ରାଜ୍ୟରେ ଆଜି ୪୫୨ କରୋନା ଆକ୍ରାନ୍ତ ଚିହ୍ନଟ, ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର : ଓଡ଼ିଶାରେ ଅସମ୍ଭାଳ ହେଲାଣି କରୋନା ସ୍ଥିତି । ସେଥିପାଇଁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସଜାଗ ରହିବା ସହିତ ସରକାରୀ ଓ ଘରୋଇ ହସ୍ପିଟାଲରେ କରୋନା ରୋଗୀଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ସୀମାନ୍ତବର୍ତ୍ତୀ ଜିଲ୍ଲାରେ ସର୍ଭେଲାନ୍ସକୁ କଡ଼ାକଡ଼ି କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଚେକିଂ ଓ ଟ୍ରେସିଂ କରାଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୫୦୦ ମୁହାଁ ଥିବା ବେଳେ ଗତକାଲି ଅପେକ୍ଷା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ କମିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଖୋର୍ଦ୍ଧା ଜିଲ୍ଲା । ଏହି ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ବଢ଼ି ବଢ଼ି ଚାଲିଛି କରୋନା ମିଟର । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ୪୫୨ ମଧ୍ୟରୁ ୨୬୭ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୫ ସ୍ଥାନୀୟ ସଂକ୍ରମିତ । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୪୨ ହଜାର ୨୨୪ରେ ପହଞ୍ଚିଛି । ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ ୩୭ ହଜାର ୪୩୦ଜଣ । ଏବେ ବି ସକ୍ରିୟ ଅଛନ୍ତି ୨୮୨୦ ଜଣ ।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧୨ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୫ ଅଛନ୍ତି । ଏହାବ୍ୟତୀତ ବରଗଡ଼ରୁ ୧୯, ଭଦ୍ରକରୁ ୪, ବଲାଙ୍ଗିରରୁ ୧୫, କଟକରୁ ୨୬, ଦେବଗଡ଼ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଅଛନ୍ତି । ସେହିପରି ଗଜପତିରୁ ୪, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୨୯, କନ୍ଧମାଳରୁ ୪, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୩, ଖୋର୍ଦ୍ଧାରୁ ୭୭, କୋରାପୁଟରୁ ୨, ମାଲକାନଗିରିରୁ ୨, ମୟୂରଭଞ୍ଜରୁ ୧୦, ନବରଙ୍ଗପୁରରୁ ୮, ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ୭୧, ପୁରୀରୁ ୧୧ , ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦, ସୁନ୍ଦରଗଡ଼ରୁ ୭୫ ଓ ଷ୍ଟେଟ ପୁଲରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଅପରପକ୍ଷରେ ଓଡ଼ିଶାକୁ ପୁଣି ଫେରିଛି କଣ୍ଟେନମେଣ୍ଟ ବ୍ୟବସ୍ଥା । ଏହାରି ମଧ୍ୟରେ ଫୁଲବାଣୀ ପୌରାଞ୍ଚଳର ୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୨ ନମ୍ବର ୱାର୍ଡ ଡାକପାଳର ସ୍କୁଲ ସାହି ଓ ୫ ନମ୍ବର ୱାର୍ଡର ୫ଟି ଘରକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିବା ଜଣାପଡିଛି । ଡାକପାଲିର ସ୍କୁଲ ସାହିରୁ ୮ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ୫ ନମ୍ବର ୱାର୍ଡର ଗୋଟିଏ ଘରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ଦୃଷ୍ଟିରେ ରଖି ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି ଫୁଲବାଣୀ ଜିଲ୍ଲାପାଳ ।

Spread

Leave a Reply

Your email address will not be published. Required fields are marked *