***ଦେହ***
ସତ କହିଲେ କେବେଠୁ ବେକାର ହୋଇ ପଡିଥବା ଆମର ଫାର୍ମ ହାଉଷ୍ କୁ ଆସି ମୁଁ ଖୁସିଥିଲି।ନୂଆ ଜଳବାୟୁ, ଶାନ୍ତ ପାହାଡ଼ି ବାତାବରଣ, ରୂପେଇ ଝରଣାର କୁଳୁକୁଳୁ ଶବ୍ଦ ,ଆକାଶକୁ ଆଲିଙ୍ଗନ କଲାପରି ଡେଙ୍ଗା ଡେଙ୍ଗା ଶାଳଗଛ ମନରେ ଭରି ଦେଉଥିଲା ଅପୂର୍ବ ଶାନ୍ତି।
ଅସଲରେ ମୁଁ ଗୋଟିଏ ରୋଗରେ ଦୀର୍ଘ ଦିନ ହେଲା ପୀଡ଼ିତ ରହି ଅବସାଦଗ୍ରସ୍ତ ହେଇପଡିଥିଲି ।ମୋର ଡାକ୍ତର ଧର୍ଯ୍ୟର ସହ ସବୁ ଅଭିଯୋଗ ମୋର ଶୁଣିଲାପରେ ହସିଦେଇ କହିଲେ ଡ୍ରିପ୍ରେସନ ଗୋଟିଏ ରୋଗ ନୁହେଁ।ନିଦ ଔଷଦ ତୁମର ଖାଇବା ଦରକାର ନାହିଁ।
ତାପରଠୁ ନିଜକୁ ଭଲ ପାଇବାର କୌଶଳ ଶିଖିଲି, ଶିଖିଲି କେମିତି ଛୋଟ ଛୋଟ ଖୁସିରେ ବି ନିଜକୁ ଭଲପାଇ ହୁଏ। ତେଣୁ ପିଲା ଓ ପ୍ରବୀଣଙ୍କ ସହ ଖୁସିରେ ଖରା ଦିନ କାଟିବା ପାଇଁ ଆସିଲୁ ଏଇଠିକୁ।
ବଡ଼ସହର ଭଳି ଏଠି କିନ୍ତୁ ଏତେ ସୁବିଧା ନଥିଲା।ଫାର୍ମ ହାଉସ୍ ଜଗୁଆଳି ବାବନ ର ଝିଅ ସୁନିତା ଘରକାମ ପାଇଁ ନିୟମିତ ଆସିଲା। ସତେଇସ୍ , କି ଅଠେଇସି ବର୍ଷର ହସଖୁସିଆ ଡ୍ଉଲ ଡାଉଲ ଝିଅଟିକୁ ସାହାଯ୍ୟକାରିଣୀ ଭାବେ ପାଇ ମୁଁ ବହୁତ ଖୁସି ଥିଲି।
ସବୁ କାମ ସରିଲା ପରେ ସେ ଘଡ଼ିଏ ବସି ମୋ ଚଳହିନ ଗୋଡ଼ରେ ଉଷୁମତେଲ ମାଲିସ କରିଦିଏ ।ସବୁ ଦିନପରି ଗପେ ଏଠିକା ଲୋକଙ୍କ କଥା ,ତା ଘରକଥା ସ୍ୱାମୀ ପିଲାଙ୍କ କଥା।ତାର ଛୋଟ ଛୋଟ ପିଲାଙ୍କର ଦୃଷ୍ଟାମୀ ଓ ନିତି ସଂଜ ବେଳେ ଘର ଫେରିନ୍ତା ବାଟକୁ ଚାହିଁବସିଥିବା ତାର ପିଲାସବୁଙ୍କ କଥା।
ସୁନିତା ଗପିଲାବେଳେ ମୋ ଆଖିରେ ରୂପେଇ ଝରଣା ପରି କଳକଳ ,ଛଳଛଳହେଇ ବହିଗଲା ପରି ଲାଗେ ।
-ଦେଇ ଆଜି ବହୁତ ମଲ୍ଲୀ ଫୁଲ ଫୁଟିଛି ।ଏଇ ଦେଖୁନ ବାଆ କେମିତି ବହିଯାଉଥିବା ପାଣିକୁ ଅଟେକାଇ ଦେଇଛି।ବୋର୍ ଓଲ୍ ରୁ ନଷ୍ଟ ହେଇଯାଉଥିବା ପାଣିର ନାଳଟେ ଲମ୍ବିଯାଇଛି ମଲ୍ଲୀଗଛ ବୁଦା ଯାଏଁ। କ୍ଷଣିକ ପାଇଁ ମୋ ନଜର ପହଁରି ଫେରି ଆସିଲା ସେଇଠୁ।ହଟାତ କାହିଁକି କେଜାଣି ମନେ ପଡିଗଲା ମୋର ପୁରୁଣା ଘରଠୁ କିଛି ଦୂରରେ ରହିଥିବା ଗଣ୍ଡଟି !ପବନଦେଲେ ଅନେକବେଳେ ତାର ପଚା ଦୁର୍ଗନ୍ଧରେ ମୁଁ ଅତିଷ୍ଠ ହେଇ ଉଠୁଥିବାର କଥା।
ଏଠି କିନ୍ତୁ ରୂପେଇ ଝରଣାର କଳକଳ ଶବ୍ଦ , ଛାତ ଉପରକୁ ଗଲେ ଦିଶିଯାଏ ତାର କ୍ଷୀଣ ଶୁଭ୍ର ତନୁ… ଫାର୍ମର ଲଗା ହେଇଥିବା ଅନେକ ଫୁଲ ଓ ପାଚିଲା ଫଳର ଜଣା ଅଜଣା ବାସ୍ନା ।ମୋର ଅନ୍ୟମନସ୍କତା କାଟି ସେ କହିଲା,
— ଜାଣ ଦେଇ ତୁମେ ଆସିଲା ପରେ ଅନେକଦିନରୁ ଖାଁ ଖାଁ ଲାଗୁଥିବା ଏଇ ଘରଟା ଏବେ କୋଳାହଳରେ ପୁରି ଉଠୁଛି,ନହେଲେ ଖାଲି ବଗିଚା ଦେଖା ରେଖା କରିବାରେ ବାଆର ଦିନ ସରୁଥିଲା। ଦ୍ଵିପହର ଖାଇବା ଦେଇ ମୁଁ ଚାଲିଯାଉଥିଲି ଘରକୁ । ଦିନସାରା କେବେ ରହେନି ।
ସେ କଣ କେବେ ମୋତେ କାମ ଦାମ କରିବାକୁ ଦିଏ ନା ଛାଡେ ବାହାରକୁ ?
ମୁଁ ଟିକେ ନିରବ ରହିବା ଦେଖି ଲାଜେଇ ଯାଇ ତାର ସବୁତକ ସୁନ୍ଦର ଧଳା ଦାନ୍ତକୁ ଦେଖାଇ ମୁହଁକୁ ହଲେଇ ମାଟିରେ ପୋତି, ଖୁବ କ୍ଷୀଣ ସ୍ୱର ରେ ହସି ହସି କହିଲା — “ମୋ ସାମୀ” ଆଉ କିଏ ?
ପିଲାଗୁଡାକୁ ବି ଭାରି ଭଲ ପାଏ ମ୍ ଦେଇ । ବଜାରକୁ ଗଲେ ଖାଲି ବିସ୍କୁଟ କେବେ ଆଣେନି । ବାଛି ବାଛି ଫଳସବୁ ଆଣିବ।ସେଉ କମ୍ବଳା ଅଘୁର ବେଦନା…
ଦିନ ଯାକର ଖଟଣୀ ପଇସା ସବୁ ପିଲାଙ୍କ ଡ୍ରେସପଟା ,ଖାଇବାରେ ଉଡେ ତାର।
କଣ କହିବି ସେଦିନର କଥା ଦେଇ ,ଏଇ ସାନପୁଅଟା ଦେହରେ ଥାଏ। ସେଦିନ ତାର ବି ମୁଣ୍ଡଟା ଭାରି ବିନ୍ଧୁଥାଏ। ହେଲେ ଯେମିତି ଶୁଣିଲା ମୋର ଛେଳିପୁଣ୍ଟା ଖାଇବାକୁ ମନ ହେଉଛି ସିମିତି ଧାଇଁଲା ଆଣିବା ପାଇଁ ।ରାନ୍ଧି ବାଢି କୁଢ଼ି ଦେଲି ।ହାଣ୍ଡି ପଖାଳି ରୋଷେଇ ଘର ଦୁଆର ମୁହଁରେ ଖାଇ ବସିଛି , ଗୋଟିଏ ଗୁଣ୍ଡା ପାଟିକୁ ନେଇଛି କି ନାହିଁ ଦେଇଏ ବୋଉଲେ ମାଆ ଲୋ ରଡି କରି ଗଡ଼ିଗଲି ସେଇଠି ପେଟକୁ ଧରି ।
