ସଂକଟମୟ ପରିସ୍ଥିତିରେ ସହଜ ହେବା ହିଁ ମଣିଷପଣିଆ

ସଂକଟମୟ ପରିସ୍ଥିତିରେ ସହଜ ହେବା ହିଁ ମଣିଷପଣିଆ; ଜଣେ ଅଭିନେତା, ସିନେ ନିର୍ମାତା ତଥା ଫଟୋଗ୍ରାଫରର କାହାଣୀ।

ଜୀବନରେ ଅନେକ ସମୟରେ ମଣିଷକୁ ଅନେକ ସଂକଟମୟ ପରିସ୍ଥିତିର ସମ୍ମୁଖିନ ହେବାକୁ ପଡ଼ିଥାଏ । ଏହା ପ୍ରକୃତିର ନିୟମ । ପରିସ୍ଥିତିକୁ ହୃଦୟଙ୍ଗମ କରି ସହଜ ଭାବେ ସେହି କଠିନ ପରିସ୍ଥିତିରୁ କିଛି ଭଲ ଖୋଜିବା ହିଁ ମଣିଷପଣିଆ।
ଏକଥା କହନ୍ତି ବିଶ୍ୱପ୍ରସିଦ୍ଧ ଅଭିନେତା, ସିନେନିର୍ମାତା ତଥା ଚିତ୍ରୋତ୍ତଳନକାରୀ (ଫଟୋଗ୍ରାଫର) ଗ୍ରାଣ୍ଟ୍ ଫେଣ୍ଟ ।
ସମସ୍ତ ପ୍ରକାର ପରିସ୍ଥିତିରେ ସମ୍ଭାବନାକୁ ଦେଖିବା ଓ ତାକୁ ନିଜ କ୍ୟାମେରା ଲେନ୍ସରେ ବାନ୍ଧି ନେବାର ଗୁଣ ହିଁ ଏହି କଳାକାର-ସିନେ ନିର୍ମାତା ତଥା ଫଟୋଗ୍ରାଫରଙ୍କୁ ଜଣେ ବିଶ୍ୱସ୍ତରୀୟ ଟ୍ରାଭେଲ ଫଟୋଗ୍ରାଫରର ପରିଚୟ ଦେଇଥିଲା । ଯଦିଓ ବଜାରରେ ନେଗେଟିଭ୍ କଣ୍ଟେଣ୍ଟ୍ ବିଶିଷ୍ଟ ଫଟୋର ଚାହିଦା ଅଧିକ ଥାଏ, ଯେପରିକି କଳାହାଣ୍ଡିର ଭୋକର ଭୂଗୋଳ ହେଉ ଅବା ଦକ୍ଷିଣ ଆଫ୍ରିକାର, ଯୁଦ୍ଧଗ୍ରସ୍ତ ଅସହାୟ ନାଗରିକର ହେଉ ଅବା ଧ୍ୱଂସ ବିଧ୍ୱସ୍ତର ଚିତ୍ର; ଏହି ସମସ୍ତ ଚିତ୍ର ମଧ୍ୟରେ ସେ ଖୋଜି ନିଅନ୍ତି ସମ୍ଭାବନାର କେତୋଟି ଫୁଲ । ଆନନ୍ଦର କେତୋଟି ଚିତ୍ର। ଯାହା ତାଙ୍କ ଭିତରେ ଥିବା ପଜିଟିଭନେସ୍ର ପରିଚୟ ବାହରିଆସିଥାଏ।
ଦେବାରେ ହିଁ ଥାଏ ଆନନ୍ଦ
ପ୍ରକୃତି ଆମକୁ ଦେଇଛି ବହୁତ। ଏବେ ତ ଫେରାଇବାର ବେଳ। ଜୀବନ ଦେଇଛି ଅନେକ; ସମାଜକୁ କିଛି ତ ଦେବାକୁ ହେବ। କହନ୍ତି ଗ୍ରାଣ୍ଟ ଫେଣ୍ଟ। ବାଲ୍ୟଜୀବନ କଟିଥିଲା ଦାରିଦ୍ର୍ୟତାରେ। ସିନେମା, ଅଭିନୟ ଓ ଫଟୋଗ୍ରାଫିରୁ ସେ ଅନେକ କମାଇଛନ୍ତି । କିଛି ତ ଦେବାକୁ ହେବ। ୨୦୦୦ ମସିହାର ପୂର୍ବବର୍ତ୍ତୀ ସମୟରେ ଯେତେବେଳେ ବିଶ୍ୱରେ ଏଡ୍ସ ଭୟାବହତା ଦେଖାଇବା ଆରମ୍ଭ କରିଥିଲା; ଦକ୍ଷିଣ ଆଫ୍ରିକାର ନିୟୁତାଧିକ ପିତାମାତାଙ୍କୁ ଏହି ଦୂରାରୋଗ୍ୟ ବ୍ୟାଧି କବଳିତ କରି ନିୟୁତ ନିୟୁତ ପିଲାମାନଙ୍କୁ ଅନାଥ କରିଥିଲା। ସେତେବେଳେ ଗ୍ରାଣ୍ଟ ଫେଣ୍ଟ ଓ ତାଙ୍କ ପତ୍ନୀ ନିଜର ସମସ୍ତ ଜମାପୁ୍ଞ୍ଜି ଅଜାଡି ଦେଇଥିଲେ ସେହି ଅସହାୟ ତଥା ଅନାଥ କୋମଳମତି ଶିଶୁଙ୍କ ପାଇଁ।
ନିକଟରେ ଏହି ଫଟୋଗ୍ରାଫର ଦମ୍ପତ୍ତି ବାଂଲାଦେଶ, କାମ୍ବୋଡ଼ଆ ଓ ଲାଓସ ଆଦି ଦେଶରେ କାଟାରାକ୍ଟ ଅପରେସନ ପାଇଁ ଏକ ବୃହତ୍ ପରିମାଣର ପୁଞ୍ଜି ଦାନ କରିଛନ୍ତି। ଏଯାବତ୍ ଉଭୟ ୯୦ଟି ଅପରେସନ୍ ପାଇଁ ଅର୍ଥରାଶି ଦାନ କରିଛନ୍ତି। ଏକ ହଜାର ଅପରେସନର ଲକ୍ଷ୍ୟ ସ୍ଥିର କରିଛନ୍ତି। ନିଜ ଫଟୋଗୁଡ଼ିକ ବିକ୍ରି ହେବା ସହିତ ଏହି କାର୍ଯ୍ୟକ୍ରମକୁ ସେ ଆଗେଇ ନେବେ ବୋଲି କହିଛନ୍ତି।
ଯଦିଓ କୋଭିଡ୍ ମହାମାରୀ ଗ୍ରାଣ୍ଟ ଫେଣ୍ଟଙ୍କୁ ବିଶ୍ୱ ଭ୍ରମଣ କରିବାର ଅବସର ଦେଇନାହିଁ। ତଥାପି ସେ ନିଜ ପ୍ରୟାସରୁ ଓହରି ଯାଇନାହାନ୍ତି।
ଗର୍ବର ସହିତ ସେ କହନ୍ତି କି ଘୁରିବୁଲିବା ସମୟରେ ଯାହା ବି ତାଙ୍କ ସମ୍ମୁଖରେ ଆସିଥାଏ; ତାହାର ଫଟୋ ସେ ଉଠାଇଥାନ୍ତି। କେବେ ଅନ୍ଧାର ତ କେବେ ଆଲୋକ, କେବେ ଅପରାଧ ତ କେବେ ଉତ୍ସବ, କେବେ ଯୁଦ୍ଧ ତ କେବେ ଜୀବନ। ଯାହା ବି ଘଟୁ ସେ ବିଚଳିତ ନହୋଉ ନିଜ କ୍ୟାମେରାରେ ସାଇତି ନିଅନ୍ତି। ହଁ, କେବେ କେବେ କିଛି ମୁହୂର୍ତ୍ତ ହୃଦୟ ଥରାଇଦିଏ। ଆନମନା କରିଦିଏ, ବିଚଳିତ କରିଦିଏ। ଅନେକଗୁଡ଼ିଏ ନେଗେଟିଭ ଚିତ୍ର ସାମ୍ନରେ ଘଟିଚାଲିଥାଏ। କିନ୍ତୁ ସ୍ଥିର ରହିବାକୁ ପଡ଼େ। ଜୀବନ ବି ତ୍ୱରିତ୍ ରଙ୍ଗ ବଦଳାଇଥାଏ। ବିଭୀଷିକା ଭିତରେ ମଧ୍ୟ ଜୀବନ ଓ ଆନନ୍ଦ ଛୁପିଥାଏ।
