ମାଛ ଚାଷ ପାଇଁ ୨ବର୍ଷରେ ୮୩କୋଟି ଖର୍ଚ୍ଚ: ତଥାଫି ଆନ୍ଧ୍ର ଉପରେ ନିର୍ଭର
ମାଛ ଚାଷ ପାଇଁ ୨ବର୍ଷରେ ୮୩କୋଟି ଖର୍ଚ୍ଚ: ତଥାଫି ଆନ୍ଧ୍ର ଉପରେ ନିର୍ଭର
କୋରାପୁଟ/ଭୁବନେଶ୍ୱର ୦୧-୧୧-୨୦୨୪(ବି.ଏନ .ଓ ) : କୋରାପୁଟ ଜିଲ୍ଲାର ଅମିଷ ବଜାରକୁ କବଜା କରିଛି ଆନ୍ଧ୍ର। ବ୍ରଏଲର କୁକୁଡା, ଅଣ୍ଡା ଠାରୁ ଆରମ୍ଭ କରି ମାଛ ବଜାରକୁ ବି ଅକ୍ତିଆର କରିଛି ଆନ୍ଧ୍ର। ତେବେ ଏହାକୁ ରୋକିବା ଦିଗରେ ଆମେ କେତେ ଦୁର ସଫଳ ତାହାକୁ ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମତ୍ସ୍ୟ ପୋଖରୀ ଯୋଜନା ଠାରୁ ଆରମ୍ଭ କରି ମତ୍ସ୍ୟ ନୀତି ପ୍ରଣୟନ କରି ମାଛଚାଷୀଙ୍କୁ ପୋଖରୀ ଖୋଳା ଠାରୁ, ଜାଁଳ, ମାଛ ଧରିବା ଜାଲ୍ କିଣିବା ଆଦିରେ ବ୍ୟାପକ ସବସିଡି ଦେବାକୁ ଯୋଜନା କରିଥିଲେ ସୁଦ୍ଧା ଜିଲ୍ଲାରେ ଉନ୍ନତମାନର ଜାଁଳ, ଭିତ୍ତିଭୁମି ଓ ଅନୁସଙ୍ଗିକ ସୁବନ୍ଦୋବସ୍ତ ନଥିବାରୁ ମାଛ ଚାଷ କରିବାକୁ ଚାଷୀମାନେ ସେଭଳି ଆଗ୍ରହ ପ୍ରକାଶ କରୁ ନାହାନ୍ତି।
ଜିଲ୍ଲାର ମାଛ ଚାଷୀମାନେ ଚାହିଦା ମୁତାବକ ମାଛ ଯୋଗାଇ ପାରୁ ନାହାନ୍ତି। ଏହି ସ୍ଥିତିରେ ବରଫ ଦିଆ ଆନ୍ଧ୍ର ମାଛ ଖାଇବାକୁ ଜିଲ୍ଲାବାସୀ ବାଧ୍ୟ। ଏପରିକି ଆନ୍ଧ୍ରରୁ ମାଛ ନ ଆସିଲେ କୋରାପୁଟଜିଲ୍ଲାରେ ଚୁଲିରେ ବସି ପାରୁନି କଡ଼େଇ ବୋଲି ବି ଲୋକେ ଚର୍ଚ୍ଚା କରୁଛନ୍ତି। ଜିଲ୍ଲାରେ ମାଛ ଚାଷୀଙ୍କୁ ପ୍ରତ୍ସାହିତ କରିବା ପାଇଁ ଗତ ୨ବର୍ଷରେ ୮୩କୋଟିରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲେ ହେଁ ତାହାର ସୁଫଳ ଏଯାଏଁ ମିଳିପାରିନି।
