍ଷରେ ନିମପୁର ଗ୍ରାଉଣ୍ଡରେ ଅନୁଷ୍ଠିତ ୧୭ ବର୍ଷରୁ କମ୍ କ୍ରିକେଟ ମ୍ୟାଚର ଲିଗ୍ ଓ ସେମିଫାଇନାଲ ପର୍ଯ୍ୟାୟ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାର ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚରେ ବଡମ୍ବା ଓ ଆଗଠଡ ଦଳ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଆସନ୍ତା ୨୫ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ଆସନ୍ତା ୨୩ ତାରିଖରେ ୧୭ବର୍ଷରୁ ୨୫ବର୍ଷ ଓ ୨୫ରୁ ଉର୍ଦ୍ଧ୍ୱ ଟିମ୍ ଖେଳିବେ ।

ସେହିପରି ବାରବାଟୀ କବାଡି କମ୍ପେ୍ଲକ୍ସରେ ଅନୁଷ୍ଠିତ କବାଡି ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବାଳକ ବର୍ଗରେ ନରସିଂହପୁର ଚାମ୍ପିୟନ ହୋଇଥିବାବେଳେ ବାଙ୍କୀ ରନର୍ସ ଅପ୍ ହୋଇଛି ଓ ୧୭ ବର୍ଷରୁ କମ୍ ବାଳିକା କବାଡି ବର୍ଗରେ ନରସିଂହପୁର ଦଳ ଚାମ୍ପିୟନ ହୋଇଥିବାବେଳେ କଟକ ସଦର ରନର୍ସ ଅପ୍ ହୋଇଛି । ଜିଲ୍ଳାର ପ୍ରତ୍ୟେକ ଗାଁ, ବ୍ଲକ ଓ କଟକ ସଂସଦୀୟ କ୍ଷେତ୍ର ଅନ୍ତର୍ଗନ୍ତ ନିର୍ବାଚନ ମଣ୍ଡଳୀଗୁଡିକରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଏଥିରୁ ଚୟନ ହୋଇଥିବା ଯୋଗ୍ୟ ପ୍ରତିଯୋଗୀମାନେ ଫାଇନାଲ ପର୍ଯ୍ୟାୟରେ ସେମାନଙ୍କ କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି । ସାଂସଦ ଖେଳ ମହୋତ୍ସବ କେବଳ ଏକ ପ୍ରତିଯୋଗିତା ନୁହେଁ ଏହା ହେଉଛି ଏକତା, ସ୍ୱାସ୍ଥ୍ୟ ଓ ସ୍ଥାନୀୟ ପ୍ରତିଭାର ଅନ୍ୱେଷଣର ଏକ ମାଧ୍ୟମ । ଆଜି ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ୧୧୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଛନ୍ତି । ସେପ୍ଟେମ୍ବର ୨୧ ତାରିଖରୁ ଆରମ୍ଭ ହୋଇଥିବା ଏହି ମହୋତ୍ସବ ଆସନ୍ତା ୨୫ ତାରିଖରେ ଉଦଯାପିତ ହେବ । ଆସନ୍ତା ୨୩ ତାରିଖରେ କେତେକ ମ୍ୟାଚ୍ ଖେଳାଯିବ ଏବଂ ୨୫ ତାରିଖରେ ଫାଇନାଲ ମ୍ୟାଚ୍ ଖେଳାଯିବା ସହ ଉଦଯାପନୀ ସମାରୋହ ଅନୁଷ୍ଠିତ ହେବ ।

Spread

NewsOdia

BREAKING NEWS ODIA is Odisha's leading 24x7 news current web and YouTube channel . Development Journalism is our mission. Our vision is to promote people's voice and actions towards healthy society. We think for commonman, reporting for truth. Website =www.breakingnewsodia.com Contact number-6371307350 Email-breakingnewsodia91@gmail.com youtube.com/@breakingnewsodia5808

Leave a Reply

Your email address will not be published. Required fields are marked *