ପିଲାଙ୍କୁ ଗାଡିରେ ବସାଇବା ପୂର୍ବରୁ ସାବଧାନ !

ନୂଆଦିଲ୍ଲୀ : ଯଦି ଆପଣ ପିଲାକୁ ନେଇ ମୋଟରସାଇକେଲ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ । ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଦୁଇଚକିଆ ଯାନରେ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ଚାଳକମାନଙ୍କ ଲାଗି ଏକ ଚିଠା ଗାଇଡ୍‌ଲାଇନ୍ ଜାରି କରାଯାଇଛି । ନିୟମ ମୁତାବକ, ବାଇକ୍‌ରେ ଯଦି ୪ରୁ କମ୍ ବୟସର ଶିଶୁ ବସିଥିବେ ତେବେ କୌଣସି ପରିସ୍ଥିତିରେ ଗାଡ଼ିର ସ୍ପିଡ୍ ଘଣ୍ଟା ପିଛା ୪୦ କିମିରୁ ଅଧିକ ହେବ ନାହିଁ । ଶିଶୁମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ଲାଗି ମୋଟରଯାନ ନିୟମର ଧାରା ୧୨୯ରେ ଏଥିପାଇଁ କେତେକ ସଂଶୋଧନ କରାଯାଇଛି । ସୂଚନା ଅନୁଯାୟୀ, କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିଠା ଗାଇଡ୍‌ଲାଇନ୍‌ରୁ ଜଣାପଡ଼ିଛି ଯେ, ୪ ବର୍ଷରୁ କମ୍ ବୟସ ଶିଶୁଙ୍କୁ ବାଇକ୍‌ରେ ନେବାକୁ ହେଲେ ସୁରକ୍ଷା ଉପକରଣ ବ୍ୟବହାର କରି ଚାଳକଙ୍କ ସହିତ ଶିଶୁଙ୍କୁ ଯୋଡ଼ିବାକୁ ପଡ଼ିବ । ଶିଶୁଙ୍କୁ ହେଲ୍‌ମେଟ୍ ପିନ୍ଧାଇବାକୁ ହେବ । ୯ ମାସରୁ ଆରମ୍ଭ କରି ୪ ବର୍ଷ ବୟସର ଶିଶୁଙ୍କୁ ବାଇକ୍‌ରେ ନେବା ବେଳେ ସେମାନଙ୍କୁ ଏଭଳି ହେଲ୍‌ମେଟ୍ ପିନ୍ଧାଇବାକୁ ପଡ଼ିବ ଯାହା ସେମାନଙ୍କ ମୁଣ୍ଡ ସହିତ ଠିକ୍ ଭାବେ ଫିଟ୍ ହୋଇ ରହୁଥିବ ଓ ସେଥିରେ ବିଆଇଏସ୍ ମାର୍କା ରହିଥିବ । ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଆଜି ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଛୋଟ ପିଲାଙ୍କ ହେଲ୍‌ମେଟ୍ ହାଲୁକା ଓ ୱାଟରପ୍ରୁଫ୍ ହେବା ଦରକାର । ହେଭି ନାଇଲନ୍ ଅଥବା ମଲ୍‌ଟି ଫିଲାମେଟ୍ ନାଇଲନ୍‌ରେ ତାହା ତିଆରି ହୋଇଥିବା ଦରକାର ଓ ସେଥିରେ ମଜବୁତ ଫୋମ୍ ଲଗାଇବା ଜରୁରୀ । ସୁରକ୍ଷା ଉପକରଣ ଏଭଳି ଶକ୍ତ ହେବା ଦରକାର ଯାହା ୩୦ କିଲୋ ପର୍ଯ୍ୟନ୍ତ ଓଜନର ଝଟ୍‌କାକୁ ସହ୍ୟ କରିପାରିବ । ଏହି ଚିଠା ଗାଇଡ୍‌ଲାଇନ୍ ଉପରେ ସରକାର ଅଂଶୀଦାରମାନଙ୍କ ମତାମତ ଆହ୍ୱାନ କରିଛନ୍ତି । ମତାମତ ମିଳିବା ପରେ ସେଗୁଡ଼ିକୁ ବିଚାରକୁ ନେଇ ଗାଇଡ୍‌ଲାଇନ୍‌କୁ ଚୂଡ଼ାନ୍ତ ରୂପ ପ୍ରଦାନ କରାଯିବ । ତାହାକୁ ସରକାର ମଞ୍ଜୁର କଲେ ତାହା ନିୟମରେ ପରିଣତ ହୋଇଯିବ । ଥରେ ଏହି ନିୟମ ଲାଗୁ ହେଲେ ଯେଉଁମାନେ ତାହାର ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread

Leave a Reply

Your email address will not be published. Required fields are marked *