ଟ୍ରକ୍‌ ପଛରେ ପିଟି ହୋଇ ୨ ମୃତ

ଲଖନପୁର: ଲଖନପୁର ଥାନା ଜାତୀୟ ରାଜପଥ ୪୯ର ଡୁଡଗା ଛକ ନିକଟରେ ସୋମବାର ରାତିରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଯୁବକ ଦ୍ବୟ ହେଲେ ରେଙ୍ଗାଲି ଥାନା ଅନ୍ତର୍ଗତ ବେତଝରଣ ଗାଁର ଟିକେଶ୍ୱର ମୁଣ୍ଡା(୩୮) ଓ ଦଶରଥ ମୁଣ୍ଡା(୨୮)। ସୂଚନା ଅନୁଯାୟୀ ଟିକେଶ୍ବର, ଦଶରଥ ଓ ଗଣେଶ ମୁଣ୍ଡା (୨୧) କୌଣସି କାମରେ ବାଇକ୍‌ (ଓଡି-୨୩ସି-୯୩୦୩)ରେ ଗାନ୍ଧୀଛକ ଯାଇ ରାତିରେ ଘରକୁ ଫେରୁଥିବା ବେଳେ ପୂର୍ବରୁ ବ୍ରେକ୍‌ଡାଉନ୍‌ ଅବସ୍ଥାରେ ଛିଡ଼ା ହୋଇଥିବା ଟ୍ରକ୍‌ (ଓଆର୍‌-୨୩ବି-୬୫୦୪)କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ବାଇକ୍‌ଟି ଟ୍ରକ୍‌ ଭିତରକୁ ପଶିଯାଇଥିଲା।

ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ଉଦ୍ଧାର କରି ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠି ଡାକ୍ତର ଟିକେଶ୍ୱର ଓ ଦଶରଥଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଆହତ ଥିବା ଗଣେଶଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ମଙ୍ଗଳବାର ମୃତ ଦଶରଥଙ୍କ ଭାଇ ଜନକ ମୁଣ୍ଡା ଲଖନପୁର ଥାନାରେ ଏତଲା ଦେଇ ବାଇକ୍‌ ଚାଳକ ଟିକେଶ୍ୱରଙ୍କ  ଦ୍ରୁତ ଓ ବେପରୁଆ ବାଇକ ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କହିଥିଲେ। ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି ଏବଂ ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଘଟଣାର ଅଦିକ ତଦନ୍ତ ଜାରି ରହିଥିବା ଏଏସଆଇ ଚୂଡ଼ାମଣି ପଧାନ ସୂଚନା ଦେଇଛନ୍ତି।

Spread

Leave a Reply

Your email address will not be published. Required fields are marked *