ଜିଲ୍ଲାରେ ୪୨୨୪ଜଣ ମାଛ ଚାଷୀ ରହିଛନ୍ତି। କୋଲାବ ଡ୍ୟାମ, ମୁରାନ ଡ୍ୟାମ ଓ ମାଛକୁଣ୍ଡ ଡ୍ୟାମର ପାଡୁଆ ଜଳଭଣ୍ଡାରର ସମିତି, ୩୨୯୭ଟି ନିଜସ୍ବ ପୋଖରୀ, ୧୨୮୧ଟି ଗ୍ରାମପଂଚାୟତ ପୋଖରୀ, ୩୨୨୦ଟି ରାଜସ୍ବ ପୋଖରୀ, ୧୩ଟି ଏମଆଇପି, ୨୫ଟି ନଦୀ ତୁଟ, ୯ଟି ସ୍ବାମ୍ପସ୍, ୧୧୦ଟି ଜୈବପୁଂଜ ଟାଙ୍କି ଏପରି ୭୯୫୮ଟି ମତ୍ସ୍ୟ ଉତ୍ସ ନିକଟରେ ୧୪,୧୩୭.୨୮ହେକ୍ଟର ଆୟତନରେ ମାଛ ଚାଷ କରାଯାଉଛି। ଏଥି ପାଇଁ ୨୦୨୩-୨୪ଆର୍ଥିକ ବର୍ଷରେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ୭୨କୋଟି ୪୮ଲକ୍ଷ ଖର୍ଚ୍ଚ କରାଯାଇଥିବା ବେଳେ ୨୪-୨୫ଆର୍ଥିକ ବର୍ଷରେ ୧୧କୋଟି ୨୭ଲକ୍ଷ ଏଭଳି ୮୩କୋଟି ୭୬ଲକ୍ଷ ପୋଖରୀ ଖନନ ଠାରୁ ଆରମ୍ଭ କରି ବିଭିନ୍ନ ବାବଦରେ ଖର୍ଚ୍ଚ କରାଯାଇଥିବା ସୂଚନା ମିଳିଛି। ଜିଲ୍ଲା ମତ୍ସ୍ୟ ବିଭାଗର ସହାୟତାରେ ମାଛ ଚାଷ କରି ବର୍ଷକୁ କେବଳ ୧୧ହଜାର ୬୪୭ମାଟ୍ରିକ ଟନ ହିଁ ଉତ୍ପାଦନ କରୁଛନ୍ତି। ତେବେ ଜିଲ୍ଲାପାଇଁ ବର୍ଷକୁ ୨୩ହଜାର ମାଟ୍ରିକ ଟନ୍ ମାଛର ଆବଶ୍ୟକତା ରହିଛି। ଏହି ସ୍ଥିତିରେ ଜିଲ୍ଲାରେ ଉତ୍ପାଦିତ ୫୦ପ୍ରତିଶତ ମାଛ ହିଁ ଜିଲ୍ଲାର ଚାହିଦାକୁ ମେଣ୍ଟାଇ ପାରୁଛି।ବଳକା ମାଛ ଆନ୍ଧ୍ରରୁ ଆସୁଥିବା ସ୍ପଷ୍ଟ।
ସମଗ୍ର କୋରାପୁଟ ଜିଲ୍ଲାରେ କେବଳ ଜୟପୁର ଉପଖଣ୍ଡର ଜୟପୁର, ବୈପାରୀଗୁଡା, କୁନ୍ଦ୍ରା, କୋଟପାଡ ଓ ବୋରିଗୁମ୍ମା ବ୍ଲକରେ ହିଁ ମାଛ ଚାଷ ଅଧିକା ହେଉଛି ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ବଳକା ବ୍ଲକରେ ଠିକେ କମ୍ ଚାଷ ହେଉଛି। ଜିଲ୍ଲାରେ ଏପରିସ୍ଥିତିରେ ଜିଲ୍ଲା ପାଇଁ ବର୍ଷକୁ ୨୩ହଜାର ମେଟ୍ରୀକ ଟନ୍ ମାଛର ଆବଶ୍ୟକତା ରହିଥିଲେ ହେଁ କେବଳ ଅଧା ମାଛ ହିଁ ଜିଲ୍ଲାର ଚାଷୀ ଓ ଜଳଭଣ୍ଡାର ଗୁଡିକରୁ ବାହାରିବା ମାଛ ମେଣ୍ଟାଉଛି। ବଳକା ମାଛ ଆନ୍ଧ୍ରରୁ ଆସିବା ଦ୍ବାରା ଲୋକଙ୍କ ଚାହିଦା ମେଣ୍ଟୁଛି ବୋଲି ଜିଲ୍ଲା ମତ୍ସ୍ୟ ବିଭାଗ ବି ମାନୁଛି। ତେବେ ଏହାକୁ କିଭଳି ରୋକାଯାଇ ହେବ ତାହାକୁ ନେଇ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।