ତଡିଦେଲେ ଶାଶୂ ଘର ଲୋକ : କଅଁଳା ପିଲାକୁ କୋଳରେ ଧରି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବୋହୂ

ଭଦ୍ରକ : କୋଳରେ କଅଁଳା ପିଲା । ଶୀତ କାକରରେ ଛୁଆକୁ ଧରି ପଞ୍ଚାୟତ ଗେଟରେ ମହିଳା । ବାପ ଘରକୁ ଯାଇଥିଲେ ବୋଲି ଘରୁ ତଡ଼ିଦେଲେ ଶ୍ୱଶୁର ଘର ଲୋକ । କୁନି ଛୁଆଟା ମୁହଁକୁ ଚାହିଁଲେନି । ନିଜ ରକ୍ତର ଆକର୍ଷଣ ବି ବୁଝିଲେନି । କୋଳେଇ ନେବା ବଦଳରେ ପର କରିଦେଲା । ଫଳରେ ଛଅ ମାସର ଶିଶୁ କନ୍ୟାକୁ ଧରି ସାରା ରାତି ପଞ୍ଚାୟତ ଗେଟ ସମ୍ମୁଖରେ ପଡି ରହିଛନ୍ତି ରଞ୍ଜିତା । ତେବେ ଶୀତ ରାତିରେ କଅଁଳା ପିଲାକୁ ଧରି ବାହାରେ ଏପରି ବସିରହିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ବାପ ଘରକୁ ଯାଇଥିଲି । ଶ୍ୱଶୁର ଘରକୁ ଫେରିବା ପରେ ଶାଶୂ ଗେଟ୍ ମୁହଁରେ ତାଲା ଦେଇଦେଲେ । ଯୁଆଡ଼େ ଯାଇଥିଲୁ, ସେଆଡ଼େ ଯା କହି ଘରୁ ତଡ଼ିଦେଲେ । ଘରେ ପୂରାଇ ଦେଲେନି । ମୁଁ ସରପଞ୍ଚଙ୍କୁ କହିଲି । ହେଲେ ସରପଞ୍ଚ କିଛି କହିଲେ ନାହିଁ । ଫଳରେ ଅନ୍ୟ ଉପାୟ ନପାଇ ପଞ୍ଚାୟତ ଘରେ ଆଶ୍ରୟ ନେଇଛି । ଶ୍ୱଶୁର ଘର ଲୋକେ ପୂର୍ବରୁ ସବୁବେଳେ ଖୁଣ୍ଟା ଦେଉଥିଲେ, ଟିକିଏ ଟିକିଏ କଥାରେ ଶାଶୂ ମାରଧର ବି କରୁଥିଲେ । ମୁଁ ମୋ ଶ୍ୱଶୁର ଘରକୁ ଯିବା ପାଇଁ ଚାହୁଁଛି । ମୋର ଭୁଲ ହୋଇଥିଲା କ୍ଷମା କରି ଦିଅନ୍ତୁ । ମୋ ବାହାଘର ହୋଇଛି, ମୁଁ ଶ୍ୱଶୁର ଘରେ ହିଁ ରହିବି । ସ୍ୱାମୀ କିଛି ବୁଝୁନାହାନ୍ତି ବୋଲି କହିଛନ୍ତି ।

ସେ ବାହାରେ ରୁହନ୍ତି । ବେଶୀ ଆସୁ ନାହାନ୍ତି । ମଝିରେ ଆସିଥିଲେ, ଦୁଇ ତିନି ଦିନ ରହି ପୁଣି ଫେରିଗଲେ । ବାସୁଦେବପୁର ଥାନା ବ୍ରାହ୍ମଣଗାଁ ପଞ୍ଚାୟତର ବୈକୁଣ୍ଠପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କୁ ସାବରଙ୍ଗ ଥାନା ରଞ୍ଜିତା ଦୁଇ ବର୍ଷ ତଳେ ବିବାହ କହିଥିଲେ । କୋଲକାତାର ଏକ ସୁନା ଦୋକାନରେ ରହି କାମ କରନ୍ତି ସ୍ୱାମୀ । ଘରକୁ କ୍ୱଚିତ୍ ଆସନ୍ତି । ଘରେ ରଞ୍ଜିତା ତାଙ୍କ ଶାଶୂ ଶ୍ୱଶୁରଙ୍କ ସହ ରହୁଥିଲେ । ବିବାହର କିଛି ଦିନ ପରେ ଶାଶୂ ଓ ବୋହୂଙ୍କ ମଧ୍ୟରେ ବହୁ ସମୟରେ ପାଟିତୁଣ୍ଡ ଲାଗି ରହୁଥିଲା । କଥା କଥାକେ ଗାଳି କରିବା ସହିତ ଗଞ୍ଜଣା ଦେଉଥିଲେ ଶାଶୂ । ବିବାହ ପରେ କୁଆଡ଼େ ଯିବି ଚିନ୍ତା କରି ସବୁ ସହିଯାଉଥିଲେ ରଞ୍ଜିତା । ଶାଶୂଙ୍କୁ ମା’ ଭାବି ମାଡ଼ଗାଳି ମଥାନତ କରି ସହିଯାଉଥିଲା । ହେଲେ ଅଧିକ ଝଗଡା ହେବାରୁ ରଞ୍ଜିତା ନିଜ ଛଅ ମାସର ଝିଅକୁ ନେଇ ବାପ ଘରକୁ ଚାଲି ଯାଇଥିଲେ । ମାସେ ବାପ ଘରେ ରହିବା ପରେ ଗତକାଲି ସନ୍ଧ୍ୟାରେ ଶାଶୂ ଘରକୁ ଫେରିଥିଲେ । ହେଲେ ଶାଶୂ ରଞ୍ଜିତାଙ୍କୁ ତଡି ଦେଇ ଘରୁ ବାହାର କରି ଦେଇଥିଲେ । ନିରାଶ ହୋଇ ରଞ୍ଜିତା ନିଜର ଛଅ ମାସର ଝିଅକୁ ଧରି ପଞ୍ଚାୟତ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ଗତକାଲି ସନ୍ଧ୍ୟା ଠାରୁ ପଡି ରହିଛନ୍ତି । ଶୀତ କାକରରେ ଛୋଟ ପିଲାକୁ ଧରି ସାରା ରାତି ପଡି ରହିବା ସ୍ଥାନୀୟ ଲୋକଙ୍କୁ ବ୍ୟଥିତ କରିଛି ।

Spread

Leave a Reply

Your email address will not be published. Required fields are marked *