ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା ଲୋକଙ୍କ ସମର୍ଥନରେ ବାହାରିଲେ ମେହବୁବା, କହିଲେ- ବିରାଟଙ୍କଠୁ କିଛି ଶିଖ
ନୂଆଦିଲ୍ଲୀ : ଟି-୨୦ ବିଶ୍ଵ କପ୍ ଇତିହାସରେ ପ୍ରଥମ ଥର ଭାରତ ପାକିସ୍ତାନ ନିକଟରୁ ପରାସ୍ତ ହୋଇଛି। ଏଥିରେ ପୂରା ଦେଶ ମର୍ମାହତ ହୋଇଥିବା ବେଳେ ଜାମ୍ମୁ-କାଶ୍ମୀରରେ ପାକିସ୍ତାନ ବିଜୟର ଖୁସି ପାଳନ ବେଳେ ବାଣଫୁଟାଇ କିଛି ଲୋକ ଧରା ପଡିଛନ୍ତି। ଗଣମାଧ୍ୟମ ସୂଚନା ଅନୁଯାୟୀ, ପୋଲିସ ୬ ଜଣଙ୍କୁ ହେପାଜତରେ ନେଇଛି। ଏବେ ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ପାକିସ୍ତାନ ବିଜୟରେ ଖୁସି ମନାଉଥିବା ସମର୍ଥକଙ୍କ ସମର୍ଥନରେ ଓହ୍ଲାଇଛନ୍ତି। ଆଉ ଏହାକୁ ବିରୋଧ କରୁଥିବା ଲୋକଙ୍କୁ କୋହଲିଙ୍କଠୁ ଶିକ୍ଷା ନେବାକୁ ପରାମର୍ଶ ଦେଇଛନ୍ତି।
ମେହବୁବା ମୁଫତି କହିଛନ୍ତି, ପାକିସ୍ତାନ ବିଜୟରେ ଉତ୍ସବ ମନାଉଥିବା କାଶ୍ମୀରୀଙ୍କ ବିରୋଧରେ ଏତେ ରାଗ କଣ ପାଇଁ ? କିଛି ଲୋକ ତ ଏମିତି ନାରା ଦେଉଥିଲେ ଯେ, ଦେଶର ଗଦ୍ଦାରଙ୍କୁ ଗୁଳି କର… କେହି ଏହା ଭୁଲି ପାରିବେ ନାହିଁ। ଜାମ୍ମୁ-କାଶ୍ମୀରରୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ କେତେ ଜଣ ଲୋକ ମିଠା ବାଣ୍ଟି ଉତ୍ସବ ପାଳନ କରିଥଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଯାହାକୁ ଶିଖିବାର ଅଛି ବିରାଟ କୋହଲିଙ୍କଠୁ ଶିଖିବା ଉଚିତ୍ ବୋଲି ମେହବୁବା କହିଛନ୍ତି। ସର୍ବ ପ୍ରଥମେ ପାକିସ୍ତାନ ଦଳକୁ ଅଭିନନ୍ଦନ। ମେହବୁବା ନିଜ ଟ୍ଵିଟ୍ ସହିତ ବିରାଟ କୋହଲିଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ପାକିସ୍ତାନୀ ବ୍ୟାଟସମ୍ୟାନ ରିଜଓ୍ଵାନଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି।