ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ୬ ହଜାର ଲିଟର ଅମ୍ଳଜାନ କାରଖାନାର ଶିଳାନ୍ୟାସ 

ବୌଦ୍ଧ :  କୋଭିଡ ପରିଚାଳନାରେ ଓଡ଼ିଶା ସଫଳତା ହାସଲ କରିବା ସହିତ ୧୮ ଗୋଟି ରାଜ୍ୟକୁ ଅମ୍ଳଜାନ ପଠାଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ରକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ପ୍ରଂଶସିତ ହୋଇଛନ୍ତି । ଏହାବ୍ୟତୀତ ପ୍ରତି ଜିଲାରେ ସ୍ୱାସ୍ଥ୍ୟ ଭିତିଭୂମିରେ ଅନେକ ଉନ୍ନତି ହେବା ସହିତ ଅନେକ ପ୍ରକଳ୍ପ କାର୍ଯ୍ୟ ମଧ୍ୟ ହାତକୁ ନିଆଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବୌଦ୍ଧ ଜିଲାରେ ୬ ହଜାର ଲିଟର କ୍ଷମତା ବିଶିଷ୍ଟ ଅମ୍ଳଜାନ କାରଖାନାର ଶିଳାନ୍ୟାସ କରାଯାଇଛି । କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ନିର୍ମାଣ ହେବ ବୋଲି ଜଣାଯାଇଛି । ରାଜ୍ୟ ୫ ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ମୁଖ୍ୟଶାସନ ସଚିବ ସୁରେଶ କୁମାର ମହାପାତ୍ର,ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।
 
ସେହିପରି ବୌଦ୍ଧଠାରେ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଳାନ୍ୟାସ ଉତ୍ସବରେ ଅତିଥି ଭାବରେ ବିଧାୟକ ପ୍ରଦିପ କୁମାର ଅମାତ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବରେ ଏହି ଶିଳାନ୍ୟାସ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବରେ କଂଟାମାଳ ବିଧାୟକ ମହୀଧର ରଣା ଯୋଗଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀଅମାତ କୋଭିଡ ପରିଚାଳନାରେ ସଫଳତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜିଲାର ଉନ୍ନୟନ କ୍ଷେତ୍ରରେ ସହଯୋଗ କରିଥିବା ଏବଂ ପଶ୍ଚିମ ଓଡ଼ିଶା ବିକାଶ ପରିଷଦରେ ଜିଲାକୁ ସାମିଲ କରି ବିଭିନ୍ନ ସମୟରେ ଅନୁଦାନ ଯୋଗାଇ ଦେଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ । ଏହି ଅବସରରେ ବୌଦ୍ଧ ଓ କଣ୍ଟାମାଳ ବିଧାୟକ ପାଣ୍ଠିରୁ କିଣାଯାଇଥିବା ତିନିଗୋଟି ମହାପ୍ରୟାଣ ଗାଡିର ଲୋକାପର୍ମଣ କରିଥିଲେ । ଜିଲା ଚିକିତ୍ସାଳୟ ସମେତ ହରଭଙ୍ଗା ଓ କଂଟାମାଳ ବ୍ଲକକୁ ଗୋଟିଏ ଲେଖାଏଁ ଗାଡି ଯୋଗାଇ ଦିଆଯାଇଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ ବିଭାଗ ଓ ପୁର୍ତ୍ତ ବିଭାଗର ସମସ୍ତ ଅଧିକାରୀ ମାନେ ପରିଚାଳନା କରିଥିଲେ ।  

 

Spread

Leave a Reply

Your email address will not be published. Required fields are marked *