ଗାଁକୁ ରାସ୍ତା ନାହିଁ,୫ କିମି ଷ୍ଟେଚରରେ ବୁହାହେଲେ ରୋଗୀ

କନ୍ଧମାଳ : ଗାଁକୁ ଆଜି ପର୍ଯ୍ୟନ୍ତ ସବୁ ଦିନିଆ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଫଳରେ ଦୀର୍ଘ ୫ କିଲୋମିଟର ରାସ୍ତାରେ ଆମ୍ବୁଲାନ୍ସ କର୍ମଚାରୀ ଓ ସମ୍ପର୍କୀୟ ଷ୍ଟେଚରରେ ବୋହି ଜଣେ ହୃଦରୋଗୀ ତଥା ପକ୍ଷାଘାତ ରୋଗୀଙ୍କୁ ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ । ସେଠାରୁ ପ୍ରଥମେ ଫିରିଙ୍ଗିଆ ଚିକିତ୍ସାଳୟରେ ଓ ପରେ ଅଧିକ ଚିକିତ୍ସା ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍‌ର ପବିଙ୍ଗିଆ ପଞ୍ଚାୟତର ଦୁର୍ଗମ ମିଣିଆଡ଼ୁଆ ଗ୍ରାମରେ । ସୂଚନା ଅନୁଯାୟୀ, ମିଣିଆଡ଼ୁଆ ଗ୍ରାମର ହୃଦରୋଗୀ ଓ ପକ୍ଷାଘାତ ରୋଗରେ ପୀଡ଼ିତ ଥିବା ରୋଗୀ ଲକ୍ଷ୍ମଣ କହଁର (୪୫) ଆଜି ସକାଳ ପ୍ରାୟ ୯ଟାରେ ଗୁରୁତର ହୋଇ ପଡ଼ିଥିବା ବେଳେ ଗ୍ରାମରେ ନେଟୱାର୍କର କୌଣସି ସୁବିଧା ନଥିବା ଯୋଗୁଁ ଗ୍ରାମର ଜଣେ ବ୍ୟକ୍ତି ଗ୍ରାମଠାରୁ ପ୍ରାୟ ୧୦ କିଲୋମିଟର ଦୂର ଯାଇ ୧୦୮ ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରିଥିଲେ । ତେବେ ରାସ୍ତା ନଥିବା ଜାଣିିବାପରେ ଆମ୍ବୁଲାନ୍ସ ଯିବାକୁ ଅମଙ୍ଗ ହେଉଥିଲେ ।

ମାତ୍ର ଯେଉଁ ବ୍ୟକ୍ତିଜଣକ ଫୋନ୍ କରି ଅନୁରୋଧ କରିଥିଲେ ତାଙ୍କର ଅନୁରୋଧକୁ ରଖି ଫିରିଙ୍ଗିଆରୁ ଏକ ରୋଗୀବୁହା ଆମ୍ବୁଲାନ୍ସ ମିଣିଆଡୁପି ଗ୍ରାମକୁ ଗସ୍ତ କରିଥିଲେ ମଧ୍ୟ ପଂଚାୟତର ମଙ୍ଗମୁଣ୍ଡା ପରେ ଆଉ ରାସ୍ତାର ଅବସ୍ଥା ଠିକ୍ ନଥିବା ଓ ଘାଟି ରାସ୍ତା ସହିତ ଅବସ୍ଥା ଶୋଚନୀୟ ଯୋଗୁଁ ଆମ୍ବୁଲାନ୍ସ ଆଗକୁ ଯିବା ସମ୍ଭବ ହୋଇ ନଥିଲା । ବାଧ୍ୟ ହୋଇ ଗାଡ଼ିର ଚାଳକ ଅନିଲ୍ କୁମାର ନାୟକ, ଫାର୍ମାସିଷ୍ଟ ବିନାୟକ ପଣ୍ଡା ଓ ସହାୟକ ପୁପୁନି ନାୟକ ଗାଡ଼ିରେ ଥିବା ଷ୍ଟେଚର ଧରି ୫ କିଲୋମିଟର ଦୂର ଚାଲି ଚାଲି ଯାଇ ମିଣିଆଡ଼ୁପି ଗ୍ରାମରେ ପହଞ୍ଚିବା ସହିତ ଗୁରୁତର ଲକ୍ଷ୍ମଣଙ୍କୁ ଷ୍ଟେଚରରେ ବୋହି ଆଣିଥିଲେ । ଏହି ସମୟରେ ଆମ୍ବୁଲାନ୍ସ କର୍ମଚାରୀ ସମେତ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟ ସହଯୋଗରେ ଦୀର୍ଘ ସମୟ ପରେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ତାଙ୍କୁ ତୁରନ୍ତ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସା ସମ୍ଭବ ନଥିବା ଯୋଗୁଁ ପ୍ରାଥମିକ ଚିକିତ୍ସାପରେ ପୁଣିଥରେ ଆମ୍ବୁଲାନ୍ସରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ରେଫର କରାଯାଇଥିଲା ।

Spread

Leave a Reply

Your email address will not be published. Required fields are marked *