ମାନବତା ତାଙ୍କୁ ବାନ୍ଧିଦିଏ। ମଣିଷପଣିଆରେ ସେ ହଜିଯାନ୍ତି। ସେ କହନ୍ତି କି, ଆଖପାଖରେ ଆତଯାତ ହେଉଥିବା ମଣିଷମାନେ ଖୁବ୍ ଭଲ। ସାରା ବିଶ୍ୱରେ ଘୁରିଘରି ସେ ଅନେକ ଲୋକଙ୍କୁ ଭେଟିଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ନିଜ ପାଇଁ, ନିଜ ପରିବାର ପାଇଁ, ନିଜ ଆତ୍ମୀୟ-ସ୍ୱଜନଙ୍କ ପାଇଁ, ନିଜ ପଡ଼ୋଶୀ ପାଇଁ ତଥା ସର୍ବୋପରି ନିଜ ସମାଜ ପାଇଁ ଅନେକ କିଛି କରିବାକୁ ବଦ୍ଧ ପରିକର।
୭ ମାର୍ଚ୍ଚ ୧୯୭୧ରେ ଲଣ୍ଡନର ପାଡିଙ୍ଗଟନରେ ଜନ୍ମିତ ଗ୍ରାଣ୍ଟ ଫେଣ୍ଟ ବାଲ୍ୟକାଳରୁ ହିଁ ପାରିବାରିକ ଦ୍ୱନ୍ଦ୍ୱରେ ବଢ଼ିଥିଲେ । ନିଜ ପିତୃ ପରିଚୟ ପାଇବା ପାଇଁ ତାଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। ଅନେକ ପ୍ରସିଦ୍ଧ ଫିଲ୍ମ ନିର୍ମାତା ଭାବେ ସେ ପାଇଛନ୍ତି ବିଭିନ୍ନ ବିଶ୍ୱସ୍ତରୀୟ ସମ୍ମାନ। ସିନେମା ପୃଷ୍ଠଭୂମିରେ ଜୀବନ ଅତିବାହିତ କରୁଥିଲେ ମଧ୍ୟ ସେ ସେଲିବ୍ରିଟି କଲ୍ଚରକୁ ପସନ୍ଦ କରନ୍ତିନାହିଁ। ଏହା ପ୍ରତିଭାର ମୃତ୍ୟୁ ବୋଲି ସେ କହିଥାନ୍ତି। ଆଜିର ଦିନରେ ଅନେକ ସମ୍ଭାବନା କ୍ଷଣିକ ପ୍ରସିଦ୍ଧିରେ ପାଗଳ ହୁଅନ୍ତି, ତ୍ୱରିତ ପ୍ରସିଦ୍ଧି ହାସଲ କରିବାର ପ୍ରୟାସ କରିଥାନ୍ତି; କିନ୍ତୁ ଅଧ୍ୟବସାୟ, ଦକ୍ଷତା ତଥା ପ୍ରତିଭାର ଅଭାବରେ ଉପଯୁକ୍ତ ଦିଗରେ ଯାଇପାରିନଥାନ୍ତି। ଉଭୟ ଅର୍ଥ ଓ ପ୍ରତିଭାର ଧନୀ ଗ୍ରାଣ୍ଟ ଫେଣ୍ଟ୍ କେବେ ମଧ୍ୟ ନିଜ ଅର୍ଜିତ ପାଇଁ ଗର୍ବ କରିନାହାନ୍ତି। ଏଯାବତ ଶହେରୁ ଉର୍ଦ୍ଧ୍ବ ଦେଶ ଭ୍ରମଣ କରିଥିବା ଫେଣ୍ଟ କେବେ ମଧ୍ୟ ଅହଂର ବଶବର୍ତ୍ତୀ ହୋଇ ନିଜ ପଥରୁ ଭ୍ରଷ୍ଟ ହୋଇନହାନ୍ତି । ଯାହ ତାଙ୍କୁ ସମକାଳର ଅନେକଙ୍କ ମଧ୍ୟରୁ ନିଆରା କରିଛି ।

By Debadatta Pati

Spread

Leave a Reply

Your email address will not be published. Required fields are marked *