କାମରେ ଲାଗୁନି ଆଧୁନିକ ଆମିଷ ହାଟ
କାମରେ ଲାଗୁନି ଆଧୁନିକ ଆମିଷ ହାଟ…
ୱାର୍ଡ ନମ୍ବର ୨୩ରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ଆଧୁନିକ ମାଂସ ବଜାର। ତିଆରି ହେବାର ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ତାହା ଖୋଲି ନଥିଲା। ପରେ ବର୍ଷେ ହେବ ହାଟ….
ଭୁବନେଶ୍ୱର ୨୯-୧୦-୨୦୨୫(ବି.ଏନ .ଓ ) :(ଶଶୀଭୂଷଣ ଚଇନି ) ୱାର୍ଡ ନମ୍ବର ୨୩ରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ଆଧୁନିକ ମାଂସ ବଜାର। ତିଆରି ହେବାର ପ୍ରାୟ ୨ ବର୍ଷ ପର୍ଯ୍ୟନ୍ତ ତାହା ଖୋଲି ନଥିଲା। ପରେ ବର୍ଷେ ହେବ ହାଟ ଖୋଲିଛି। ହାଟ ଖୋଲିଛି ସିନା, ହେଲେ ତାହା ଗ୍ରାହକଙ୍କର କିମ୍ବା ବ୍ୟବସାୟୀଙ୍କ କାମରେ ଆସୁନି। ଯେଉଁ ଉଦ୍ଦେଶ୍ୟ ନେଇ ଆଧୁନିକ ଆମିଷ ହାଟ ନିର୍ମାଣ କରାଗଲା ତାହା ପୂରଣ ହୋଇପାରୁନି। ଏବେ ପରିସ୍ଥିତି ଏମିତି ଯେ କଳିଙ୍ଗ ଷ୍ଟୁଡିଓ ଛକରୁ ଏସଓଏସ୍ ଭିଲେଜ ରାସ୍ତାରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି। ହାଟରେ ମଧ୍ୟ ଗ୍ରାହକ ଆସୁ ନଥିବାରୁ ବ୍ୟବସାୟୀ ହତାଶ ହୋଇ ଫେରୁଛନ୍ତି। କଳିଙ୍ଗ ଷ୍ଟୁଡିଓ ଛକରୁ ଏସ୍ଓଏସ୍ ଭିଲେଜ ପ୍ରାୟ ଅଧ କିଲୋମଟର ରାସ୍ତା। ରାସ୍ତାର ବାମ ପାର୍ଶ୍ବରେ ଦୀର୍ଘ ବର୍ଷ ହେଲା ପ୍ରାୟ ୫୦ରୁ ଅଧିକ ଦୋକାନୀ ଆମିଷ ବେପାରୀ ବସନ୍ତି। ଆଖପାଖ ଅଞ୍ଚଳର ଲୋକେ ଏହି ସ୍ଥାନକୁ ଆମିଷ ପାଇଁ ଆସନ୍ତି। ଗତ ୫ ବର୍ଷ ମଧ୍ୟରେ ଏହି ଅଞ୍ଚଳରେ ବାସିନ୍ଦାଙ୍କ ସଂଖ୍ୟା ବଢ଼ିବା ସହିତ ଅଞ୍ଚଳରେ ଥିବା ଡାକ୍ତରଖାନା ଓ ଶିକ୍ଷାନୁଷ୍ଠାନର ଚାହିଦା ବଢ଼ିଛି। ଲୋକଙ୍କ ପାଇଁ ଏହା ପ୍ରମୁଖ ରାସ୍ତା ହୋଇଛି। ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ଲୋକଙ୍କ ବାରାମ୍ବାର ଅନୁରୋଧ ପରେ ୩ବର୍ଷ ତଳେ କେ-୧ରେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚରେ ଏକ ଆମିଷ ହାଟ ନିର୍ମିତ ହୋଇଛି। ହେଲେ ଏହାକୁ ବ୍ୟବହାର କରିବାକୁ ଦିଆଯାଇ ନଥିଲା।
ଷ୍ଟୁଡିଓ ଛକରେ ବସୁଥିବା ଜଣେ ମାଛ ବ୍ୟବସାୟୀଙ୍କ କହିବା କଥା, ତିଆରି ହୋଇଥିବା ଆମିଷ ହାଟ କେବଳ ମଟନ ବ୍ୟବସାୟୀଙ୍କୁ ଦିଆଯାଇଛି। ମାଛ ଓ କୁକୁଡା ବ୍ୟବାସାୟୀଙ୍କ ପାଇଁ କୌଣସି ସୁବିଧା ନାହିଁ। ସେହିପରି ସବୁ ମଟନ ବ୍ୟବସାୟୀଙ୍କୁ ମଧ୍ୟ ସେଠାରୁ ବିସ୍ଥାପିତ କରାଯାଇ ନାହିଁ। ତେଣୁ ୨କିମି ଦୂରରେ ଥିବା ଆମିଷ ହାଟକୁ ନଯାଇ ଲୋକେ ଏଠାରୁ ଆମିଷ ନେଉଛନ୍ତି।
ଏନେଇ ଅଲ୍ ଓଡ଼ିଶା ନନ୍ଭେଜ୍ ଟ୍ରେଡର୍ସ ଫେଡେରେସନ୍ର ରାଜ୍ୟ ସଭାପତି ଶେଖ ମୁନ୍ତାକିମ୍ ବକ୍ସଙ୍କ କହିବା କଥା, ୨୪ ଜଣ ମଟନ ବିକ୍ରତାଙ୍କ ପାଇଁ ଆମିଷ ହାଟରେ ବ୍ୟବସ୍ଥା କରିବାକୁ କୁହାଯାଇଥିଲା। ମାତ୍ର ୧୨ ଜଣଙ୍କ ପାଇଁ ଘର ରହିଛି। ଗ୍ରାହକ ହେଉ ନ ଥିବାରୁ କିଛି ବ୍ୟବସାୟୀ ଯାଇ ନିଜ ପୁରୁଣା ସ୍ଥାନରେ ବସୁଛନ୍ତି। ମଟନ ସହିତ ସମସ୍ତ ପ୍ରକାର ଆମିଷ ଦୋକନ ଗୋଟିଏ ଜାଗାରେ ବ୍ୟବସ୍ଥା କରାଗଲେ ସବୁ ସମସ୍ୟାର ସମାଧାନ ହୋଇ ପାରନ୍ତା ବୋଲି ମତପ୍ରକାଶ ପାଇଛି।

