କାକଟପୁରର ମା’ମଙ୍ଗଳାଙ୍କ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା,
କାକଟପୁରର ମା’ମଙ୍ଗଳାଙ୍କ ଝାମୁଯାତ୍ରା, ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଲେ ମା
କାକଟପୁର/ଭୁବନେଶ୍ୱର ୧୭-୦୪-୨୦୨୫(ବି.ଏନ .ଓ ) : ପୁରୀ ଜିଲ୍ଲା କାକଟପୁର ମା’ ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା । ଏଥିପାଇଁ ମା’ମଙ୍ଗଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ମଙ୍ଗଳା ମନ୍ଦିରରେ ପହଞ୍ଚି ଲମ୍ବା ଧାଡ଼ିରେ ମାଙ୍କୁ ଦର୍ଶନ କରିଥିଲେ । ଚୈତ୍ର ମାସ ପ୍ରଥମ ମଙ୍ଗଳବାରରେ ମା ମଙ୍ଗଳାଙ୍କ ନେତ୍ରୋତ୍ସବ ଠାରୁ ଆରମ୍ଭ ହୋଇ ଥିବା ମା’ଙ୍କ ପାଳିଯାତ୍ରା ଆଜି ପଞ୍ଚମ ପାଳି ମଙ୍ଗଳବାରରେ ଝାମୁ ଯାତ୍ରା ପରେ ଏହି ପାଳିଯାତ୍ରା ଶେଷ ହୋଇଛି । ଏହି ଅବସରରେ ଭକ୍ତ ଏବଂ ଶ୍ରଦ୍ଧାଳୁ ମାନଙ୍କୁ ମା ରାଜରାଜେଶ୍ଵରୀ ବେଶରେ ଦର୍ଶନ ଦେଉଛନ୍ତି । ଶ୍ରଦ୍ଧାଳୁ ମାନେ ପରିବାରର ମଙ୍ଗଳ କାମନା କରି ବ୍ରତ ଧାରଣ କରିବା ସହିତ ମାନସିକ ଦୀପ ଜାଳିଛନ୍ତି । ଭୋର ୩ଟାରୁ ସ୍ନାନ ମାର୍ଜଣା, ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ରାଜ ରାଜେଶ୍ଵରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ ମଙ୍ଗଳା । ଭୋର ୫ଟାରେ ସାହାଣମେଳା ପରେ ସାଧାରଣ ଦର୍ଶନ ପାଇଁ ପହଡ ଖୋଲିଥିଲା । ମାଙ୍କ ଦର୍ଶନ ପାଇଁ ପୀଠରେ ଲକ୍ଷାଧିକ ଭକ୍ତ ଭିଡ଼ ଦେଖିବାକୁ ମିଳିଛି । ପଞ୍ଚମ ମଙ୍ଗଳବାର ଅନୁଷ୍ଠିତ ହୁଏ ଝାମୁ ଉତ୍ସବ। ମନ୍ଦିର ସମ୍ମୁଖରେ ଥିବା ପ୍ରାୟ ୩ ଫୁଟ ଓସାର ୨ ପୁଟ ଗଭୀର ଓ ୧୦ଫୁଟ ଲମ୍ବର ଏକ ଗର୍ତ୍ତକୁ ରଡ଼ ନିଆଁରେ ପୂର୍ଣ୍ଣ କରାଯାଇଥାଏ। ଜଗତସିଂହପୁର ଅଞ୍ଚଳର ରାଉଳ ପାଟୁଆ ଏବଂ ସ୍ଥାନୀୟ ଅଞ୍ଚଳର ଭୋଇ ପାଟୁଆ ମାନେ ବିରାଟ ପଟୁଆରରେ ମନ୍ଦିରରୁ ବାହାରି ପ୍ରାଚୀନଦୀ ର ଘଣ୍ଟତୋଳା ତୁଠକୁ ଯାଇଥାନ୍ତି । ସେଠାରେ ଘଟସ୍ଥାପନା, ପାଣିତୋଳା କାର୍ଯ୍ୟ ସାରି ପୁନର୍ବାର ପଟୁଆରରେ ମନ୍ଦିରକୁ ଫେରି ମା’ଙ୍କୁ ସ୍ମୃତି କରିଥାନ୍ତି ।ମା’ଙ୍କ ଠାରୁ ପୂଜା ପଣ୍ଡା ଆଜ୍ଞାମାଳ ପ୍ରଦାନ କରିବା ପରେ ଏମାନେ ଏକତ୍ର ରଡ଼ ନିଆଁପୂର୍ଣ୍ଣ ଗର୍ତ୍ତରେ ଘଟଧରି ଖାଲି ପାଦରେ ଚାଲିଥାନ୍ତି। ଏହାକୁ ହିଁ କୁହାଯାଏ ଝାମୁ ଚାଲିବା। ଝାମୁ ଚାଲିବା ପରେ ପଟୁଆମାନେ ମନ୍ଦିର ସମ୍ମୁଖରେ ଏବଂ ବେଢା ମଧ୍ୟରେ ପଟୁଆ ନୃତ୍ୟ ପରିବେଷଣ କରିଥାନ୍ତି। ଏହାପରେ ଆନୁଷ୍ଠିନିକ ଭାବେ ଶେଷ ହୋଇଥାଏ..ଟ୍ରଷ୍ଟ ବୋର୍ଡର ସଭାପତି ତଥା ସ୍ଥାନୀୟ ତହସିଲଦାର ଅଙ୍କିତା ଅନିନ୍ଦିତା, କାର୍ଯ୍ୟନିର୍ବାହୀ ଅଧିକାରୀ କୈଳାଶ ଚନ୍ଦ୍ର ଦାଶ ଙ୍କ ପକ୍ଷରୁ ଭକ୍ତଙ୍କ ପାଇଁ ଶାନ୍ତି ଶୃଙ୍ଖଳାର ବ୍ୟବସ୍ଥା କରାଯାଇଥିବା ବେଳେ ନିମାପଡା ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାକଟପୁର ଥାନା ଆଇଆଇସି ଉମେଶ ଚନ୍ଦ୍ର ସାହୁ, ଏ ଏସ ଆଇ ପ୍ରମୋଦ କୁମାର ସେଠୀ ଙ୍କ ସମେତ ସମସ୍ତ ଅଧିକାରୀ ମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲେ l ରାତ୍ର ବାର ଘଟିକା ରେ କାଳିକା ନୃତ୍ୟ ଉପସ୍ଥିତ ମାତୃଭକ୍ତ ମାନଙ୍କୁ ବିମୋହିତ କରିଥିଲା