କଞ୍ଚା ନିଦରୁ ଓଠି ଆସିଲେ ସମିତେ।ଶଶୁର , ଦେଢଶୁର ହାଁ ଟା କରି ଠିଆ ହେଇଗଲେ। ଶାଶୁ ବିକଳରେ ହାଉଳି ଖାଇ ମୁଣ୍ଡ ହାତ ଆଉଁସି ଦେଲା। ଖାଇସାରି ଏ ଗାଁ ଆଡେ ଯାଇଥିଲା କି କଣ ,ଦୌଡିଆସି ସମସ୍ତଙ୍କୁ ପେଲି ଦେଇ ସିଧା ନେଇଗଲା ଡାକ୍ତର ପାଖକୁ ତା ଅଟୁ ରେ ବସାଇ । ସେଇ ରାତିରେ ମଝିଆଁଟା ହେଲା।
ବୁଝିଲ ଦେଇ ଏବେ ସେଇ କଥା ସବୁ ମନେ ପଡିଲେ ଲାଜ ଲାଗୁଛି।ବେସରମଟା ଘରଯାକ ଲୋକଥିବେ ବସି ସୁଖଦୁଃଖ ହେଉଥିବୁ ,ଥିବ ଥିବ ଆସି ବସିପଡିବ ଗୋଡ଼ ହାତ ଲଦିଦେଇ ମୋ ଉପରେ। ମୁଁ ବି କେଉଁ କମ୍ ନୁହେଁ ମ୍ ଦେଇ, ତାକୁ ପେଲିଦେଇ ଡାକିବି ଶାଶୁଙ୍କୁ। “ବୋଉଏ ଦେଖିନି କେମିତି ଲାଗୁଛନ୍ତି “। ଶାଶୁ ଶଶୁର ଯା ଦେଢଶୁର ଘରଯାକ ଲୋକ ସବୁ ଚୁପ ହେଇ ସରମରେ ମେଳି ଭାଙ୍ଗି ଯେ ଯୁଆଡେ ପଳେଇବେ।ଏଇଟା ଏଡ଼େ ବେଲଜ୍ୟା ଦେଇ ।
ଏତକ କହୁଥିଲା ବେଳେ ହସି ହସି ଗଡି ଯାଉଯାଇ ମୋ ଗୋଡ଼ ଉପରେ ଲୋଟି ପଡୁଥିବ। ହଁ ମୁଁ ବି ତାକୁ ଟିକେ ବେଶି ସ୍ନେହ ଦେଇଦେଇଥିଲି ହୁଏତ । କେଜାଣି ତା ପାଇଁ ମୋ ମନରେ କାହିଁକି ଏତେ ଦରଦ ଭରିରହିଥିଲା !
-“ତୋତେ ବହୁତ ଭଲ ପାଏ ଲୋ ସୁନିତା ସେଥିପାଇଁ .”।
ମୁଁ ଯୋଡ଼େ ତା କଥାରେ ପଦେ।ସେ ଲାଜେଇ ଆନତ କଇଁ ପରି ଝାଉଁଳି ଯାଏ। ଚାରି ଆଡକୁ ଆଖି ବୁଲେଇ ଆଣି କୁହେ “-ଜାଇଁଲ ଦେଇ ମୋତେ କେବେ କୁଆଡେ ଯିବାକୁ ଦେବନି ।ଦିନେ କି ଓଳିଏ ବାପ ଘରକୁ ଗଲେ ଜଗି ବସିବ ଯାଇ,କଳି କରିବ ମୋ ବୋଉ କଣ ବୁଢ଼ୀ କାଳେ ହାତେ ରୋଷେଇ କରି ଖାଇବ ବୋଲି ତୋତେ ବହୁ କରି ଆଣିଥେଲା ।ଚାଲ ବାହାର ଯିବା ଏବେ”।
ତେଲ ଘଷୁଥିବା ହାତଟି ତାର ଟିକେ ଧୀର ହେଇଯାଏ, ହସି ହସି ଗଡି ଯାଏ ସେ କହୁକହୁ ଏତକ ।
-ମୁଁ ବୋଉକୁ ଫୁନୁ ରେ ପଚାରି କୁହେ “ଆଉ ଦିନେ ଦୁଇଦିନ ରହିବି ବୋଉ”।ସେପଟୁ କହିନ୍ତି ସେ ମୁଁ କଣ ମନା କଲି ସେଇ ବଇଆଟା ତୋ ପାଇଁ ଖାଲି ବ୍ୟସ୍ତ ହେଉଛି ଯା ।
