ପୂଜାରୀ ନୁହେଁ, ଠାକୁର ହିଁ ମନ୍ଦିର ଜମିର ପ୍ରକୃତ ମାଲିକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଜଣେ ପୂଜାରୀ ମନ୍ଦିର ସହିତ ସମ୍ପୃକ୍ତ ଜମିର ମାଲିକ ହୋଇପାରିବେ ନାହିଁଁ । ସମ୍ପୃକ୍ତ ମନ୍ଦିରର ଠାକୁର ହିଁ ଏହାର ଏକମାତ୍ର ଓ ପ୍ରକୃତ ମାଲିକ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ହେମନ୍ତ ଗୁପ୍ତା ଓ ଏଏସ୍ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ମନ୍ଦିର ସମ୍ପତ୍ତିର ଦେଖାଶୁଣା ପାଇଁ ପୂଜାରୀଙ୍କୁ ଏହି ଜମି ପ୍ରଦାନ କରାଯାଇଥାଏ । ଠାକୁର ଜଣେ ଆଇନଗତ ବ୍ୟକ୍ତିବିଶେଷ ଭାବେ ମନ୍ଦିର ଜମିର ମାଲିକ ହୋଇଥିବାରୁ ମାଲିକାନା କଲମରେ କେବଳ ତାଙ୍କ ନାମ ହିଁ ରହିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଜମି ଉପରେ ଠାକୁରଙ୍କ ଆଧିପତ୍ୟ ଥିବା ବେଳେ ଠାକୁରଙ୍କ ନାମରେ ଏହାର ଦେଖାଶୁଣା ପୂଜାରୀ କିମ୍ବା ମ୍ୟାନେଜର କରିଥାନ୍ତି । ତେଣୁ ମ୍ୟାନେଜର କିମ୍ବା ପୂଜାରୀଙ୍କ ନାମ ମାଲିକ କଲମ୍ (ସ୍ତମ୍ବ)ରେ ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ସୋମବାର କହିଛନ୍ତି । କୋର୍ଟ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ପୂଜାରୀ ଜମିର ଭାଗଚାଷୀ କିମ୍ବା ସରକାରୀ ଲିଜ୍‌ଧାରୀ ନୁହନ୍ତି ବୋଲି ଆଇନରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ।

ଏହାର ଦେଖାଶୁଣା କରିବା ନିମନ୍ତେ ତାଙ୍କୁ ଏହି ଜମି ପ୍ରଦାନ କରାଯାଇଥାଏ । କୋର୍ଟ ପକ୍ଷରୁ କୁହାଯାଇଛି ଯେ ପୂଜାରୀ କେବଳ ଏହି ସମ୍ପତ୍ତିର ଜଣେ ଜାଗିରୀଦାର ଏବଂ ତାଙ୍କୁ ପ୍ରଦାନ କରାଯାଇଥିବା ଦାୟିତ୍ୱ ଯଥା ରୀତି ନୀତି ଅନୁସାରେ ଠାକୁରଙ୍କ ପୂଜା ଏବଂ ଜମିର ଉତ୍ତମ ଦେଖାଶୁଣା କରିବାରେ ବିଫଳ ହେଲେ ଏଥିରୁ ତାଙ୍କୁ ହଟାଇ ଦିଆଯାଇପାରିବ । ତେଣୁ ତାଙ୍କୁ ଭୂମିସ୍ୱାମୀ ଭାବେ ଦେଖାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି । କୋର୍ଟ କହିଛନ୍ତି, ରେଭିନ୍ୟୁ ରେକର୍ଡରେ ପୂଜାରୀ କିମ୍ବା ମ୍ୟାନେଜରଙ୍କ ନାମ ଲେଖାଯିବା ଆବଶ୍ୟକ ବୋଲି ପୂର୍ବରୁ କୌଣସି ଜଜ୍‌ମେଣ୍ଟରେ ନଜିର ଥିବା ଦେଖିନାହୁଁ । ସେହିପରି ରାଜ୍ୟ ପକ୍ଷରୁ କ୍ଷମତା ପ୍ରଦାନ କରାଯାଇନଥିବା ପର୍ଯ୍ୟନ୍ତ ଠାକୁରଙ୍କ ଜମିର ମ୍ୟାନେଜର ଭାବେ ଜଣେ କଲେକ୍ଟରଙ୍କ ନାମ ରେକର୍ଡ କରାଯାଇପାରିବ ନାହିଁ ବୋଲି ଏହି ଆଦେଶରେ କୁହାଯାଇଛି । ମଧ୍ୟପ୍ରଦେଶ ରେଭିନ୍ୟୁ କୋଡ୍ ୧୯୫୯ ଅନୁସାରେ ରାଜ୍ୟ ସରକାର ଜାରି କରିଥିବା ଦୁଇଟି ସର୍କୁଲାରକୁ ହାଇକୋର୍ଟ ତାଙ୍କ ରାୟରେ ଖାରଜ କରିଦେଇଥିଲେ । ଏହାକୁ ଚାଲେଞ୍ଜ୍ କରି ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କରାଯାଇଥିବା ଏକ ଆବେଦନର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହା କହିଛନ୍ତି । ମନ୍ଦିର ସମ୍ପତ୍ତିକୁ ଅନଧିକୃତ ବିକ୍ରିରୁ ରକ୍ଷା କରିବା ପାଇଁ ରେଭିନ୍ୟୁ ରେକର୍ଡରୁ ପୂଜାରୀଙ୍କ ନାମ କାଟିବା ନିମନ୍ତେ ଏହି ସର୍କୁଲାର୍‌ରେ ନିର୍ଦ୍ଦେଶ ଦିଆଯାଇଥିଲା ।

Spread

Leave a Reply

Your email address will not be published. Required fields are marked *