ତେଲ ପାଉଁଡର, ଲୁଗାପଟା କେଉଁଥିରେ ଅଭାବ କରେନି ମ୍ ।ମୁଁ ପରଘରେ ଯାଇ କାମ କରେ ତାର ଜମା ପସନ୍ଦ ନୁହେଁ।
-ତୋ ପେଟ କଣ ଅପୋଷା ରହି ଯାଉଛି ଯେ କାମ କରିବୁ ?ମୁଁ ଅଛି ।ଏତକ ସେ ବିରକ୍ତି ହେଇ କହେ। ଶାନ୍ତ ଲୋକଟା ତା ରାଗ କୁ ମୋର ଭାରି ଡର ।
କାଲି ଗହୀରବାଟ ଦେଇ କାମକୁ ଆସିଲା ବେଳେ ଲାଗିଲା ଯେମିତି କିଏ ମୋ ପଛେ ପଛେ ଆଉଚି ,ମୁଁ ପଛକୁ ବୁଲି ଅନେଇଲା ବେଳେ ଲୁଚିଯାଉଛି ବୁଦାଆଢୁଆଳରେ।ଭାରି ସଂଦେହୀ ସିଏ ।କାଳେ ଆଉ କିଏ ଆସିଯିବ ମୋ ଜୀବନରେ !
ସେଇ ହେଇଥିବ ମ୍। ଆଉ କାର କାମ ନାହିଁ କିଛି…ଛାଡ଼ ମ୍ ଦେଇ ସେକଥା ,ସେଇଟା ସେମିତି ଗୁଣର ପା।
କାଲି ରାତିରେ ଓଥଡା ରାମ୍ପି ଦେଇଛି ମୋତେ କେମିତି ! ଏଇ ଦେଖୁନ ଦେଇ ନାଲି ପଡିଯାଇଛି ହାତ…ସକାଳୁ ଗାଧେଇଲା ବେଳେ ତରତରେ ପାଣି ଢାଳେ ଢାଳି ଦେଲାରୁ ପୋଡିଲା ବୋଲି ଜାଣିଲି ନା। ନହେଲେ କାହାର ବେଳ ଅଛି ଯେ ଦେହକୁ ଘଷି ମାଜି ହଳଦୀ କି ସାବୁନ ଲଗାଇବା ପାଇଁ।
ମୁଁ ଦେଖିଲି ସତରେ ତା ହାତରେ ନଖରେ ରାମ୍ପିଲା ପରି ଗାର ପଡିଥିଲା।ହସିଦେଇ ମୁଁ କହିଲି ଚର୍ମରେ ଶୁଷ୍କତା ଆସିଲେ କୁଣ୍ଡାଇ ହୁଏ ଲୋ ପାଗଳୀ।(ମୁଁ ତାକୁ ସ୍ନେହରେ ପାଗଳୀ ଡାକେ ବେଳେବେଳେ) ନହେଲେ ନିଦ ବାଉଳାରେ ରାମ୍ପିଦେଇଛୁରାତ୍ରିରେ।
ଦେଖୁନୁ ଏ ଅଚଳ ଗୋଡ଼ପାଇଁ ମୁଁ ବି ଚଳ ପ୍ରଚଳ କରିପାରୁନି ଭଲରେ ମାଟି ପରି ପଡି ରହିଛି ।କେତେ ଯନ୍ତ୍ରଣା ପାଉଛି ।କାଲି ସାରା ରାତି ବିନ୍ଧା ଯୋଗୁଁ ଠିକରେ ଶୋଇ ପାରିନି। ଛୁଆ ପିଲା ସବୁ ବ୍ୟସ୍ତ ହେଉଛନ୍ତି ମୋ ପାଇଁ। ମରିଗଲେ ତରି ଯାଆନ୍ତି ।ପିଲେ ଅଚିନ୍ତା ବି ହୁଅନ୍ତେ ସଂସ୍କାର ସାରି।ଦେହ ଲଭନ୍ତା ମୋକ୍ଷ ।
ଯାଅ ମ୍ ଦେଇ ଏମିତି ବାଜେ କଥା ସବୁ ଆଉ କେବେ କହିବନି।କେତେ ଯେ ବୟସ।ଦେଖିଲେ କିଏ କହିବ ପୁଅ ଝିଅ ସବୁ କଲେଜରେ ପଢୁଛନ୍ତି ବୋଲି।
ଦେଇ ଛାଡ଼ ମ୍ ସେ କଥା । ଦେଖୁନ କେବେଠୁ ମୁଣ୍ଡରେ ତେଲ ଲଗାଇନ ନା କଣ ? ନିଦ କେମିତି ଆସିବ !
ଆସ ମୁଣ୍ଡରେ ଟିକେ ତେଲ ଲଗାଇଦେଇ କୁଣ୍ଡାଇ ଦେବି। ମଲ୍ଲୀ କଢ଼ିର ଗଜରାଟେ ଲଗାଇ ଦେବି ଯେ ମହକିବ ସାରା ରାତି। ନିଦ ଆସିଯିବ ଆପେ ଆପେ। ହି ହି ହି ତାର ଚପଳାମି ହସ।
ମୋ ମୁଣ୍ଡକୁ ଯତ୍ନରେ କୁଣ୍ଡାଇ ବାନ୍ଧିଦେଲା ମଲ୍ଲୀର ଗଜରାଟିଏ। ମୁଁ ଟିକେ ଅନ୍ୟମନସ୍କ ହେଇ ଯାଉଥିଲି। ପ୍ରବୀଣଙ୍କ ହାତ କେବେବି ତ ଏତିକି ଶ୍ରଦ୍ଧା ରେ ମୋ ମୁଣ୍ଡକୁ ଛୁଇଁ ଥିବାର ମନେ ପଡ଼ିଲା ନାହିଁ। ପିଲାଦିନେ ମାଆର କୋମଳ ହାତ ପରସ ମନେ ପଡିଗଲା। ଯାବତିୟ ଜଞ୍ଜାଳରେ ବ୍ୟସ୍ତ ରହି କେବେ ବି ଫୁଲଟିଏ ଗଭାରେ ଲଗାଇବାର ଇଚ୍ଛା କରିନି ମୁଁ ,ଯଦିଓ ପିଲାଦିନେ ଫୁଲ ଖୋସି ଖୁସି ହେଉଥିଲି କେତେ। ଆଉ ଫୁଲରେ କେତେ ମୋର ସଉକ ନଥିଲା ସତରେ !
ମଣିଷ ମନର ଯାବତୀୟ ଅଭାବର ଛାଇ ଦେହ ଉପରେ ପଡେ ।ଦେହ ଭେଗେ ମନର ଯନ୍ତ୍ରଣା। ସ୍ନେହର ପରସ ଯାହା କରିପାରେ ତାହା ଔଷଧ କି କରି ପାରିବ ?
ମଲ୍ଲୀ ମହକୁ ଥିଲା ମୋ ଜୁଡ଼ାରେ ,ପବନରେ ଖେଳି ଯାଉଥିଲା ତାର ମହକ…. ….
ଅନ୍ୟମନସ୍କ ହେଇଉଠୁଥିଲି ମୁଁ ବେଶି ବେଶି।ଅସ୍ପଷ୍ଟ ଶୁଭୁଥିଲା ସୁନିତାର କଥା ମୋତେ…
କାମରେ ରଖିଲାବେଳେ ବାବନ ମାଝୀର କହିଥିବା ଗୋଟିଏ କଥା ଅଚାନକ ମନେ ପଡିଗଲା ମୋର। ଝିଅଟା ବଡ଼ ଅଭାଗିନୀ ଟେ ମାଆ।ବାହାଘରର ଛଅ ବର୍ଷ ପରେ ସ୍ବାମୀ ତାର ବ୍ରେନ ଟ୍ୟୁମର୍ ରେ ମରିଗଲା। ମୁଣ୍ଡ ବିନ୍ଧାକୁ ଅଣଦେଖା କଲା ସାମାନ୍ୟ ମନେ କରି। କାହାକୁ କିଛି କହିଲାନି ପିଲାଟା । ରୋଗ ଧରାପଡ଼ିଲା ବେଳକୁ ଆଉ ହାତରେ କିଛି ନାହିଁ।ସାନପୁଅ ଟା ପେଟରେ ଥିଲା। ସେଦିନରୁ ତିନିଟା ଛୁଆଙ୍କୁ ଧରି ଚାଲି ଆସିଲା ମୋ ପାଖକୁ ବିଚାରି ……
@susama dash